ଜୟପୁର: ବିଜୟ ହଜାରେ ଟ୍ରଫିରେ ଆଜି ଦ୍ଵିତୀୟ ରାଉଣ୍ଡ ମ୍ୟାଚ୍ ଖେଳା ଯାଇଛି। ଏଥିରୁ ଗୋଟିଏ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ମୁମ୍ବାଇ ଓ ଉତ୍ତରାଖଣ୍ଡ। ଏହି ମ୍ୟାଚରେ ମୁମ୍ବାଇର ଖେଳାଳି ଅଙ୍ଗକୃଶ ରଘୁବଂଶୀ ଗୁରୁତର ଆହତ ହୋଇଛନ୍ତି। ବେକରେ ଆଘାତ ଲାଗିଥିବାରୁ ସେ ବେକ ମୋଡ଼ି ପାରୁ ନାହାନ୍ତି। ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତାଙ୍କୁ ଯଥା ଶ୍ରୀ ଷ୍ଟ୍ରେଚରରେ ପଡ଼ିଆ ବାହାରକୁ ନିଆଯାଇ ଜୟପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୭ ଓ୍ଵିକେଟ୍ ହରାଇ ୩୩୧ ରନ କରିଥିଲା। ଏହି ମ୍ୟାଚର ସିଧା ପ୍ରସାରଣ କିମ୍ବା ଲାଇଭ ଷ୍ଟ୍ରିମିଂ ହେଉ ନ ଥିଲା। ତେବେ ମୁମ୍ବାଇର ଫିଲ୍ଡିଂ ସମୟରେ ୨୧ ବର୍ଷୀୟ ଅଙ୍ଗକୃଶ ରଘୁବଂଶୀ କ୍ୟାଚ୍ ଧରିବା ପ୍ରୟାସରେ ଡ୍ରାଇଭ ମାରିଥିଲେ। ଏହି ସମୟରେ ତାଙ୍କ ବେକରେ ଆଘାତ ଲାଗିଥିଲା। ସେ ନିଜର ବେକ ମୋଡ଼ି ପାରି ନ ଥିଲେ। ତୁରନ୍ତ ଷ୍ଟ୍ରେଚର ଜରିଆରେ ତାଙ୍କୁ ପଡ଼ିଆ ବାହାରକୁ ନିଆଯାଇଥିଲା। ଏହାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

 

ଉତ୍ତରାଖଣ୍ଡ ବିପକ୍ଷ ମ୍ୟାଚରେ ରଘୁବଂଶୀ ବ୍ୟାଟିଂରେ ବିଫଳ ହୋଇଥିଲେ। ଓପନିଂ କରି ୨୦ ବଲରୁ ୧୧ ରନ କରିଥିଲେ। ରୋହିତ ଶର୍ମା ବି ଆଜି ମୁମ୍ଵାଇ ପକ୍ଷରୁ ଖେଳିଥିଲେ ହେଁ ଗୋଲଡେନ ଡକର ଶିକାର ହୋଇଛନ୍ତି। ଏହା ପରେ ମୁଶୀର ଖାନ(୫୫ ରନ) ଓ ସରଫରାଜ ଖାନ(୫୫) ଅର୍ଦ୍ଧଶତକୀୟ ଇନିଂସ ଖେଳି ଦଳର ସ୍ଥିତି ସୁଦୃଢ କରିଥିଲେ। ହାର୍ଦ୍ଦିକ ତୋମାର ୯୩ ରନ ଓ ଶାମ୍ସ ମୁଲାନୀ ୪୮ ରନ କରି ମୁମ୍ବାଇର ସ୍କୋରକୁ ୩୩୧ ରନରେ ପହଞ୍ଚାଇଥିଲେ।

ଉତ୍ତରାଖଣ୍ଡ ପାଇଁ ଓପନର ଯୁବରାଜ ଚୌଧୁରୀ ୯୬ ରନର ଏକ ଦମଦାର ଇନିଂସ ଖେଳିଥିଲେ। ଜଗଦୀଶ ସୁଚିତ ଅର୍ଦ୍ଧଶତକ (୫୧) ହାସଲ କରିଥିଲେ। କିନ୍ତୁ ଉଭୟଙ୍କ ଏହି ଇନିଂସ ଦଳକୁ ପରାଜୟରୁ ବଞ୍ଚାଇ ପାରି ନ ଥିଲା। ଅଙ୍ଗକୃଶ ରଘୁବଂଶୀଙ୍କ ଆଘାତ ସାମାନ୍ୟ ଥିବା ପରି ଲାଗୁନି। ସମ୍ଭବତଃ ତାଙ୍କୁ ଅନେକ ସମୟ ପାଇଁ କ୍ରିକେଟରୁ ଦୂରରେ ରହିବାକୁ ପଡ଼ିପାରେ। ଏବଂ ସେ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ପାଇଁ ଖେଳରୁ ବାହାରେ ରହିପାରନ୍ତି। ତେବେ ରିପୋର୍ଟ ଆସିବା ପରେ ହିଁ ତାଙ୍କର ଆଘାତ ସମସ୍ୟାକୁ ନେଇ ସ୍ପଷ୍ଟ କୁହାଯାଇ ପାରିବ।