ଢେଙ୍କାନାଳ: ଶ୍ରାବଣ ମାସ ସୋମବାରରେ ଭଗବାନ ଶିବଙ୍କ ମୁଣ୍ଡରେ ପାଣି ଢାଳି ମନୋସ୍କାମନା ପୂରଣ କରିବେ ବୋଲି ଘରୁ ବାହାରିଥିଲେ। ହେଲେ ସେ କ’ଣ ଜାଣିଥିଲେ ଯେ, ତାଙ୍କର ଆଉ କୌଣସି ଇଚ୍ଛା ପୂରଣ ହେବନି। କାରଣ ବାଟରେ ଜଗିଛି କାଳ। ରବିବାର ଏନଏଚ-୫୫ର ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ତେନ୍ତୁଳିଆପଡା ନିକଟରେ ସ୍କୁଟି ଉପରେ ଏକ ଟ୍ରକ ଚଢ଼ିଯିବାରୁ ଏଥିରେ ବସିଥିବା ଜଣେ କାଉଡ଼ିଆଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଛି ଶୋକାକୂଳ ପରିବେଶ। ମୃତ କାଉଡ଼ିଆ ଜଣଙ୍କ ଅନୁଗୋଳ ଥାନା ଧୁକୁଟା ଗ୍ରାମର ୨୫ ବର୍ଷୀୟ ବିକାଶ ଭୋଇ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ବିକାଶଙ୍କ ସମେତ ତାଙ୍କ ଗ୍ରାମର ୪ ଜଣ ସାଂଗ ଗୋଟିଏ ବାଇକ ଓ ଗୋଟିଏ ସ୍କୁଟିରେ କପିଳାଶ ବାବା ଚଦ୍ର ଶେଖର ଜୀଉଙ୍କ ପାଖରେ ଜଳ ଲାଗି ପାଇଁ ବାହାରିଥିଲେ। ଆଉ ଜଳ ଲାଗି ପାଇଁ ସେମାନେ ବ୍ରାହ୍ମଣୀ ନଦୀର କମଗରା ଘାଟରୁ ପାଣି ଉଠାଇଥାନ୍ତେ। ମାତ୍ର  ତେନୁଳିଆପଡ଼ା ଛକ ନିକଟରେ ଏକ ୧୬ ଚକିଆ ଟ୍ରକ ସ୍କୁଟିକୁ ଅତିକ୍ରମ କରିବାବେଳେ ସ୍କୁଟି ପଛରେ ବସିଥିବା ବିକାଶଙ୍କ ଗାମୁଛା କାନି ଉକ୍ତ ଟ୍ରକରେ ଲାଗିଯିବାରୁ ଟାଣି ହୋଇ ସ୍କୁଟି ସହିତ ଖସି ପଡ଼ିଥିଲେ। ଫଳରେ ତାଙ୍କ ଉପରେ ଟ୍ରକ ପଛ ଚକ ଚଢ଼ିଯାଇଥିଲା। ଆଉ ସ୍କୁଟି ଚଲାଉଥିବା ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିଲେ।

Also Read: ୨୫ ଘଣ୍ଟା ପରେ ମିଳିଲା ଯୁବକଙ୍କ ମୃତଦେହ, ନଦୀ ସୁଅରେ ଭାସିଯାଇଥିଲେ​​​​​​​

ତବେ​‌​‌ ଦୁର୍ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ଏନଏଚ୍ ପାଟ୍ରୋଲିଂ ଗାଡ଼ି ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରିଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।