ସୋର: ଶିକ୍ଷକଙ୍କ ମାଡ଼ରେ ଛାତ୍ରୀ ଗୁରୁତର। ଏଭଳି ଅଭିଯୋଗ ଆସିଛି ବାଲେଶ୍ବର ସୋର ବ୍ଲକ ମୂକାଏଦା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷଙ୍କ ନାଁରେ। ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ବେଳେ, ସେ ଏବେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଛାତ୍ରୀଙ୍କ ଭାଇ ଏନେଇ ପୋଲିସରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି।

ଛାତ୍ରୀଙ୍କ ଭାଇ କରିଥିବା ଅଭିଯୋଗ ଅନୁସାରେ, ସ୍କୁଲର ବିଜ୍ଞାନ ଶିକ୍ଷକ ସୁଧାକର ସାହୁ ଦଶମ ଶ୍ରେଣୀରେ ପଢ଼ୁଥିବା ତାଙ୍କ ଭଉଣୀଙ୍କୁ ଉଠବସ କରାଇବା ସହ ବାଡ଼ିରେ ପିଟିଥିଲେ। ଏମିତିକି ତାଙ୍କ ଚୁଟି ଟାଣି ବିଧା ମଧ୍ୟ ମାରିଥିଲେ।

ତେବେ ଏହି ମାଡ଼ରେ ଛାତ୍ରୀ ଜଣକ ଗୁରୁତର ଆହତ ହୋଇଥିବା ବେଳେ ପ୍ରଥମେ ତାଙ୍କୁ ଅନନ୍ତପୁର ମେଡିକାଲରେ ଚିକିତ୍ସା କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ଛାତ୍ରୀଙ୍କୁ ବାଲେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସେ ବର୍ତ୍ତମାନ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ତେବେ ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୋଗର ସତ୍ୟତା ଯାଞ୍ଚ କରୁଛି। ଘଟଣାକୁ ନେଇ ଅଭିଭାବକ ଓ ସ୍ଥାନୀୟ ମହଲରେ ଉଦବେଗ ପ୍ରକାଶ ପାଇଛି।

Also Read: ଫେସବୁକରେ ବନ୍ଧୁତା, ବଦଳି କରାଇଦେବାକୁ ପ୍ରତିଶ୍ରୁତି ; ଅସଲି ପୋଲିସକୁ ଚୂନ ଲଗାଇଲା ନକଲି