ବାରିପଦା ୨୧।୮: ନକଲି ପୋଲିସ ଜାଲରେ ଫସିଗଲା ଅସଲି ପୋଲିସ । ମହିଳା ହାବିଲଦାରଙ୍କର ଗଲା ୨୮ ଲକ୍ଷ ୪୪ ହଜାର ଟଙ୍କା । ନିଜକୁ ଜଣେ ଆଇପିଏସ ଅଫିସର ପରିଚୟ ଦେଇ ଜଣେ କାର୍ଯ୍ୟରତ ମହିଳା ହାବିଲଦାରଙ୍କ ଠାରୁ ୨୮ ଲକ୍ଷ ୪୪ ହଜାର ୧୦୦ ଟଙ୍କା ଠକି ନେଇଥିବା ଘଟଣା ଏବେ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବାରିପଦା ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ମୟୂରଭଞ୍ଜ ସାଇବର ପୋଲିସ । ଠକାମୀରେ ଶିକାର ହେଉଥିବା ମହିଳା ହାବିଲଦାର ଜଣଙ୍କ ହେଲେ ବିଜୁଳି ବେହେରା । ସେ ଏବେ ମୟୂରଭଞ୍ଜ ରିଜର୍ଭ ପୋଲିସରେ କାର୍ଯ୍ୟରତ ଅଛନ୍ତି ଏବଂ ନିକଟରେ ତାଙ୍କର ମୟୂରଭଞ୍ଜର ନୂତନ ପୋଲିସ ଜିଲ୍ଲା ରାଇରଙ୍ଗପୁରକୁ ବଦଳି ମଧ୍ୟ ହୋଇଛି । ଆଉ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ବଦଳି ହୋଇ ରାଇରଙ୍ଗପୁର ଯିବା ପାଇଁ ନାରାଜ ରହିବାରୁ ଘଟିଛି ଏ ସମସ୍ତ କାଣ୍ଡ ।

ଅଭିଯୋଗ ଅନୁଯାୟୀ, ଗତ ଜୁନ ୧୯ ତାରିଖରେ ଫେସବୁକ ଜରିଆରେ ସାଇବର ଠକ ସହିତ ମହିଳା ହାବିଦାରଙ୍କର ପ୍ରଥମେ ବନ୍ଧୁତ୍ବ ସ୍ଥାପନ ହୋଇଥିଲା । ପରେ ଠକ ଜଣଙ୍କ ନିଜକୁ ଜଣେ ଆଇପିଏସ ଅଫିସର ଭାବରେ ପରିଚୟ ଦେବା ସହିତ ସେ ଲଣ୍ଡନରେ ଥିବାର ଦର୍ଶାଇ ଥିଲେ । ମୟୂରଭଞ୍ଜ ଦୁଇଟି ପୋଲିସ ଜିଲ୍ଲା ଭାଗ ହୋଇଥିବାରୁ ଅଭିଯୁକ୍ତ ଜଣକ ମହିଳା ହାବିଲଦାରଙ୍କୁ ନିଜ ମାୟା ଜାଲରେ ଫସାଇ ବଦଳି ପାଇଁ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ ଆଧାର କାର୍ଡର ନକଲ ମଧ୍ୟ ମଗାଇଥିଲେ । ଏହାପରେ ଅଭିଯୁକ୍ତ ଜଣକ ଆଧାର କାର୍ଡରେ ଥିବା ଠିକଣା ଅନୁଯାୟୀ ଲଣ୍ଡନରୁ ଏକ ଦାମୀ ଉପହାର ପାର୍ସଲ ପଠାଇଥିବାର ସୂଚନା ଦେଇଥିଲେ ।

ପାର୍ସଲଟି ଲଣ୍ଡନରୁ ଆସି ମୁମ୍ବାଇ ଠାରେ ପହଞ୍ଚିଥିବାର ଅନ୍ୟ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଜଣାଇବା ସହିତ ଟିକସ ବାବଦ ଟଙ୍କା ପଠାଇବାକୁ କହିଥିଲେ । ତେବେ ମହିଳା ହାବିଲଦାର ତାହା ଗ୍ରହଣ କରିବାକୁ ମନା କରିଥିଲେ ମଧ୍ୟ ବାରମ୍ବାର ବାଧ୍ୟ କରିବା ସହିତ ଟଙ୍କା ନପଠାଇଲେ ତାଙ୍କ ଉପରେ ମାମଲା ରୁଜୁ ହେବାର ମଧ୍ୟ ଧମକ ଦିଆଯାଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି । ତେଣୁ ସେ ଲୋଭ ଓ ଧମକର ବଶବର୍ତ୍ତୀ ହୋଇ ନିଜ ଷ୍ଟେଟବ୍ୟାଙ୍କ ଆକାଉଣ୍ଟରୁ ୨୨ ଲକ୍ଷ ୯୨ ହଜାର ଟଙ୍କା ଟ୍ରାନ୍ସଫର କରିବା ସହ ଫୋନ ପେ’ ଜରିଆରେ ୪ ଲକ୍ଷ ୭୦ ହଜାର ଓ ୮୨ ହଜାର ୧୦୦ ଟଙ୍କା ଏହିପରି ତିନୋଟି ପର୍ଯ୍ୟାୟରେ ମୋଟ୍ ୨୮ ଲକ୍ଷ ୪୪ ହଜାର ୧୦୦ ଟଙ୍କା ପଠାଇ ଏକ ବଡ଼ ସାଇବର ଠକାମିର ଶୀକାର ହୋଇଛନ୍ତି । ତେବେ ଏ ବାବଦରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ଅଭିଯୋଗକାରୀ ହାବିଲଦାର ମଧ୍ୟ ଏ ବାବଦରେ କୌଣସି ସୂଚନା ଦେବା ପାଇଁ ମନା କରିଦେଇଛନ୍ତି ।