ନୂଆଦିଲ୍ଲୀ: ଖାଦ୍ୟ​‌​‌ ଭେଜାଲ କରାଯାଉଥିବା ନେଇ ଅନେକ ସମୟରେ ଗଣମାଧ୍ୟମରେ ଖବର ଦେଖିବାକୁ ମିଳେ। ବିଶେଷ କରି ପ୍ୟାକେଜ ଫୁଡକୁ ଅଧିକ ମାତ୍ରାରେ ଭେଜାଲ କରାଯାଉଥିବାର ନଜିର ମଧ୍ୟ ରହିଛି। ଏବେ ପୁଣି ଏଭଳି ଏକ ବଡ଼ ଘୋଟାଲା ସାମ୍‌ନାକୁ ଆସିଛି। ସଦ୍ୟତମ ଘଟଣା ଅନୁସାରେ, ଜଣେ କାରଖାନା ମାଲିକ ଏକ୍ସପାଏରୀ ତାରିଖ ସରିଯାଇଥିବା ପ୍ୟାକେଜ ଫୁଡକୁ ତାରିଖ ବଦଳାଇ ବିକ୍ରି କରୁଥିଲେ। ବିଶେଷ କରି କ୍ଷୀର ପ୍ୟାକେଟକୁ ଏଭଳି ଭାବରେ ବିକ୍ରି କରୁଥିଲେ। ବଡ଼ କଥା ହେଲା ଏହି କରିତକର୍ମା ବ୍ୟକ୍ତି ଜଣକ ଏସବୁ ୟୁଟ୍ୟୁବରୁ ଶିଖିଥଲେ।

ଘଟଣା ହେଉଛି ରାଜସ୍ଥାନର। ରାଜସ୍ଥାନର ଖାଦ୍ୟ ସୁରକ୍ଷା ବିଭାଗ ଏକ କମ୍ପାନି ଉପରେ ରେଡ୍ କରି ଅନେକ ଏକ୍ସପାଏରୀ ସାମଗ୍ରୀ ଜବତ କରିବା ପରେ ପୂରା ଘଟଣା ସାମ୍‌ନାକୁ ଆସିଛି। ମଙ୍ଗଳବାର ଆସିଥିବା ରିପୋର୍ଟ ଅନୁସାରେ, ଖୋ ନାଗୋରିଆନ ଅଞ୍ଚଳରେ ଥିବା ମେସର୍ସ ଆଥଲିଟ୍ ଡିଷ୍ଟ୍ରିବ୍ୟୁଟର ନାଁରେ ସରକାରୀ ହେଲପଲାଇନ ୧୮୧ରେ ଏହି କମ୍ପାନି ବିରୋଧରେ ସନ୍ଦିଗ୍ଧ କାର୍ଯ୍ୟକଳାପ ନେଇ ଅଭିଯୋଗ ମିଳିଥିଲା।

ଜବତ ହେଲା ୧୨ ହଜାର ପେଟି ଏକ୍ସପାଏରୀ ସାମଗ୍ରୀ

ଏହା ପରେ ଜୟପୁର- ୨ର ମୁଖ୍ୟ ମେଡିକାଲ ହେଲଥ ଅଫିସରଙ୍କ ନେତୃତ୍ବରେ ଏକ ଟିମ୍ କମ୍ପାନିର ଗୋଦାମରେ ଚଢ଼ଉ କରିଥିଲା। ଆଉ ୧୨୦୦୦ ପେଟି ଏକ୍ସପାୟରୀ ଉତ୍ପାଦ ଜବତ କରିଥିଲା। ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ନୁଡଲ୍ସ, କ୍ୟାଚଅପ୍, ମେଓନିଜ୍ ଏବଂ ଏନର୍ଜୀ ଡିଙ୍କ୍ସ ରହିଛି।

ଫୁଡ୍ ସେଫ୍ଟ କମିଶନର ଟି ଶୁଭମଙ୍ଗଲା କହିଛନ୍ତି, ପଡ଼ୋଶୀମାନେ ସନ୍ଦେହ କରୁଥିଲେ ଗୋଦାମରେ କୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପ ଚାଲୁଥିଲା। ୧୦ରୁ ୧୨ ଜଣ ଶ୍ରମିକ ଗୋଟିଏ ଥରରେ କାରଖାନାରେ ପ୍ରବେଶ କରୁଥିଲେ। ଆଉ ମୁଖ୍ୟ ଫାଟକ ଦିନସାରା ବନ୍ଦ ରହୁଥିଲା।

ଜବତ ସାମଗ୍ରୀ ମଧ୍ୟରେ ରହିଛି ନାମୀ କମ୍ପାନିର କ୍ଷୀର

ରିପୋର୍ଟ ଅନୁସାରେ, ଯାଞ୍ଚ କରୁଥିବା ଅଧିକାରୀଙ୍କୁ ଥିନର, ଏସିଟୋନ ଏବଂ ଅନ୍ୟ ରସାୟନ ବୋତଲ ମଧ୍ୟ ମିଳିଛି। ଯାହାର ବ୍ୟବହାର ପ୍ରାୟ ୩ ହଜାର ପେଟିରେ ଛପା ଯାଇଥିବା ତାରିଖକୁ ଲିଭାଇବାକୁ କରାଯାଉଥିଲା। ଅଧିକାରୀଙ୍କୁ ଏଠାରୁ ଅମୂଲର କ୍ଷୀର ଏବଂ ଅନ୍ୟାନ୍ୟ ସାମଗ୍ରୀର ପ୍ରାୟ ୪,୫୦୦ ପେଟି ଉତ୍ପାଦ ମିଳିଥିଲା। ଏଗୁଡ଼ିକୁ ମଧ୍ୟ ପୁନଃ ପ୍ୟାକ କରିବା ପାଇଁ ରଖାଯାଇଥିଲା।

ନଷ୍ଟ କରାଗଲା ୧.୫ ଲକ୍ଷ କେଜି ଏକ୍ସପାଏରୀ ସାମଗ୍ରୀ

ଅତିରିକ୍ତ କମିଶନର ଭଗବତ ସିଂହ କହିଛନ୍ତି, ସଂସ୍ଥାର ସଞ୍ଚାଳକ ଗଗନ ଆହୁଜା ୟୁଟ୍ୟୁବରେ ଭିଡିଓ ଦେଖି ଏକ୍ସପାୟରୀ ଡେଟ ବଦଳାଇ ପୁରୁଣା ଉତ୍ପାଦକୁ ବିକ୍ରି କରିବାର ଉପାୟ ଶିଖିଥିଲେ। ତେବେ ପ୍ରାୟ ୧.୫ ଲକ୍ଷ କିଲୋଗ୍ରାମ ଏକ୍ସପାୟରୀ ଖାଦ୍ୟ ସାମଗ୍ରୀକୁ ୨୭ ଟ୍ରକରେ ଡମ୍ପିଂ ୟାର୍ଡକୁ ନିଆଯାଇ ନଷ୍ଟ କରାଯାଇଛି। ଅବଶ୍ୟ ଏପର୍ଯ୍ୟନ୍ତ ବଜାରରେ ଏଭଳି କେତେ ମାତ୍ରାରେ ସାମଗ୍ରୀ ରହିଛି ତାହା ସ୍ପଷ୍ଟ ହୋଇନାହିଁ।

ଜଣାପଡ଼ିଛି ଆହୁଜା ଏକ୍ସପାଏରୀ ଡେଟ ପାଖାପାଖି ହୋଇଯାଇଥିବା ସାମଗ୍ରୀକୁ ବଡ଼ ଡିସ୍କାଉଟରେ କିଣୁଥିଲେ। ଅଧିକାରୀଙ୍କ କହିବା ଅନୁସାରେ ଗୋଦାମକୁ ସିଲ୍‌ କରିଦିଆଯାଇଛି। ଆଉ କମ୍ପାନିକୁ ଖାଦ୍ୟ ପଦାର୍ଥ ସହ ଜଡ଼ିତ କାରବାର କରିବାକୁ ବ୍ୟାନ କରିଛନ୍ତି। କମ୍ପାନିର ଖାଦ୍ୟ ଲାଇସେନ୍ସ ମଧ୍ୟ ପୂର୍ବରୁ ହିଁ ସମାପ୍ତ ହୋଇସାରିଛି।