ୱାସିଂଟନ: ଆମେରିକା ସୁପ୍ରିମକୋର୍ଟ ୧୧ ସେପ୍ଟେମ୍ବର ୨୦୦୧ (୯/୧୧) ଆତଙ୍କବାଦୀ ଆକ୍ରମଣର କଥିତ ମାଷ୍ଟରମାଇଣ୍ଡ ଖାଲିଦ ଶେଖ ମହମ୍ମଦ ସହିତ ହୋଇଥିବା ବୁଝାମଣା ଲାଗୁ କରିବା ପାଇଁ ଦାବିକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏହି ବୁଝାମଣା ଅନୁସାରେ ମହମ୍ମଦକୁ ଅପରାଧ ସ୍ୱୀକାର କରିବା ବଦଳରେ ମୃତ୍ୟୁଦଣ୍ଡରୁ ଆଶ୍ୱସ୍ତି ମିଳି ପାରିଥାନ୍ତା ଓ ବିନା ପାରୋଲରେ ଆଜୀବନ ଜେଲଦଣ୍ଡାଦେଶ କାଟିଥାଆନ୍ତା। ତେବେ ବୁଝାମଣା ଲାଗୁ ନିମନ୍ତେ ତା ଆବେଦନକୁ କୋର୍ଟ ଅସ୍ୱୀକାର କରିଦେଇଛନ୍ତି। ଏଣୁ ବିଶ୍ୱର ସର୍ବ ବୃହତ୍ତ ଆତଙ୍କବାଦୀ ଆକ୍ରମଣ ମାମଲାରେ ଦଣ୍ଡରୁ ଆଶ୍ୱସ୍ତି ପାଇବା ପାଇଁ ମୁଖ୍ୟ ଅଭିଯୁକ୍ତର ଆଶା ମଉଳି ଯାଇଛି।

ମହମ୍ମଦ ଉପରେ ଅପହୃତ ବିମାନଗୁଡିକୁ ନ୍ୟୁୟର୍କର ୱାର୍ଲଡ ଟ୍ରେଡ ସେଣ୍ଟର ଓ ପେଣ୍ଟାଗନରେ ଧକ୍କା କରିବାର ଷଡ଼ଯନ୍ତ୍ର ରଚିବା ତଥା ଏହାକୁ ନିର୍ଦ୍ଦେଶିତ କରିବାର ଅଭିଯୋଗ ରହିଛି। ଏହି ଆକ୍ରମଣ ଘଟଣାରେ ସାମିଲ ଆଉ ଏକ ବିମାନ ପେନସିଲଭାନିଆର ଏକ ପଡିଆରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଆକ୍ରମଣର ମାଷ୍ଟରମାଇଣ୍ଡ ସହିତ ବୁଝାମଣାକୁ ସାମରିକ ପବ୍ଲିକ ପ୍ରସିକ୍ୟୁଟର ଓ ଗ୍ୱାନ୍ତାନାମୋ ବେ ସହିତ ସମ୍ପୃକ୍ତ ପେଣ୍ଟାଗନର ବରିଷ୍ଠ ଅଧିକାରୀଙ୍କ ମଞ୍ଜୁରୀ ମିଳିଥିଲା।

ହେଲେ ତତ୍କାଳୀନ ଆମେରିକା ଡିଫେନ୍ସ ସେକ୍ରେଟାରୀ ଲୟଡ ଅଷ୍ଟିନ ଏହି ବୁଝାମଣାକୁ ୨୦୨୪ରେ ରଦ୍ଦ କରିଦେଇଥିଲେ। ସେ ତର୍କ ଦେଇଥିଲେ ଯେ ୯/୧୧ ଭଳି ଗୁରୁତର ଆକ୍ରମଣରେ ମୃତ୍ୟୁଦଣ୍ଡ ସମ୍ପର୍କିତ ନିଷ୍ପତ୍ତି ନେବାର ଅଧିକାର ଡିଫେନ୍ସ ସେକ୍ରେଟାରୀଙ୍କ ନିକଟରେ ରହିବା କଥା। ମହମ୍ମଦଙ୍କ ପକ୍ଷର ଓକିଲ ତର୍କ ଦେଇଥିଲେ ଯେ ଅଷ୍ଟିନ ବୁଝାମଣାକୁ ବାତିଲ କରିବାରେ ବିଳମ୍ବ କରିଛନ୍ତି ଓ ତାଙ୍କ ପଦକ୍ଷେପ ଅଧିକାର ବାହାରେ ଥିଲା।

ତେବେ ଅପିଲିୟ କୋର୍ଟର ବହୁମତ ଅଷ୍ଟିନଙ୍କ ନିଷ୍ପତ୍ତିକୁ ତାଙ୍କ ଅଧିକାର କ୍ଷେତ୍ରରେ ବୋଲି ମାନିଛନ୍ତି। ଏହା ପରେ ବୁଝାମଣାକୁ ପୁଣି ଥରେ ଲାଗୁ କରିବା ପାଇଁ ଦାବି ସୁପ୍ରିମକୋର୍ଟକୁ ପହଞ୍ଚିଥିଲା, ଯାହାକୁ ଏବେ ଖାରଜ କରିଦିଯାଇଛି।