ନୂଆଦିଲ୍ଲୀ: ଇରାନ ସମର୍ଥିତ ହୁତି ବିଦ୍ରୋହୀ ୟେମେନରେ ସରକାରୀ ସେନା ଶିବିର ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣରେ ୫୩ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ସୈନିକ ଆହତ ହୋଇଛନ୍ତି । ହୁତିର ଏହି ଆକ୍ରମଣ ଦେଶରେ ଜାରି ଯୁଦ୍ଧ ମଧ୍ୟରେ ହୋଇଛି । ଏହି ଯୁଦ୍ଧରେ ସାଉଦି ଆରବ ସରକାରୀ ସେନା ସହିତ ସାଉଦି ବାୟୁସେନା ହୁତି ଉପରେ ବିମାନ ମାର୍ଗରୁ ଆକ୍ରମଣ କରୁଛନ୍ତି ।

ସୂଚନା ଅନୁସାରେ ହୁତି ବିଦ୍ରୋହୀ ଶାବବା ପ୍ରାନ୍ତ ସ୍ଥିତ ଅଲ-ଆଲମ୍ ସୈନ୍ୟ ଶିବିର ଉପରେ ବାଲିଷ୍ଟିକ୍ ମିସାଇଲ୍ ଆକ୍ରମଣ କରିଛନ୍ତି । ୟେମେନର ନେତୃତ୍ୱ ପରିଷଦର ମୁଖ୍ୟ ରାଶଦ ଅଲ-ଅଲିମୀ କହିଛନ୍ତି, ମୃତ ସବୁ ସୈନିକ ନିକଟରେ ସେନାରେ ଭର୍ତ୍ତି ହୋଇଥିଲେ । ସୈନିକଙ୍କ ମୃତ୍ୟୁର ପ୍ରତିଶୋଧ ନିଆଯିବ । ୟେମେନ ସେନାର ମୁଖପାତ୍ର କହିଛନ୍ତି, ହୁତି ବିଦ୍ରୋହୀ ପ୍ରଶିକ୍ଷଣ କେନ୍ଦ୍ର ଉପରେ ତିନି ବାଲିଷ୍ଟିକ୍ ମିସାଇଲ୍ ମାଡ଼ କରିଥିଲେ ।

ସେପଟେ ହୁତି ବିଦ୍ରୋହୀଙ୍କ ଦାବି ଯେ ରବିବାର ସେମାନଙ୍କ ନିୟନ୍ତ୍ରଣରେ ଥିବା ସାଦା ପ୍ରାନ୍ତରେ ସାଉଦି ବାୟୁସେନା ଏୟାର ଷ୍ଟ୍ରାଇକରେ ନଅ ଜଣଙ୍କ ଜୀବନ ଯାଇଥିଲା । ଏଥିରେ ପାଞ୍ଚ ପିଲା ଏବଂ ଦୁଇ ମହିଲା ଅଛନ୍ତି । ଆକ୍ରମଣରେ ୩୦ ଜଣ ଆହତ ମଧ୍ୟ ହୋଇଛନ୍ତି । ସାଉଦି ଆକ୍ରମଣର ପ୍ରତିଶୋଧ ନିଆଯାଇଛି ବୋଲି ହୁତି ପକ୍ଷରୁ କହାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ହୁତି ଏବଂ ସାଉଦି ଆରବ ମଧ୍ୟରେ ୨୦୨୨ ମସିହାରେ ଏକ ଚୁକ୍ତିନାମା ହୋଇଥିଲା । ପ୍ରାୟ ୪ ବର୍ଷ ପରେ ସେପ୍ଟେମ୍ବରରେ ଉଭୟଙ୍କ ମଧ୍ୟରେ ପ୍ରଥମ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଥିଲା । ଏଥିରେ ହୁତି ଯୋଦ୍ଧାମାନେ ପ୍ରାଧାନ୍ୟ ବିସ୍ତାର କରିଥିଲେ । ହୁତିମାନେ ଗୋଟିଏ ପଟେ ସାଉଦି ସମର୍ଥିତ ୟେମେନ ସରକାରୀ ସୈନ୍ୟ ବିରୁଦ୍ଧରେ ସ୍ଥଳ ଯୁଦ୍ଧ ଲଢ଼ୁଥିବା ବେଳେ ରିୟାଦ ଏବଂ ଅନ୍ୟାନ୍ୟ ସହର ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରୁଛନ୍ତି ।