ନୂଆଦିଲ୍ଲୀ: ଇଟାଲୀୟ ଭିଜୁଆଲ୍ ଆର୍ଟିଷ୍ଟ ମୌରିଜିଓ କାଟେଲାନଙ୍କ ଦ୍ୱାରା ନିର୍ମିତ ମାଷ୍ଟରପିସ୍ "କମେଡିଆନ୍" ଫ୍ରାନ୍ସର ସେଣ୍ଟର ପମ୍ପିଡୋ-ମେଟ୍ଜ ସଂଗ୍ରହାଳୟରୁ ଚୋରି ହୋଇଯାଇଛି । ୬.୨ ମିଲିୟନ ଡଲାର ମୂଲ୍ୟର ଚର୍ଚ୍ଚିତ 'କଦଳୀ' କଳାକୃତି (ଆର୍ଟୱର୍କ) ପୁଣିଥରେ ଚୋରି ହୋଇଯାଇଛି । କଦଳୀକୁ ଗୋଟିଏ ସିଲଭର ଟ୍ୟାପ୍ ସହ କାନ୍ଥରେ ଲଗାଯାଇଥାଏ । ଗତ ଶନିବାର ମ୍ୟୁଜିୟମର ଜଣେ ସୁରକ୍ଷାକର୍ମୀ କାନ୍ଥରେ କଦଳୀଟି ନଥିବା ଦେଖିବାକୁ ପାଇଥିଲେ । ଏହି ଘଟଣା ପରେ ମ୍ୟୁଜିୟମ କର୍ତ୍ତୃପକ୍ଷ ଚୋରି ଅଭିଯୋଗରେ ସ୍ଥାନୀୟ ପୋଲିସ ନିକଟରେ ଏକ ଅପରାଧିକ ମାମଲା ଦାୟର କରିଛନ୍ତି ।

ଏହି କଦଳୀକୁ ପୂର୍ବରୁ ଅତିକମରେ ଚାରିଥର ବିଭିନ୍ନ ଦର୍ଶକଙ୍କ କାନ୍ଥରୁ ବାହାର କର ଖାଇବାକୁ ଉଦ୍ୟମ କରିଥିଲେ । ଗତ ବର୍ଷ ଜୁଲାଇ ମାସରେ ମଧ୍ୟ ଜଣେ ପର୍ଯ୍ୟଟକ ଏହାକୁ ଖାଇ ଦେଇଥିଲେ, କିନ୍ତୁ ସେତେବେଳେ ମ୍ୟୁଜିୟମ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି କେବଳ କଦଳୀଟିକୁ ବଦଳାଇ ଦେଇଥିଲା । ଚୀନ୍ ଜନ୍ମିତ କ୍ରିପ୍ଟୋ ପ୍ରତିଷ୍ଠାତା ଜଷ୍ଟିନ୍ ସନ୍ ୨୦୨୪ରେ ୬.୨ ନିୟୁତ ଡଲାରରେ ଏହି ଆର୍ଟୱର୍କକୁ କିଣିଥିଲେ ଏବଂ ତା'ପରେ କ୍ୟାମେରା ସାମ୍ନାରେ ଖାଇ ଥିଲେ । ସେହି ସମୟରେ ଏହା ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ମ୍ୟୁଜିୟମର ନିର୍ଦ୍ଦେଶିକା ଚିଆରା ପାରିସିଙ୍କ ସୂଚନା ଅନୁଯାୟୀ, ପୂର୍ବରୁ ଯେଉଁମାନେ ଏହାକୁ ଖାଇଥିଲେ ସେମାନେ ସାମ୍ନାକୁ ଆସି ନିଜର ଦୋଷ ସ୍ୱୀକାର କରିଥିଲେ । କିନ୍ତୁ ଏଥର କଦଳୀଟିକୁ କିଏ ଚୋରି କରି ନେଇଛି ତାହା ଜଣାପଡ଼ିନାହିଁ । ଏହା କଳା ପ୍ରତି ଏକ ଅସମ୍ମାନ ହୋଇଥିବାରୁ ମ୍ୟୁଜିୟମ ଏଥର ଆଇନଗତ ଲଢ଼େଇ କରିବାକୁ ନିଷ୍ପତ୍ତି ନେଇଛି ।

ଉଲ୍ଲେଖଯୋଗ୍ୟ, ଏହି କଳାକୃତିକୁ ସତେଜ ରଖିବା ପାଇଁ ପ୍ରତି ତିନି ଦିନରେ ଏହି କଦଳୀକୁ ବଦଳାଯାଇ ନୂଆ କଦଳୀ ଲଗାଯାଏ । ମ୍ୟୁଜିୟମ କର୍ତ୍ତୃପକ୍ଷ ଚୋରି ପରେ ସଙ୍ଗେ ସଙ୍ଗେ ସେଠାରେ ଏକ ନୂଆ କଦଳୀ ଲଗାଇ ଦେଇଛନ୍ତି । ଏହି କଳାକୃତିଟି ଏକ 'କନ୍ସେପ୍ଟୁଆଲ୍ ଆର୍ଟ' ହୋଇଥିବାରୁ, ଏହାର ମାଲିକ ତଥା କ୍ରିପ୍ଟୋ ବ୍ୟବସାୟୀ ଜଷ୍ଟିନ ସନ୍ ଏହାକୁ ପ୍ରଦର୍ଶନ କରିବାର ପ୍ରମାଣପତ୍ର ଓ ନିର୍ଦ୍ଦେଶାବଳୀ କିଣିଛନ୍ତି । ତେଣୁ ଚୋର କେବଳ ଗୋଟିଏ ସାଧାରଣ କଦଳୀ ଚୋରି କରିଛି, କୋଟି କୋଟି ଟଙ୍କାର ପ୍ରକୃତ କଳାକୃତିକୁ ନୁହେଁ ।