ନୂଆଦିଲ୍ଲୀ: ଦେଶରେ ଇଞ୍ଜିନିୟରିଂ ଶିକ୍ଷାର ମାନଦଣ୍ଡ ବଜାୟ ରଖିବା ପାଇଁ 'ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍' (AICTE) ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ୨୦୨୫-୨୬ ଶିକ୍ଷା ବର୍ଷରେ ସାରା ଦେଶରେ ମୋଟ ୫୮ଟି ଇଞ୍ଜିନିୟରିଂ ଓ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ କରିଦିଆଯାଇଛି।

ବନ୍ଦ ହେବାର କାରଣ?

AICTE ଅଧିକାରୀଙ୍କ ସୂଚନା ଅନୁଯାୟୀ, କଲେଜଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଆଶାନୁରୂପ ନଥିଲା। ଆବଶ୍ୟକ ସଂଖ୍ୟକ ଯୋଗ୍ୟ ଅଧ୍ୟାପକଙ୍କ ଅଭାବ। ଭିତ୍ତିଭୂମିର ଅଭାବ ଏବଂ ଅପରେସନାଲ୍ ନିୟମାବଳୀ ପାଳନ ନ କରିବା।ଏହା ଏକ ସମ୍ପୂର୍ଣ୍ଣ ବନ୍ଦ ନୁହେଁ, ବରଂ 'ପ୍ରୋଗ୍ରେସିଭ୍' କ୍ଲୋଜର। ଏହାର ଅର୍ଥ ବର୍ତ୍ତମାନ ପଢ଼ୁଥିବା ଛାତ୍ରଛାତ୍ରୀମାନେ ନିଜର ଶିକ୍ଷା ସମାପ୍ତ କରିପାରିବେ। କିନ୍ତୁ କଲେଜଗୁଡ଼ିକ ନୂତନ ଶିକ୍ଷା ବର୍ଷ ପାଇଁ ପ୍ରଥମ ବର୍ଷରେ ନୂଆ ଛାତ୍ରଛାତ୍ରୀ ନାମଲେଖା କରିପାରିବେ ନାହିଁ।

କେଉଁ ରାଜ୍ୟରେ କେତୋଟି କଲେଜ ବନ୍ଦ ହୋଇଛି?

ସର୍ବାଧିକ କଲେଜ ବନ୍ଦ ହୋଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ରହିଛି, ଯେଉଁଠାରେ ୧୨ଟି ଲେଖାଏଁ କଲେଜ ବନ୍ଦ ହୋଇଛି। ଏହାପରେ ମଧ୍ୟପ୍ରଦେଶରେ ୮ଟି, ତେଲେଙ୍ଗାନାରେ ୪ଟି ଏବଂ ପଞ୍ଜାବରେ ୪ଟି କଲେଜ ବନ୍ଦ ହୋଇଛି। ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନରେ ୩ଟି ଲେଖାଏଁ, ଏବଂ ଗୁଜୁରାଟ, କର୍ଣ୍ଣାଟକ, ପୁଣେ ଓ ତାମିଲନାଡୁରେ ୨ଟି ଲେଖାଏଁ କଲେଜ ବନ୍ଦ ହୋଇଛି। ଏହାବ୍ୟତୀତ ହରିୟାଣା, ଓଡ଼ିଶା, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଗୋଟିଏ ଲେଖାଏଁ ଅନୁଷ୍ଠାନ ବନ୍ଦ କରାଯାଇଛି।

ଏହି ୫୮ଟି ଅନୁଷ୍ଠାନ ମଧ୍ୟରୁ ମାତ୍ର ୩ଟି ସରକାରୀ ସହାୟତାପ୍ରାପ୍ତ ଥିବାବେଳେ ବାକି ସମସ୍ତ ବେସରକାରୀ। ଏହା ବ୍ୟତୀତ ସାରା ଦେଶରେ ପ୍ରାୟ ୯୫୦ରୁ ଅଧିକ ବୈଷୟିକ ପାଠ୍ୟକ୍ରମ ମଧ୍ୟ ବନ୍ଦ କରାଯାଇଛି। AICTE ର ଏହି ନିଷ୍ପତ୍ତି ଶିକ୍ଷାର ମାନକୁ ସୁଧାରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି।