ନୂଆଦିଲ୍ଲୀ,୧୨|୦୬:ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗାଁ ଲୋକଙ୍କ ଉପରେ ମାଡ଼ିଗଲା ଏସୟୁଭି । ଜୀବନ ହାରିଲେ ୫ ବ୍ୟକ୍ତି । ଏହାସହ ୪ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ମାହୋଲ ଖେଳିଯାଇଛି ।

ରିପୋର୍ଟ ଅନୁସାରେ, ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲା ଦେଇ ଯାଇଥିବା ଗୋଣ୍ଡା-ଲକ୍ଷ୍ନୌ ଜାତୀୟ ରାଜପଥରେ ଏହି ଅଘଟଣ ଘଟିଛି । ପୋଲିସ କହିଛି ଯେ, ରାସ୍ତାରେ ସଞ୍ଜୟ ତିଓ୍ୱାରୀ ନାମକ ଜଣେ ବାଇକ୍ ଆରୋହୀଙ୍କୁ ଏକ ଗାଡି ଧକ୍କା ଦେଇଥିଲା । ସେ ରାସ୍ତା କଡରେ ପଡିଯାଇଥିଲା । ଏହା ଦେଖି ଆଖପାଖର ଲୋକେ ତାଙ୍କୁ ଉଠାଇବାକୁ ଚେଷ୍ଟା କରୁଥିଲେ ।

Also Read :-ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେବା ଘଟଣାରେ ଆକ୍ସନ୍‌, ୨ ଅବକାରୀ ଅଧିକାରୀଙ୍କୁ ନିଲମ୍ବିତ କଲେ ଅବକାରୀ କମିଶନର

ଏହି ସମୟରେ ଦିଲ୍ଲୀରେ ରେଜିଷ୍ଟ୍ରେସନ୍ ହୋଇଥିବା ଏକ ଏସୟୁଭି ଦ୍ରୁତ ଗତିରେ ଆସିଥିଲା । ଏସୟୁଭି ରାସ୍ତାରେ ଠିଆ ହୋଇଥିବା ଗାଁ ଲୋକଙ୍କ ଉପରେ ଚଢିଯାଇଥିଲା । ଏହାର ବେଗ ଏତେ ଅଧିକ ଥିଲା ଯେ ଗାଡିଟି ଡିଭାଇଡର ଡେଇଁ ରାସ୍ତାର ଅପରପାର୍ଶ୍ୱକୁ ମଧ୍ୟ ଚାଲି ଯାଇଥିଲା ।

କୁହାଯାଉଛି ଯେ, ଘଟଣାସ୍ଥଳରେ ୯ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଜଣା ଗାଡି ଧକ୍କାରେ ଆହତ ହୋଇଥିବା ସଞ୍ଜୟ ମଧ୍ୟ ରହିଛନ୍ତି । ସେହିପରି ଜଣେ ୧୦ ବର୍ଷର ଶିଶୁ ଆହତ ହୋଇଛି ।

ଘଟଣାର ଖବର ପାଇ ପୋଲିସ ପହଁଚିଥିଲା । ମୃତାହତ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।