ଭୁବନେଶ୍ବର ୨୭।୧: ଭୁବନେଶ୍ବର ଉପକଣ୍ଠରେ ବୋମା ବିସ୍ଫୋରଣ । ରାଜଧାନୀ ସୁନ୍ଦରପଦା ନିୟୁ ଆଜାଦ୍ ନଗରରେ ଛାତ ଉପରେ ବୋମା ବିସ୍ଫୋରଣ ହୋଇଛି । ବୋମା ଭିଡ଼ିବା ବେଳେ ବିସ୍ଫୋରଣ ହୋଇଥିବା ଜଣାପଡିଛି । ବୋମା ବିସ୍ଫୋରଣରେ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ତିନି ଜଣ ମହିଳା ଥିବା ଜଣାପଡିଛି । ଘଟଣାସ୍ଥଳରେ ଏୟାରଫିଲ୍ଡ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିବା ୪ ଆହତଙ୍କୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତରଣ କରାଯାଇଛି ।  କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିବା ଆହତଙ୍କ ମଧ୍ୟରେ ଅଛନ୍ତି ସାହିଲ ଖାନ୍, ସାହାଜାନ ମଲ୍ଲିକ, ତୃପ୍ତିମୟୀ ବଳ ଓ ସୌମ୍ୟରଞ୍ଜନ ମୁଦୁଲି । ହସ୍ପିଟାଲରେ ପଞ୍ଜିକୃତ ନାମ ଅନୁସାରେ ଏମାନଙ୍କ ପରିଚୟ ହସ୍ତଗତ ହୋଇଛି ।ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କଲେ ଭୁବନେଶ୍ୱର ଡିସିପି । ଘଟଣାରେ ଘରେ ରହୁଥିବା ସାହାନାଜ ଅଲ୍ଲୀ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ । ସାହାନାଜ ଅଲ୍ଲୀ ନାଁରେ ହତ୍ୟା, ବିସ୍ଫୋରଣ, ଗଣ୍ଡଗୋଳ ଭଳି ବିଭିନ୍ନ ଥାନାରେ ଅନେକ ମାମଲା ରହିଛି । ଯାହାକୁ ନେଇ ଖୋଳତାଡ଼ କରୁଛି ପୋଲିସ । ତାଙ୍କ ନାଁରେ କମିସନରେଟ ପୋଲିସ ଅଞ୍ଚଳରେ ୬ରୁ ଅଧିକ ମାମଲା ରହିଛି । ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସାହାନାଜ, ତାଙ୍କ ମା', ବାନ୍ଧବୀ ଏବଂ ସାଙ୍ଗ ଅମୀୟ ମଲିକ ଆହତ ହୋଇଛନ୍ତି । ଅପରାଧ ଘଟାଇବାକୁ ଭଡାରେ ଘର ନେଇ ବୋମା ତିଆରି କରୁଥିଲେ । ଘର ମାଲିକଙ୍କୁ ପଚରା ଉଚରା କରୁଛି ପୋଲିସ ।