ନୂଆଦିଲ୍ଲୀ ୨୬।୦୩; ଆଜିକାଲି ଅନେକ ସମ୍ପର୍କରେ ବ୍ରେକ୍ ଅପ୍ ହେବା ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇପଡିଲାଣି । ପରେ ଭାଙ୍ଗିଯାଇଥିବା ହୃଦୟକୁ ସାଉଁଟିବା ସହ ସେହି ସମ୍ପର୍କ ଠାରୁ ନିଜକୁ ଦୂରକୁ ନେବା ଖୁବ୍ ଜରୁରି । ଚାଲନ୍ତୁ ଜାଣିବା ବ୍ରେକ୍ଅପ୍ ପରେ କେମିତି କରିପାରିବେ ମୁଭ୍ ଅନ୍ ।

ଭାବନାକୁ ସ୍ୱୀକାର କରନ୍ତୁ: ପ୍ରାୟ ଲୋକ ବ୍ରେକ୍ ଅପ୍ ପରେ ନିଜକୁ ମଜବୁତ ଦେଖାଇ ହେବାର ପ୍ରୟାସ କରବା ସହ ଦୁଃଖକୁ ନିଜ ଭିତରେ ଚାପି ରଖିଥାନ୍ତି । ଏପରି କରିବା ଦ୍ୱାରା ହିଲିଂ ପ୍ରକ୍ରିୟା ଲମ୍ବା ସମୟ ଯାଏ ଚାଲିଥାଏ । ତେଣୁ ନିଜର ଭାବନାକୁ ଆପଣାନ୍ତୁ । ଯଦି ଆପଣଙ୍କୁ ରାଗ ଲାଗୁଛି, ଦୁଃଖ ଲାଗୁଛି, ତେବେ ଏହାକୁ ଅନୁଭବ କରନ୍ତୁ । ଭାବନାକୁ ବାହାରକୁ ବାହାର କରନ୍ତୁ । ମନର ଦୁଃଖ ଓ କଷ୍ଟକୁ ଅନ୍ୟ ଆଗରେ ପ୍ରକାଶ କରିବା ଅପେକ୍ଷା ଡାଏରୀରେ ଲେଖନ୍ତୁ । ନିଜର ସମସ୍ୟାକୁ କାଗଜରେ ଲେଖିବା ଦ୍ୱାରା ମନର ବୋଝ ହାଲ୍କା ହୋଇଥାଏ । 

ନୋ କଣ୍ଟାକ୍ ରୁଲ୍ ଆପଣାନ୍ତୁ: ବ୍ରେକ୍ ଅପ୍ ପରେ ତୁରନ୍ତ ବନ୍ଧୁତାର ହାତ ବଢାନ୍ତୁ ନାହିଁ । ସମ୍ପର୍କରେ ରହିବା ଦ୍ୱାରା ବାରମ୍ବାର ପୂର୍ବ ପ୍ରେମ ମନେ ପଡିବା ସହ କଷ୍ଟ ହୋଇଥାଏ । ତେଣୁ ବ୍ରେକ୍ ଅପ୍ ପରେ ସୋସିଆଲ୍ ମିଡିଆରେ ଅନ୍ଫଲୋ ବା ମ୍ୟୁଟ୍ କରିଦିଅନ୍ତୁ । ପୁରୁଣା ଚାଟ୍କୁ ମୋବାଇଲ୍ରୁ ହଟାଇ ଦିଅନ୍ତୁ । ୩୦ରୁ ୬୦ ଦିନ ପାଇଁ କୌଣସି ସମ୍ପର୍କରେ ନ ରହିବା ବରଂ ଭଲ । ଏହି ସମୟରେ ପ୍ରେମ ସମ୍ପର୍କଠାରୁ ଦୂରେଇ ରହି ନିଜକୁ ଧ୍ୟାନ ଦିଅନ୍ତୁ । 

ନିଜର ରୁଟିନ୍ ଓ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ: ମନ ଦୁଃଖ ରହିଲେ ପ୍ରାୟ ଲୋକ ଖାଦ୍ୟପାନୀୟ ଓ ଠିକ୍ ସମୟରେ ଶୋଇବା ଛାଡ଼ି ଦେଇଥାନ୍ତି । କିନ୍ତୁ ଏକ ସୁସ୍ଥ ଶରୀର ହିଁ ଏକ ସୁସ୍ଥ ମସ୍ତିଷ୍କର ଆଧାର ହୋଇଥାଏ । ଚାଲିବାକୁ ଯାଆନ୍ତୁ, ଜିମ୍ ବା ବ୍ୟାୟାମ କରନ୍ତୁ । ବ୍ୟାୟାମ କରିବା ଦ୍ୱାରା ଶରୀରରୁ ଏଣ୍ଡୋର୍ଫିନ୍ ହର୍ମୋନ୍ କ୍ଷରଣ ହୋଇଥାଏ । ଏହି ହାପି ହର୍ମୋନ୍ ବ୍ରେକ୍ ଅପ୍ ପରେ ଭଙ୍ଗା ହୃଦୟକୁ ସାଉଁଟିବା ସହ ନିଜକୁ ହିଲ୍ କରିବା ଦିଗରେ ଖୁବ୍ ସକାରାତ୍ମକ କାମ କରିଥାଏ । ଏହା ସହିତ ଦିନକୁ ୭/୮ ଘଣ୍ଟା ଶୋଇବାକୁ ପ୍ରୟାସ କରନ୍ତୁ । 

ନିଜ ସହ ଯୋଡ଼ି ହୁଅନ୍ତୁ: ସମ୍ପର୍କରେ ରହିବା ପରେ ଆମେ ପ୍ରାୟତଃ ନିଜ ପସନ୍ଦ- ନାପସନ୍ଦ ଭୁଲି ସାଥୀ ଅନୁସାରେ ପରିଚାଳିତ ହୋଇଥାଏ । ବ୍ରେକ୍ ଅପ୍ ପରେ ପୁର୍ନବାର ନିଜକୁ ଖୋଜିବାର ସୁଯୋଗ ମିଳିଥାଏ । ପୁରୁଣା ଅଭ୍ୟାସକୁ ଆରମ୍ଭ କରନ୍ତୁ । ମୁଭି ଯାଆନ୍ତୁ, ନୂଆ ସ୍କିଲ୍ ଶିଖନ୍ତୁ । ନିଜ ସହ ସମୟ ବିତାନ୍ତୁ । 

ସାହାଯ୍ୟ ମାଗିବାକୁ ଡରନ୍ତୁନି: ଏକଲା ମଣିଷ ଅନେକ ସମୟରେ ଭୁଲ୍ ବାଟରେ ଚାଲିଯାଇଥାଏ । ଯଦି ଆପଣ କେବେ ଏମିତି ଅନୁଭବ କରୁଥାନ୍ତି, ତେବେ ସମ୍ପର୍କୀୟଙ୍କ ସହଯୋଗ ନିଅନ୍ତୁ । ସେମାନଙ୍କ ସହ ସମୟ ବିତାନ୍ତୁ, ଯେଉଁମାନେ ଆପଣଙ୍କୁ ଭଲ ପାଆନ୍ତି । ଯଦି କୌଣସି ଦୁଃଖ ଆପଣଙ୍କ ନିୟମିତ ଜୀବନକୁ ପ୍ରଭାବିତ କରୁଥାଏ, ତେବେ ଥେରାପିଷ୍ଟଙ୍କ ସହାୟତା ନିଅନ୍ତୁ ।

Also Read-୨୦୫୦ ସୁଦ୍ଧା ଅଳସୁଆ ହୋଇଯିବେ ଭାରତୀୟ ! ଖରା ଉତ୍ତାପରୁ ବଢିବ ହୃଦଘାତ-ମଧୁମେହ