ନୂଆଦିଲ୍ଲୀ: ଇଂଲଣ୍ଡର ଏକ କ୍ରିକେଟ୍ କ୍ଲବ୍ ଟି-୨୦ କ୍ରିକେଟରେ ରନର ପାହାଡ଼ ଛିଡ଼ା କରି ଏକ ନୂଆ ଇତିହାସ ରଚିଛି । ଚୌକା ଓ ଛକାର ବର୍ଷା କରି ଏହି ଦଳ ମାତ୍ର ୨୦ ଓଭରରେ ୪୧୭ ରନ୍ ସଂଗ୍ରହ କରିଛି । ଏହା ଏହି ଫର୍ମାଟ୍ର ସର୍ବୋଚ୍ଚ ସ୍କୋର ବୋଲି କୁହାଯାଉଛି । ଇଂଲଣ୍ଡର ଡମ୍ବଲଟନ୍ କ୍ରିକେଟ୍ କ୍ଲବ୍ ମାତ୍ର ୨ ଉଇକେଟ୍ ହରାଇ ଏହି ବିଶ୍ୱ ରେକର୍ଡ କରିଛି । ଦଳର ଓପନର୍ ଇଭାନ୍ ଗେଗ୍ ମାତ୍ର ୫୫ ବଲରେ ୨୦୬ ରନର ଏକ ବିସ୍ଫୋରକ ଅପରାଜିତ ଦ୍ୱିଶତକୀୟ ପାରି ଖେଳିଛନ୍ତି ।

ଯଦି ଟି-୨୦ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ କଥା କହିବା, ତେବେ ସର୍ବୋଚ୍ଚ ସ୍କୋରର ରେକର୍ଡ ଜିମ୍ବାୱେ ନାମରେ ରହିଛି । ଜିମ୍ବାୱେ ୨୩ ଅକ୍ଟୋବର ୨୦୨୪ରେ ଗାମ୍ବିଆ ବିପକ୍ଷରେ ୩୪୪/୪ ସ୍କୋର କରିଥିଲା । ସେହିପରି ଭାରତୀୟ ଘରୋଇ କ୍ରିକେଟରେ ବଦୋଦରା ୫ ଡିସେମ୍ବର ୨୦୨୪ରେ ସିକିମ୍ ବିପକ୍ଷରେ ୩୪୯/୫ ରନ କରିଥିଲା ।

ପ୍ରିମିୟର ୱାନ୍ ଟପ୍ ଟିୟର୍ ଡିଭିଜନ୍ ମ୍ୟାଚ୍ରେ ଡମ୍ବଲଟନ୍ କ୍ରିକେଟ୍ କ୍ଲବ୍, ହେଦରଲି ଆଣ୍ଡ ରେଡିଙ୍ଗସ୍ କ୍ଲବ୍ ବିପକ୍ଷରେ ଏହି କାରନାମା କରିଛି । ଇନିଂସରେ ମୋଟ ୬୯ଟି ବାଉଣ୍ଡ୍ରି (୨୨ଟି ଚୌକା ଏବଂ ୪୭ଟି ଛକା) ମରାଯାଇଥିଲା । ଡମ୍ବଲଟନ୍ ଦଳ କେବଳ ବାଉଣ୍ଡ୍ରି ଜରିଆରେ ୩୭୦ ରନ୍ ସଂଗ୍ରହ କରିଥିଲା । ଏହି ମ୍ୟାଚକୁ ଦଳ ୧୮୮ ରନର ବଡ଼ ବ୍ୟବଧାନରେ ଜିତିନେଇଛି । ୪୧୮ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ହେଦରଲି ଆଣ୍ଡ ରେଡିଙ୍ଗସ୍ ଦଳ ୨୨୯ ରନର ଅଲଆଉଟ୍ ହୋଇଯାଇଥିଲା ।

ଏହି ଐତିହାସିକ ମ୍ୟାଚରେ ମୋଟ ୩ଟି ଶତକ ଦେଖିବାକୁ ମିଳିଥିଲା । ଦୁଇଟି ଶତକ ଡମ୍ବଲଟନ୍ ପକ୍ଷରୁ ହୋଇଥିଲା । ଓପନର୍ ଇଭାନ୍ ଗେଗ୍ ୫୫ ବଲରେ ୧୩ଟି ଚୌକା ଓ ୨୩ଟି ବିଶାଳ ଛକା ସହାୟତାରେ ଅପରାଜିତ ୨୦୬ ରନ୍ କରିଥିଲେ । ତାଙ୍କ ସାଥୀ ଖେଳାଳି ଡେନ୍ ହଲ୍ୟାଣ୍ଡ ମାତ୍ର ୩୭ ବଲରେ ୧୨୨ ରନ କରିଥିଲେ । ଅନ୍ୟପଟେ ହେଦରଲି ଆଣ୍ଡ ରେଡିଙ୍ଗସ୍ ପକ୍ଷରୁ ହ୍ୟାରୀ ବ୍ଲୁମଫିଲ୍ଡ ୪୮ ବଲରେ ୧୦୯ ରନର ଶତକୀୟ ପାରି ଖେଳିଥିଲେ ।