ନୂଆଦିଲ୍ଲୀ: ୧୮ତମ BRICS ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆୟୋଜନ କରିଥିବା ଗାଲା ଡିନରରେ ବିରୋଧୀ ଶାସିତ ରାଜ୍ୟର ୪ ଜଣ ମୁଖ୍ୟମନ୍ତ୍ରୀ ଯୋଗ ଦେଇନାହାନ୍ତି। ସେପ୍ଟେମ୍ବର ୧୩ରେ ଆୟୋଜିତ ଏହି ଡିନରରେ ବିଜେପି ଓ ଏହାର ସହଯୋଗୀ ଦଳ ଶାସିତ ରାଜ୍ୟର ଅନେକ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିବା ବେଳେ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତି ଚର୍ଚ୍ଚାର ବିଷୟ ହୋଇଛି। ‘ଟାଇମ୍ସ ଅଫ୍ ଇଣ୍ଡିଆ’ ରିପୋର୍ଟ ଅନୁସାରେ, ବିରୋଧୀ ଦଳ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଡିନର ପାଇଁ ନିମନ୍ତ୍ରଣ କରାଯାଇଥିଲା। ହେଲେ ସେମାନେ ଏଥିରେ ଯୋଗ ଦେଇନଥିଲେ।

କେଉଁ କେଉଁ ମୁଖ୍ୟମନ୍ତ୍ରୀ ଆସିଲେନି?

ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ବିଦେଶରେ ଥିବାରୁ ଡିନରରେ ଯୋଗ ଦେଇପାରିନଥିଲେ। ଏହା ବ୍ୟତୀତ ତିନି ଜଣ କଂଗ୍ରେସ ମୁଖ୍ୟମନ୍ତ୍ରୀ ମଧ୍ୟ ଅନୁପସ୍ଥିତ ରହିଥିଲେ। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ସେପ୍ଟେମ୍ବର ୧୨ରେ ନିମନ୍ତ୍ରଣ ଗ୍ରହଣ କରିଥିଲେ। କିନ୍ତୁ ପରେ ‘ଅନିବାର୍ଯ୍ୟ ପରିସ୍ଥିତି’ ଯୋଗୁ ସେ ଆସିପାରିବେ ନାହିଁ ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରକୁ ଜଣାଇ ଦିଆଯାଇଥିଲା। କେରଳ ମୁଖ୍ୟମନ୍ତ୍ରୀ ଭି.ଡି. ସତୀଶନ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ମଧ୍ୟ ଡିନରରେ ଯୋଗ ଦେଇନଥିଲେ। ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଏହି ଡିନର ପାଇଁ ନିମନ୍ତ୍ରଣ କରାଯାଇନଥିଲା। ହିମାଚଳ ପ୍ରଦେଶ ଓ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିନଥିଲା।

ଡିନରରେ ଯୋଗ ଦେଇଥିଲେ ଏହି ନେତା

BRICS ଦେଶଗୁଡ଼ିକର ରାଷ୍ଟ୍ରମୁଖ୍ୟ ଓ ସରକାର ମୁଖ୍ୟଙ୍କ ସହ କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ଓ ସହଯୋଗୀ ଦଳ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଡିନରରେ ସାମିଲ ହୋଇଥିଲେ। ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ, ଉତ୍ତରାଖଣ୍ଡର ପୁଷ୍କର ସିଂହ ଧାମୀ, ହରିୟାଣାର ନାୟବ ସିଂହ ସୈନୀ, ରାଜସ୍ଥାନର ଭଜନଲାଲ ଶର୍ମା, ମଧ୍ୟପ୍ରଦେଶର ମୋହନ ଯାଦବ, ଆସାମର ହିମନ୍ତ ବିଶ୍ୱ ଶର୍ମା, ପଶ୍ଚିମବଙ୍ଗର ସୁଭେନ୍ଦୁ ଅଧିକାରୀ, ଦିଲ୍ଲୀର ରେଖା ଗୁପ୍ତା, ମହାରାଷ୍ଟ୍ରର ଦେବେନ୍ଦ୍ର ଫଡନାଭିସ ଓ ଗୁଜରାଟର ଭୂପେନ୍ଦ୍ର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।

Also Read- ଆମେରିକାକୁ ଲାଭ ଦେବାକୁ ପୁଣିଥରେ ବୁଝାମଣା କଲେ କି ମୋଦୀ ? କେନ୍ଦ୍ର ସରକାରଙ୍କ UPI ନିଷ୍ପତ୍ତିରେ ରାହୁଲଙ୍କ ପ୍ରଶ୍ନ

ଗୃହମନ୍ତ୍ରୀ ଅମିତ ଶାହ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ମଧ୍ୟ ଡିନରରେ ଯୋଗ ଦେଇଥିଲେ। ତେବେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ରିସେପସନରେ ଯୋଗ ଦେଇନଥିଲେ। ସେ ହୋଟେଲକୁ ଫେରି ବିଶ୍ରାମ ନେଇଥିବା ଜଣାପଡ଼ିଛି।

ନୂଆ ନୁହେଁ ବିରୋଧୀ ନେତାଙ୍କ ଅନୁପସ୍ଥିତି

ସରକାରୀ କାର୍ଯ୍ୟକ୍ରମରେ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତି ଏହା ପ୍ରଥମ ଘଟଣା ନୁହେଁ। ୨୦୨୩ ମସିହାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆୟୋଜିତ G20 ଗାଲା ଡିନରରେ ମଧ୍ୟ କର୍ଣ୍ଣାଟକର ସିଦ୍ଧରମୈୟା, ତେଲଙ୍ଗାନାର କେ. ଚନ୍ଦ୍ରଶେଖର ରାଓ, କେରଳର ପିନରାୟି ବିଜୟନ, ଓଡ଼ିଶାର ନବୀନ ପଟ୍ଟନାୟକଙ୍କ ସମେତ ଅନେକ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ ଥିଲେ।

ସରକାରୀ ସୂତ୍ର ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିକୁ ‘ଦୁର୍ଭାଗ୍ୟଜନକ’ ବୋଲି କହିଥିବା ବେଳେ, ଏହି ଘଟଣା ପୁଣିଥରେ କେନ୍ଦ୍ର-ବିରୋଧୀ ଦଳ ମଧ୍ୟରେ ରାଜନୈତିକ ଦୂରତାକୁ ନେଇ ଚର୍ଚ୍ଚା ବଢ଼ାଇଛି।

ଭାରତର ୨୦୨୬ BRICS ଅଧ୍ୟକ୍ଷତା ଅଧୀନରେ ଆୟୋଜିତ ଏହି ସମ୍ମିଳନୀରେ ବହୁପକ୍ଷୀୟ ବ୍ୟବସ୍ଥା, ବିଶ୍ୱ ଶାସନରେ ସଂସ୍କାର, ସପ୍ଲାଏ ଚେନ୍ ସୁଦୃଢ଼ୀକରଣ, ଜଳବାୟୁ ଅର୍ଥ ଏବଂ ଡିଜିଟାଲ ସହଯୋଗ ଭଳି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।