ନୂଆଦିଲ୍ଲୀ: ଭାରତରେ ପୁରୁଷ ହିଂସାର ସାଂଘାତିକ ଚିତ୍ର ସାମନାକୁ ଆସିଛି। ସ୍ୱାମୀ ହତ୍ୟା ଏବଂ ବୈବାହିକ ବିବାଦ ଜନିତ ପୁରୁଷ ଆତ୍ମହତ୍ୟାର ବୃଦ୍ଧି ପାଉଥିବା ଘଟଣାକୁ ନେଇ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ କରିଛି ଗୁରୁଗ୍ରାମ୍ ସ୍ଥିତ ବେସରକାରୀ ସଂସ୍ଥା ଏକମ୍ ନ୍ୟାୟ ଫାଉଣ୍ଡେସନ୍। ୨୦୨୬ ବର୍ଷର ପ୍ରଥମ ୬ ମାସ (୧୪ ଜୁଲାଇ ୨୦୨୬ ପର୍ଯ୍ୟନ୍ତ) ଗଣମାଧ୍ୟମରେ ପ୍ରକାଶିତ ଓ ଘଟଣାଗୁଡ଼ିକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ରିପୋର୍ଟ ଅନୁସାରେ, ୨୦୨୬ର ପ୍ରଥମ ୬ ମାସ ମଧ୍ୟରେ ଦେଶବ୍ୟାପୀ ମୋଟ ୫୫୪ଟି ମାମଲା ସାମ୍ନାକୁ ଆସିଛି।

ସ୍ୱାମୀ ହତ୍ୟା ନେଇ ୩୨୨ଟି ମାମଲା ହୋଇଥିବା ବେଳେ ସ୍ୱାମୀ ଆତ୍ମହତ୍ୟା ୨୩୨ଟି ମାମଲା ରହିଛି। ଫାଉଣ୍ଡେସନ୍ ଅନୁସାରେ ଏହି ଆକଳନ କେବଳ ଗଣମାଧ୍ୟମରେ ରିପୋର୍ଟ ହୋଇଥିବା ଘଟଣା ଉପରେ ଆଧାରିତ। ଦେଶରେ ପୁରୁଷ ଘରୋଇ ହିଂସା ପାଇଁ କୌଣସି ଅଫିସିଆଲ୍ ଡାଟାବେସ୍ ନଥିବାରୁ ପ୍ରକୃତ ସଂଖ୍ୟା ଏହାଠାରୁ ଯଥେଷ୍ଟ ଅଧିକ ହୋଇପାରେ।

୩୨୨ଟି ସ୍ୱାମୀ ହତ୍ୟା ମଧ୍ୟରୁ ୧୯୪ଟି ମାମଲାରେ ପରକୀୟା ପ୍ରୀତି (Extramarital Affairs) ମୁଖ୍ୟ କାରଣ ରହିଛି, ଅର୍ଥାତ ୬୦ ପ୍ରତିଶତ। ସ୍ୱାମୀ ଅବୈଧ ସମ୍ପର୍କର ବିରୋଧ କରିବାରୁ କିମ୍ବା ବାଧା ସାଜିବାରୁ ସ୍ତ୍ରୀ ଓ ତାଙ୍କ ପ୍ରେମିକ ମିଶି ହତ୍ୟା ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ ହୋଇଛି। ୮୮ଟି ମାମଲା ଘରୋଇ ବିବାଦ ସହ ଜଡ଼ିତ, ଯାହାକି ୨୭ ପ୍ରତିଶତ।

ବିଷ ଦେବା, ଜୀବନ୍ତ ଜାଳିଦେବା, କରେଣ୍ଟ ଲଗାଇବା, ଗଳା ଚିପିବା, ଶବକୁ ଖଣ୍ଡ ଖଣ୍ଡ କରିବା ଏବଂ ମାଟି ତଳେ ପୋତିଦେବା ଭଳି ନିଷ୍ଠୁର ଉପାୟ ଆପଣାଯାଇଛି। ଆତ୍ମହତ୍ୟା ନେଇ ୨୩୨ଟି ମାମଲା ରହିଛି। ଦୀର୍ଘଦିନର ଘରୋଇ ବିବାଦରେ ୧୦୪ଟି ମାମଲା ରହିଛି। ସ୍ତ୍ରୀ କିମ୍ବା ଶାଶୂଘର ଲୋକଙ୍କ ଦ୍ୱାରା ନିର୍ଯାତନା ୫୭ଟି ମାମଲା ରହିଛି। ପରକୀୟା ପ୍ରୀତି ଜନିତ ସମସ୍ୟା ୨୯ଟି ମାମଲା ରହିଛି।

ରାଜ୍ୟ ତାଲିକାରେ ଉତ୍ତର ପ୍ରଦେଶରେ ସବୁଠାରୁ ଅଧିକ ମାମଲା ରହିଛି। ୯୩ଟି ସ୍ୱାମୀ ହତ୍ୟା ଓ ୧୦୩ଟି ସ୍ୱାମୀ ଆତ୍ମହତ୍ୟା ମାମଲା ରୁଜୁ ହୋଇଛି। ଏହା ପଛକୁ ମଧ୍ୟ ପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ମହାରାଷ୍ଟ୍ର, ହରିୟାଣା, ବିହାର, କର୍ଣ୍ଣାଟକ ଓ ଗୁଜରାଟ ଭଳି ରାଜ୍ୟ ରହିଛନ୍ତି।

'ଏକମ୍ ନ୍ୟାୟ ଫାଉଣ୍ଡେସନ୍'ର ପ୍ରତିଷ୍ଠାତା ଦୀପିକା ନାରାୟଣ ଭାରଦ୍ୱାଜଙ୍କ କହିବା ଅନୁସାରେ ଏହି ରିପୋର୍ଟର ଉଦ୍ଦେଶ୍ୟ ପୁରୁଷ ଓ ମହିଳା ହିଂସାର ତୁଳନା କରିବା ନୁହେଁ, ବରଂ ଅଦୃଶ୍ୟ ହୋଇ ରହିଯାଉଥିବା ପୁରୁଷ ନିର୍ଯାତନା ପ୍ରତି ସମାଜ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା।

ପୁରୁଷ ଘରୋଇ ହିଂସା ପୀଡ଼ିତଙ୍କୁ ଆଇନଗତ ଓ ନୀତିଗତ ମାନ୍ୟତା ଦିଆଯାଉ।। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB) ଡାଟାରେ ସ୍ୱାମୀ ହତ୍ୟା ଓ ପୁରୁଷ ପୀଡ଼ିତଙ୍କ ପାଇଁ ସ୍ୱତନ୍ତ୍ର ବର୍ଗ ସୃଷ୍ଟି କରାଯାଉ। ପୁରୁଷଙ୍କ ପାଇଁ ଲିଙ୍ଗ-ନିରପେକ୍ଷ ସହାୟତା ପ୍ରଣାଳୀ ଏବଂ ମାନସିକ ସ୍ୱାସ୍ଥ୍ୟ ପରାମର୍ଶ ବ୍ୟବସ୍ଥା ଉପଲବ୍ଧ କରାଯାଉ।