ନୂଆଦିଲ୍ଲୀ: ପାକିସ୍ତାନ ସହ ନିକଟତମ ପ୍ରତିରକ୍ଷା ସହଯୋଗ ପରେ ଭାରତ ଉପରେ ଚାପ ପକାଇବାକୁ ଚୀନ୍ ନିଜ ରଣନୀତି ଅନୁସାରେ ବାଂଲାଦେଶର ସାମରିକ କ୍ଷମତାକୁ ମଜଭୁତ କରିପାରେ। ନିକଟରେ ଇଣ୍ଡୋନେସିଆ ନୌସେନା ଚୀନ୍ ରୁ ବାଂଲାଦେଶକୁ ୪୦୦ ଟନ ସୋଡିୟମ ପରଫ୍ଲୋରେଟ ବୋଝେଇ ନେଇଯାଉଥିବା ଜାହାଜକୁ ଜବତ କରିଛି। ଏଥିରୁ ଢାକାର ମିଜାଇଲ ପ୍ରୋଗ୍ରାମରେ ବେଜିଂର କଥିତ ଭୂମିକା ନେଇ ପ୍ରଶ୍ନ ଚିହ୍ନ ଲାଗିଛି। ଏଥିରୁ ଚୀନ୍, ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଘନିଷ୍ଠ ସାମରିକ ସହଯୋଗ ସମ୍ଭାବନା ଓ ଏଥିରୁ ଭାରତ ପାଇଁ ଉପୁଜିବାକୁ ଥିବା ସୁରକ୍ଷା ଆହ୍ୱାନ ଆଡକୁ ଧ୍ୟାନ ଆକର୍ଷଣ କରିଛି।

ଗତ ସପ୍ତାହରେ ଏକ ଅଧିକାରୀକ ଆମେରିକୀୟ ରିପୋର୍ଟରେ କୁହାଯାଇଛି ଯେ ‘ଅପରେସନ ସିନ୍ଦୂର’ କାଳରେ ଭାରତର ମୁକାବିଲା ଲାଗି ପାକିସ୍ତାନ ଉଦ୍ୟମରେ ଚୀନ୍ ତାର ସମର୍ଥନ ଦେଇଥିଲା। ରିପୋର୍ଟରେ ବେଜିଂର ସେହି ରଣନୀତି ଆଡକୁ ଇଶାରା କରାଯାଇଛି ଯେଉଁଥିରେ ସେ ସିଧା ସାମରିକ ମୁକାବିଲା ନ କରି ଭାରତକୁ ଚ୍ୟାଲେଞ୍ଜ କରିବା ଲାଗି ଇସ୍ଲାମାବାଦର ସହାୟତା କରିଥିଲା। ତେବେ ଭାରତ ଚୀନର ରଣନୈତିକ ଗୁଣାଗଣିତ ସମ୍ପର୍କରେ ଦୀର୍ଘ ସମୟରୁ ଅବଗତ ରହିଛି। ଏଣୁ ଆବଶ୍ୟକ ପଡିଲେ ଭାରତ ଉଭୟ ମୋର୍ଚ୍ଚାରେ ଯୁଦ୍ଧ ସମ୍ଭାବନା ଲାଗି ନିଜକୁ ପ୍ରସ୍ତୁତ ରଖିଛି।

ତଥାପି ଅପରେସନ ସିନ୍ଦୂର କାଳରେ ପାକିସ୍ତାନକୁ ଚୀନ୍ ଓ ତୁର୍କିରୁ ସାମରିକ ସମର୍ଥନ ମିଳିବା ସତ୍ତ୍ୱେ ଭାରତର ସାମରିକ ପ୍ରତିକ୍ରିୟା ବେଜିଂକୁ ଆହୁରି ଉପାୟ ଖୋଜିବା ଲାଗି ପ୍ରେରଣା ଦେଇଥିବା ବିଶ୍ୱାସ କରାଯାଏ। ତାଜା ମାମଲା ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ଇଣ୍ଡୋନେସିୟା ନେଭି ଚୀନ୍ ରୁ ବାଂଲାଦେଶ ଯାଉଥିବା ଏକ ଜାହାଜକୁ ଅଟକାଇଲା। ଖବରରୁ ଜଣାପଡିଛି ଯେ ଜାହାଜରୁ ୪୦୦ ଟନରୁ ଅଧିକ ସୋଡିୟମ ପରଫ୍ଲୋରେଟ ଜବତ ହୋଇଛି। ଏହା ଏକ ଇଣ୍ଡଷ୍ଟ୍ରିଆଲ ରସାୟନ ଯାହାକୁ ଅଲଗା ଅଲଗା ମେନୁଫେକ୍ଚରିଂ ପ୍ରୋସେସରେ ବ୍ୟବହାର କରାଯାଏ। ତେବେ ଏହାକୁ ବିସ୍ଫୋରକ ଓ ମିଜାଇଲ ପ୍ରୋପେଲାଣ୍ଟ ତିଆରିରେ ମଧ୍ୟ ଉପଯୋଗ କରାଯାଏ।

ରିପୋର୍ଟରେ କରାଯାଇଥିବା ଦାବି ଅନୁସାରେ ଜବତ ହୋଇଥିବା ରସାୟନିକର ମାତ୍ରା ଅନୁନ୍ୟ ୧୦୦ଟି ମିଜାଇଲର ଯନ୍ତ୍ରାଂଶ ତିଆରିରେ ବ୍ୟବହାର କରାଯାଇ ପାରିବ। ତଥାପି ଏହି କେମିକାଲର ବେସାମରିକ ଏବଂ ଔଦ୍ୟୋଗିକ ଉପଯୋଗ ମଧ୍ୟ ହୋଇ ପାରିବ। ତେବେ ଖବର ମିଳୁଛି ଯେ ଇଣ୍ଡୋନେସିୟ ଅଧିକାରୀମାନେ ଜାହାଜ ଓ ଏଥିରେ ଥିବା କାର୍ଗୋରେ ଅନେକ ତ୍ରୁଟି ଥିବାର ସନ୍ଦେହ କରିଥିଲେ। ଏହି ଜାହାଜଟି ଆଫ୍ରିକୀୟ ଦ୍ୱୀପ ଦେଶ କୋମରସରେ ପଞ୍ଜିକୃତ ଥିବା ବେଳେ ସନ୍ଦେହ କରାଯାଉଛି ଏହା ସ୍ୟାଡୋ ଫ୍ଲିଟର ଅଂଶବିଶେଷ। ଏହାର ରେଜିଷ୍ଟ୍ରେସନ ଗତ ଅକ୍ଟୋବର ମାସରେ ଶେଷ ହୋଇଯାଇଛି। ଏହା ଛଡା କାର୍ଗୋ ଡକ୍ୟୁମେଣ୍ଟରେ ମଧ୍ୟ ତ୍ରୁଟି ଥିବା ଦେଖା ଯାଇଛି।

ଖବରରୁ ଜଣା ପଡେଯେ ଏହାର କାଗଜପତ୍ରରୁ ରସାୟନିକକୁ କିଏ ବାଂଲାଦେଶର ମୋଙ୍ଗଲା ପୋର୍ଟରେ ଗ୍ରହଣ କରିବେ ତାହା ସ୍ପଷ୍ଟ ଭାବେ ଉଲ୍ଲେଖ ନାହିଁ। ଏହିସବୁ ତ୍ରୁଟି ଯୋଗୁ ଇଣ୍ଡୋନେସିୟା ନେଭି ଜାହାଜକୁ ଜବତ କରିଛି। ଏହା ପରେ ଇଣ୍ଡୋନେସିଆ ନେଭି ଜବତର ସୂଚନା ଦେବା ପାଇଁ ସାମ୍ବାଦିକ ସମ୍ମିଳନୀ କରିଥିଲା। ଏହି ଘଟଣାରୁ ଏବେ ପ୍ରଶ୍ନ ଉଠୁଛି ଯେ ଚୀନ ଗୋପନରେ ବାଂଲାଦେଶର ମିଲେଟ୍ରି ଓ ମିଜାଇଲ ଡେଭଲପମେଣ୍ଟ ପ୍ରୋଗ୍ରାମକୁ ସମର୍ଥନ କରୁନି ତ?