କାଙ୍ଗପୋକପି: ମଣିପୁର କାଙ୍ଗପୋକପି ଜିଲ୍ଲାରେ ବୁଧବାର ସଶସ୍ତ୍ର ଆକ୍ରମଣରେ ୩ଜଣ ପାଦ୍ରୀ ପ୍ରାଣ ହରାଇଛନ୍ତି। ଏହି ଆକ୍ରମଣରେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ସମୂଦାୟ ସୂତ୍ର ଅନୁସାରେ ମୃତକମାନେ ବରିଷ୍ଠ ପାଦ୍ରୀଙ୍କ ପ୍ରତିନିଧିମଣ୍ଡଳର ଏକ ଅଂଶ ଥିଲେ, ଯେଉଁମାନେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଚୁରାଚାନ୍ଦପୁରରୁ କାଙ୍ଗପୋକପି ଯାଉଥିଲେ। ସଙ୍ଗଠନ କହିଛି ଯେ ଏହି ପାଦ୍ରୀମାନେ କୁକି ଓ ନାଗା ସମୂଦାୟଙ୍କ ମଧ୍ୟରେ ଶାନ୍ତି ସ୍ଥାପନା ନିମନ୍ତେ ଉଦ୍ୟମ କରୁଥିଲେ।

କାଙ୍ଗପୋକପିରେ ହୋଇଥିବା ଆକ୍ରମଣ କାଳରେ ଥାଦୌ ବାପଟିଷ୍ଟ ଆସୋସିଏସନ (ଟିବିଏ) ଓ ୟୁନାଇଟେଡ ବାପଟିଷ୍ଟ କାଉନସିଲ (ୟୁବିସି)ର ନେତା ଥିଲେ। ଏହି ସମୂହର ନେତୃତ୍ୱ ଟିବିଏ ଅଧ୍ୟକ୍ଷ ରେଭ. ଭି.ସେଟଲହୌ ନେଉଥିଲେ। ତାଙ୍କ ସହିତ ରେଭ.ଏସ.ଏମ.ହାଓପୁ, ରେବ.ହେକାଇସିମଟେ, ରେଭ.କାଇଗୌଲୁନ, ରେଭ.ପାଓଥାଙ୍ଗ, ପାଦ୍ରୀ ପାଓଗୌ ଏବଂ ବାହନ ଚାଳକ ଗୌମାଙ୍ଗ ଥିଲେ।

କୁକି ଅର୍ଗାନାଇଜେସନ ଫର ହ୍ୟୁମ୍ୟାନ ରାଇଟସ୍ ଟ୍ରଷ୍ଟ (କେଓଏଚୟୁଆର) ଏହି ଆକ୍ରମଣକୁ ନିନ୍ଦା କରିଛି। ଟ୍ରଷ୍ଟ କହିଛି ଯେ ଏହି ଆକ୍ରମଣ ପଛରେ ଏନଏସସିଏନ-ଆଇଏମ ସଦସ୍ୟଙ୍କ ହାତ ରହିଛି। ସେମାନେ ଜେଡୟୁଏଫ ସହ ମିଶି ଏହି ଷଡ଼ଯନ୍ତ୍ର ରଚିଛନ୍ତି। ଶାନ୍ତି ଉଦ୍ୟମକୁ ଟାର୍ଗେଟ କରି ଏହା ଏକ ସୁ ପରିକଳ୍ପିତ ଷଡ଼ଯନ୍ତ୍ର ବୋଲି ଟ୍ରଷ୍ଟ ଅଭିଯୋଗ କରିଛି।