ନୂଆଦିଲ୍ଲୀ ୧୪।୦୬; ବ୍ରିଟେନର ରାଜଧାନୀ ଲଣ୍ଡନରେ ଜଣେ ଭାରତୀୟଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଏହି ଘଟଣା ପଶ୍ଚିମ ଲଣ୍ଡନର ସାଉଥହଲରେ ଘଟିଛି। ମେଟ୍ରୋପଲିଟାନ୍ ପୁଲିସ କହିଛି, ୨୬ ବର୍ଷୀୟ ଗୁରଭଜେ ସିଂହଙ୍କୁ ନର୍ଥ ରୋଡର ଡୋର୍ମର୍ସ ୱେଲ୍ସ ଲେନର ଜଙ୍କସନ ନିକଟରେ ଛୁରି ଭୁସି ହତ୍ୟା କରାଯାଇଛି। ତାଙ୍କ ସହିତ ଆଉ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଛୁରି ଭୁସା ଯାଇଥିଲା। ଚିକିତ୍ସା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ମେଟ୍ରୋପଲିଟାନ୍ ପୁଲିସ କହିଛି, ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ, ଗୁରଭଜେ ସିଂହଙ୍କ ମୃତ୍ୟୁ ଘଟିଥିଲା। ସିଂହଙ୍କ ପରିବାରକୁ କର୍ତ୍ତୃପକ୍ଷ ସହାୟତା ଯୋଗାଇ ଦେଉଛନ୍ତି। ପୁଲିସ କହିଛି ଯେ, ସିଂହଙ୍କ ହତ୍ୟା ପରେ ସନ୍ଦେହରେ ସାତ ଜଣଙ୍କୁ ଗିରଫ କରାଯାଇଛି। 

ମେଟ୍ରୋପଲିଟାନ୍ ପୋଲିସ ଅନୁଯାୟୀ, ବୁଧବାର ଭୋର ସମୟରେ ଲଣ୍ଡନ ଆମ୍ବୁଲାନ୍ସ ସେବା ପକ୍ଷରୁ ଅଧିକାରୀମାନଙ୍କୁ ଘଟଣା ସମ୍ପର୍କରେ ସୂଚନା ମିଳିଥିଲା। ପାରାମେଡିକ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ କିନ୍ତୁ ସିଂହଙ୍କୁ ଘଟଣାସ୍ଥଳରେ ମୃତ ଘୋଷଣା କରାଯାଇଥିଲା। ପୁଲିସ ସ୍ପେଶାଲିଷ୍ଟ କ୍ରାଇମ୍ କମାଣ୍ଡର ଡିଟେକ୍ଟିଭ୍ ଚିଫ୍ ଇନ୍ସପେକ୍ଟର ଆଲିସନ୍ ଫକ୍ସୱେଲ୍ କହିଛନ୍ତି, ହତ୍ୟାକାଣ୍ଡର ତଦନ୍ତ କରାଯାଉଛି। 

ଫକ୍ସୱେଲ୍ କହିଛନ୍ତି, ଆମେ ଅନୁମାନ କରୁଛୁ, ବୁଧବାର ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ନର୍ଥ ରୋଡ୍ ଏବଂ ଡୋର୍ମର୍ସ ୱେଲ୍ସ ଲେନ୍ ସଂଯୋଗସ୍ଥଳରେ ଏକ ଦୋକାନ ବାହାରେ ସିଂହଙ୍କୁ ଆକ୍ରମଣ କରାଯାଇଥିଲା। ସେହି ଅଞ୍ଚଳର ସିସିଟିଭି ଫୁଟେଜ୍ ସଂଗ୍ରହ ପାଇଁ ପ୍ରୟାସ କରାଯାଉଛି। ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ସତ୍ୟ ସାମ୍ନାକୁ ଆସିବ।ଲଣ୍ଡନରେ ଭାରତୀୟ ଯୁବକଙ୍କ ହତ୍ୟା ଏପରି ଏକ ସମୟରେ ଘଟିଛି ଯେତେବେଳେ ବ୍ରିଟେନର କିଛି ସ୍ଥାନରେ ପ୍ରବାସ ଏବଂ ସାଧାରଣ ସୁରକ୍ଷା ବିବାଦୀୟ ପ୍ରସଙ୍ଗ ରହିଛି। ଉତ୍ତର ଆୟରଲ୍ୟାଣ୍ଡର ବେଲଫାଷ୍ଟରେ ଶହ ଶହ ଲୋକ ପ୍ରବାସ ବିରୋଧରେ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଛନ୍ତି ଏବଂ ଏହି ପ୍ରଦର୍ଶନଗୁଡ଼ିକ ହିଂସାତ୍ମକ ପାଲଟିଛି।