ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ଡିଜାଇନ ପୁରସ୍କାର ‘ପ୍ରି ଭର୍ସେଲ-୨୦୨୬’ ବିଶ୍ୱର ୭ ସବୁଠୁ ସୁନ୍ଦର ବିମାନ ବନ୍ଦର ସୂଚୀ ଜାରି କରିଛି। ଏହି ବୈଶ୍ୱିକ ସୂଚୀରେ ଭାରତର ଦୁଇଟି ବିମାନ ବନ୍ଦର ନଭି ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଓ ଗୌହାଟୀର ଲୋକପ୍ରିୟ ଗୋପୀନାଥ ବୋରଦୋଲୋଇ ଇଣ୍ଟରନ୍ୟାଲନାସନାଲ ଏୟାରପୋର୍ଟ ସ୍ଥାନ ହାସଲ କରି ଇତିହାସ ରଚିଛନ୍ତି। ବିଶେଷଜ୍ଞଙ୍କ ଅନୁସାରେ ଏହି ସୂଚୀରେ ଏୟାରପୋର୍ଟଙ୍କ ଚୟନ କେବଳ ସେଗୁଡିକର ବାହ୍ୟ ସୁନ୍ଦରତା ଦେଖି ନୁହେଁ ବରଂ ବିଭିନ୍ନ ମାନକରେ ଶ୍ରେଷ୍ଠତା ନିର୍ଦ୍ଧାରଣ କରାଯାଇଛି।

ଏଥିରେ ବାସ୍ତୁକଳାରେ ନବାଚାର, ଯାତ୍ରୀଙ୍କୁ ମିଳୁଥିବା ଅଭିଜ୍ଞତା, ପରିବେଶ ପ୍ରତି ସଚେତନତା ଓ ସ୍ଥାନୀୟ ସଂସ୍କୃତିର ଝଲକ ଭଳି କଡ଼ା ଷ୍ଟାଣ୍ଡାର୍ଡ କୁ ଧ୍ୟାନରେ ରଖା ଯାଇଛି। ଭାରତର ଏହି ଦୁଇ ଏୟାରପୋର୍ଟ ନିଜ ପାରମ୍ପାରିକ ଓ ସାଂସ୍କୃତିକ ପରିଚୟକୁ ଆଧୁନିକ ଡିଜାଇନ ସହିତ ଅତ୍ୟନ୍ତ ନିଖୁଣ ଭାବେ ଯୋଡିଛନ୍ତି।

ବିଶ୍ୱର ୫ ବଡ଼ ଏୟାରପୋର୍ଟକୁ ବି ମିଳିଛି ସ୍ଥାନ
ଏହି ବୈଶ୍ୱିକ ସୂଚୀରେ ଭାରତ ବ୍ୟତୀତ ବିଶ୍ୱର ଆଉ କିଛି ଏୟାରପୋର୍ଟ ଯେପରିକି ଚୀନ୍ ର ଗ୍ୱାଙ୍ଗଝୋଉ ବାୟୟୁନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ, ଜର୍ମାନର ଫ୍ରାଙ୍କଫୋର୍ଟ ଏୟାରପୋର୍ଟ, କମ୍ବୋଡିଆର ଟେକୋ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ, ଆମେରିକାର ସାନଡିଏଗୋ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଓ ପିଟସ୍ ବର୍ଗ ଏୟାରପୋର୍ଟ ଆଦି ରହିଛି।

ନଭି ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ
ନଭି ମୁମ୍ବାଇ ଏୟାରପୋର୍ଟ ବାସ୍ତୁକଳାରେ ଭାରତର ଜାତୀୟ ଫୁଲ ‘ପଦ୍ମ’ର ଖୁବ୍ ସୁନ୍ଦର ଝଲକ ଦେଖିବାକୁ ମିଳେ। ଏହି ଏୟାରପୋର୍ଟର ସବୁଠୁ ବଡ଼ ବିଶେଷତା ହେଲା ଏଠାକାର ବିସ୍ତିର୍ଣ୍ଣ ସବୁଜିମା, ପ୍ରଚୁରମାତ୍ରାରେ ଆସୁଥିବା ପ୍ରାକୃତିକ ଆଲୋକ ଓ ବିଶ୍ୱସ୍ତରୀୟ ଆଧୁନିକ ସୁବିଧା। ଏହି ଡିଜାଇନ ଭାରତୀୟ ସଂସ୍କୃତି ଓ ଆଧୁନିକତାର ଏକ ଅଦ୍ୱିତୀୟ ଉଦାହରଣ ପାଲଟିଛି।

ଗୋପୀନାଥ ବୋରଦୋଲୋଇ ଏୟାରପୋର୍ଟ
ଗୌହାଟି ଏୟାରପୋର୍ଟର ନୂଆ ୨ ନମ୍ବର ଟର୍ମିନାଲ ପୂର୍ବୋତ୍ତର ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଜୀବନ୍ତ ପ୍ରତୀକ ଅଟେ। ଏହି ଏୟାରପୋର୍ଟର ବିଶେଷତା ହେଉଛି ଏହାର ଆଭ୍ୟନ୍ତରୀଣ ଅଞ୍ଚଳକୁ ସଜାଇବା ପାଇଁ ବାଉଁଶର ରଚନାତ୍ମକ ଉପଯୋଗ କରାଯାଇଛି। ଏଠାକାର ସ୍ଥାନୀୟ କଳା, ଲୋକକଥା ଓ ଆସାମର ପାରମ୍ପରିକ ଶିଳ୍ପ କୌଶଳ ବୈଶ୍ୱିକ ଜଜ୍ ମାନଙ୍କ ହୃଦୟ ଜିତିଛି ଓ ଏହାକୁ ବିଶ୍ୱର ସବୁଠୁ ସନ୍ଦର ବିମାନ ବନ୍ଦର ସୂଚୀରେ ସ୍ଥାନୀତ କରିଛି।