ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସାଂସଦ ତଥା ନେତା ସଜ୍ଜନ କୁମାରଙ୍କ ଗୁରୁବାର ପରଲୋକ ହୋଇଛି। ୧୯୮୪ ଦିଲ୍ଲୀ ଶିଖ୍ ବିରୋଧୀ ଦଙ୍ଗାର ୨ଟି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇ ତିହାର ଜେଲର ଆଜୀବନ ଜେଲଦଣ୍ଡ ଭୋଗ କରୁଥିଲେ। ପ୍ରାରମ୍ଭିକ ସୂଚନା ଅନୁସାରେ ସଜ୍ଜନ କୁମାରଙ୍କୁ ଅଚେତ ଅବସ୍ଥାରେ ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲକୁ ଅଣାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପରଲୋକ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ବୋଲି କୁହାଯାଉଛି।

୧୯୮୦ ଦଶନ୍ଧୀରେ ଉତ୍ତର-ପଶ୍ଚିମ ଓ ଦିଲ୍ଲୀ ଉପକଣ୍ଠ ଲୋକସଭା ଆସନରୁ ସେ କଂଗ୍ରେସର ଜଣେ ପ୍ରମୁଖ ମୁହଁ ଭାବେ ଉଭା ହୋଇଥିଲେ ଓ ୩ ଥର ୧୯୮୦, ୧୯୯୧ ଓ ଶେଷ ଥର ୨୦୦୪ ମସିହାରେ ସାଂସଦ ନିର୍ବାଚିତ ହୋଇ ଲୋକସଭାକୁ ଯାଇଥିଲେ। ବାହ୍ୟ ଦିଲ୍ଲୀ ସଂସଦୀୟ କ୍ଷେତ୍ରରେ ତାଙ୍କର ବେଶ୍ ଦବଦବା ଥିଲା। ୧୯୮୪ ଶିଖ୍ ବିରୋଧୀ ଦଙ୍ଗାରେ ନାମ ଆସିବା ପରେ ତାଙ୍କ ରାଜନୈତିକ କ୍ୟାରିୟର ବିବାଦରେ ଘେରି ଯାଇଥିଲା। ୨୦୧୮ ମସିହାରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ କରିବା ପରେ ସେ କଂଗ୍ରେସ ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେଇଥିଲେ।

୧୯୮୪ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟାକାଣ୍ଡ ପରେ ଦିଲ୍ଲୀରେ ଉପୁଜିଥିବା ଶିଖ୍ ବିରୋଧୀ ଦଙ୍ଗାରେ ସଜ୍ଜନ କୁମାରଙ୍କ ବିରୋଧରେ ଭିଡକୁ ଉସକାଇବା ଓ ହତ୍ୟାରେ ସାମିଲ ହେବାର ଆରୋପ ଲାଗିଥିଲା। ପାଖାପାଖି ୩୪ ବର୍ଷ ଧରି ଜାରି ଆଇନଗତ ଲଢେଇରେ ଦିଲ୍ଲୀ ହାଇକୋର୍ଟ ୨୦୧୮ ମସିହାରେ ରାୟ ଘୋଷଣା କରିଥିଲେ। ଏଥିରେ ହାଇକୋର୍ଟ ଲୋଅର କୋର୍ଟର ରାୟକୁ ପଲଟାଇ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଓ ତାଙ୍କୁ ଆଜୀବନ ଜେଲଦଣ୍ଡାଦେଶ କରିଥିଲେ। ଏହା ପରେ ୩୧ ଡିସେମ୍ବର ୨୦୧୮ ମସିହାରେ ସଜ୍ଜନ କୁମାର କୋର୍ଟରେ ଆତ୍ମସମର୍ପଣ କରିଥିଲେ।