ଭୁବନେଶ୍ୱର ୨୭।୦୫ : ମଧ୍ୟପ୍ରାଚ୍ୟ ଯୁଦ୍ଧରୁ ସୃଷ୍ଟି ହୋଇଥିବା ଶକ୍ତି ସଂକଟର ଚେର ସମଗ୍ର ବିଶ୍ୱକୁ ମାଡ଼ିଗଲାଣି । ଭାରତ ଭଳି ଉପଭୋକ୍ତା ଦେଶ ପାଇଁ ଏହା ଏକ ବଡ଼ ବିପତ୍ତି । ଦେଶରେ ଏବେ ଅସମ୍ଭାଳ ସ୍ଥିତି । ନିୟମିତ ବ୍ୟବଧାନରେ ବଢ଼ିଚାଲିଛି ପେଟ୍ରୋଲ ଏବଂ ଡିଜେଲ ଦର । ମେ’ ୧୫ରୁ ୪ ଥରରେ ପ୍ରାୟ ୮ ଟଙ୍କା ମହଙ୍ଗା ହୋଇଗଲାଣି ଉଭୟ ଇନ୍ଧନ। ପରିବହନ ବିପର୍ଯ୍ୟସ୍ତ। ଡିଜେଲ ଅଭାବ ଏବଂ ଇନ୍ଧନ ଦର ବୃଦ୍ଧି ଯୋଗୁ ମାଲ୍ ପରିବହନ ଭଡ଼ା ପ୍ରାୟ ୧୫% ଯାଏ ବୃଦ୍ଧି ପାଇଛି। ମହଙ୍ଗା ଡିଜେଲ ଏବଂ ଇନ୍ଧନ ଅଭାବ ଯାଗୁ ଦେଶବ୍ୟାପୀ ପ୍ରାୟ ୧୯ ଲକ୍ଷ ଟ୍ରକ୍ ରାଜପଥରୁ ଉଭାନ ହୋଇଯାଇଛି। ପ୍ରତି ୫ରୁ ଗୋଟିଏ ଟ୍ରକ୍ ଏବେ ଛିଡ଼ାହୋଇଛି। ଏଥିମଧ୍ୟରୁ ଓଡ଼ିଶାରେ ୫୦ ହଜାର ଟ୍ରକ ଚଳାଚଳ ବନ୍ଦ ହୋଇଥିବା ଜଣାପଡ଼ିଛି । ଏସବୁ ମଧ୍ୟରେ ଏବେ ସଂକଟରେ ଦେଶର ପରିବହନ ବ୍ୟବସ୍ଥା। ଠୋସ୍ ପଦକ୍ଷେପ ନିଆ ନ ଗଲେ ଆଗକୁ ପରିବହନ ସଂକଟ ସମଗ୍ର ଅର୍ଥବ୍ୟବସ୍ଥାକୁ କରିପାରେ ବିପର୍ଯ୍ୟସ୍ତ। ଦରଦାମ ସ୍ଥିତି ଉତ୍କଟ ହେବା ଥୟ । ଫଳ, ପନିପରିବା ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଦର ଆକାଶ ଛୁଇଁବ। ବିଗିଡ଼ିଯିବ ଆମ୍ଆଦ୍ମୀଙ୍କ ବଜେଟ ଗଣିତ।

ପୂର୍ବରୁ ଦରଦାମ ଚାପରେ ଛନ୍ଦି ହୋଇଥିବା ଖାଉଟିଙ୍କୁ ଏହା ଡବଲ୍ ଝଟ୍କା। ବାଣିଜ୍ୟିକ ଯାନ ବର୍ଗରେ ଟ୍ରକ, କଣ୍ଟେନର ବୋଝେଇ ଟ୍ରକ ଏବଂ ମିନିଟ୍ରକ ରହିଛି। ମାଲବାହୀ ଯାନଗୁଡ଼ିକର ପରିଚାଳନାରେ ଡିଜେଲ ପ୍ରମୁଖ ଅଂଶ ଗ୍ରହଣ କରିଥାଏ। ମାତ୍ର ଇନ୍ଧନ ଲଗାତର ଭାବେ ମହଙ୍ଗା ହେବା ଯୋଗୁ ପରିବହନକାରୀ ଚାପରେ। ପୂର୍ବାପେକ୍ଷା ଅଧିକ ଖର୍ଚ୍ଚ କରିବାକୁ ପଡୁଛି। ରାଜ୍ୟ ଟ୍ରକ ମାଲିକ ସଂଘ ମୁତାବକ, ରାଜ୍ୟରେ ପ୍ରାୟ ୫ ଲକ୍ଷ ଟ୍ରକ ରହିଛି। ଏଥିମଧ୍ୟରୁ ୫୦ ହଜାର ଟ୍ରକ ଚଳାଚଳ ବନ୍ଦ ହୋଇଯାଇଛି। ଫଳରେ ପରିବହନ କ୍ଷେତ୍ର ଉପରେ ଚାପ ପଡ଼ିବା ଥୟ। ତେଲ ଦର ବୃଦ୍ଧି ବାଦ ବିଏସ୍-୬ ଯାନଗୁଡ଼ିକରେ ବ୍ୟବହୃତ ଆଡଲ୍ୟୁପ ନାମକ ଅଏଲ ଦର ୧୨୦୦ ଟଙ୍କାରୁ ୨ ହଜାର ଟଙ୍କା ଯାଏ ବଢ଼ିଛି । ଏହା ଆଉ କିଛି ଦିନ ମଧ୍ୟରେ ୩ ହଜାର ଟଙ୍କା ଯାଏ ବଢ଼ିବାର ଆଶଙ୍କା ରହିଛି । ଏହା ମଧ୍ୟ ପରିବହନକାରୀଙ୍କ ଉପରେ ଚାପ ସୃଷ୍ଟି କରୁଛି । କ୍ଷୁଦ୍ର ଏବଂ ମଧ୍ୟମ ବର୍ଗର ପରିବହନକାରୀ ମାନେ ବେଶି ସମସ୍ୟାରେ ପଡ଼ିଛନ୍ତି । ତେଲ ଦର ବୃଦ୍ଧି ଚିନ୍ତାରେ ପରିବହନ କ୍ଷେତ୍ର ଅଂଶୀଦାରମାନେ ରାଜ୍ୟ ସରକାରଙ୍କୁ ଭେଟି ଆଲୋଚନା କରିବେ । ଶିଳ୍ପ ସାମ୍ନାରେ ରହିଥିବା ସମସ୍ୟାକୁ ନେଇ ଏକ ଦାବିପତ୍ର ଦିଆଯିବ ବୋଲି ଜଣାପଡ଼ିଛି । ରାଜ୍ୟର ଖଣି ଅଞ୍ଚଳ ସହ ଶିଳ୍ପାଞ୍ଚଳଗୁଡ଼ିକରେ ଟ୍ରକଗୁଡ଼ିକ ଛିଡ଼ା ହୋଇ ରହୁଥିବା ଦେଖାଯାଉଛି ।

Also Read:-Rajaya Sabha Election : ରାଜ୍ୟସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା, ଜୁନ୍ ୧୮ରେ ଭୋଟ୍

ତେଲ କମ୍ପାନିଙ୍କ ଉପରେ ଚାପ କମ୍ କରିବା ଲାଗି କେନ୍ଦ୍ର ସରକାର ଉତ୍ପାଦ ଟିକସ ହ୍ରାସ କରିଛନ୍ତି । ରାଜ୍ୟଗୁଡ଼ିକ ମଧ୍ୟ ଭାଟ୍ କମାଇ ପରିବହନ କ୍ଷେତ୍ରର ଚାପକୁ କମାଇବା ଦିଗରେ କାର୍ଯ୍ୟ କରିବାକୁ ଦାବି ହେଉଛି। ଓଡ଼ିଶା ରାଜ୍ୟ ଟ୍ରକ ମାଲିକ ମହାସଂଘର ସାଧାରଣ ସମ୍ପାଦକ ପ୍ରଣବ ପରିଜା କହିଛନ୍ତି, ଡିଜେଲ ଦର ବୃଦ୍ଧି ଯୋଗୁ ଏବେ ଖର୍ଚ୍ଚ ବଢ଼ିଛି। ଅଧିକ ଭଡ଼ା ଦେବାକୁ ଗ୍ରାହକ ରାଜି ହେଉନାହାନ୍ତି। ଫଳରେ ଟ୍ରକ ଟର୍ମିନାଲ ଏବଂ ବିଭିନ୍ନ ଡିପୋରେ ଟ୍ରକଗୁଡିକ ପଡ଼ିରହିଛି। ପୂର୍ବ ଭଳି ଭଡ଼ା ମିଳୁନି। ଭଡ଼ା ବୃଦ୍ଧି ନେଇ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । ଭଡ଼ା ନ ବଢ଼ିଲେ ଟ୍ରକ ଚଳାଚଳ ଠପ୍ ହୋଇଯିବ। ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ଦେଶର ୯୫ ଲକ୍ଷ ଟ୍ରକ ମଧ୍ୟରୁ ୨୦% ବା ୧୯ ଲକ୍ଷ ଟ୍ରକ ସଡ଼କରୁ ହଟିଯାଇଛି । ଦେଶର ପରିବହନ କ୍ଷେତ୍ରରେ ୭୦% ହେଉଛି କ୍ଷୁଦ୍ର ବାଣିଜ୍ୟିକ ଯାନ । ତେଲ ଦର ବୃଦ୍ଧି ଯୋଗୁ ଛୋଟ ଅପରେଟର ମାନେ ବେଶି ପ୍ରଭାବିତ ହୋଇଥିବା ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସର ହରୀଶ ସବରୱାଲ କହିଛନ୍ତି।