ଜି.ଉଦୟଗିରି: ଦୀର୍ଘ ୧୫ ଦିନ ଧରି ନିଖୋଜ ଥିବା ଶିକ୍ଷକ ମୋହନ କୁମାର ମହାରଣା ଶେଷରେ ଉଦ୍ଧାର ହୋଇଛନ୍ତି । ଦୁର୍ଗମ ରତଙ୍ଗୀ ଜଙ୍ଗଲ ମଧ୍ୟରେ ପ୍ରାୟ ୮ କିଲୋମିଟର ପାଦରେ ଚାଲି ଉଦ୍ଧାର ଅଭିଯାନ ଚଳାଇଥିଲା ପୋଲିସ ଟିମ୍ । ମୋହନ କୁମାର ମହାରଣାଙ୍କୁ ତାଙ୍କ ପତ୍ନୀ ଓ ଭାଇଙ୍କ ଉପସ୍ଥିତିରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ଦୀର୍ଘ ୧୫ ଦିନ ପରେ ନିଖୋଜ ଶିକ୍ଷକଙ୍କୁ ସୁରକ୍ଷିତ ଫେରି ପାଇ ପରିବାରବର୍ଗ ଆଶ୍ୱସ୍ତି ପ୍ରକାଶ କରିଛନ୍ତି ।

ସୂଚନା ଅନୁଯାୟୀ, ରାଇକିଆ ଥାନା ଅନ୍ତର୍ଗତ ବାସନ୍ତପଲ୍ଲୀ ଗାଁର ମୋହନ କୁମାର ମହାରଣା ଇନ୍ଦ୍ରଗଡ଼ ପଞ୍ଚାୟତ ଅନ୍ତର୍ଗତ ଦୁବା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ଗତ ଅକ୍ଟୋବର ୩୦ ତାରିଖରୁ ସେ ନିଖୋଜ ହୋଇଯାଇଥିଲେ । ପ୍ରବଳ ବର୍ଷା ଯୋଗୁଁ ସେ ବିଦ୍ୟାଳୟରେ ରହିଥିବା ବେଳେ ସେଠାରେ ଥିବା ରୋଷେଇ ଘରଟି ଭାଙ୍ଗିଯାଇଥିଲା । ଯେଉଥି ପାଇଁ ସେ ନିକଟସ୍ଥ ରତଙ୍ଗୀ ପାହାଡ଼ ଉପରକୁ ଚାଲିଯାଇଥିଲେ । ଲଗାଣ ବର୍ଷା ଯୋଗୁଁ ଚାରିପଟେ ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ସେ ପାହାଡ଼ ଉପରୁ ତଳକୁ ଓହ୍ଲାଇ ପାରି ନଥିଲେ ।  ଲଗାଣ ବର୍ଷାରେ ଭିଜିବା ଯୋଗୁଁ ତାଙ୍କୁ ଜ୍ୱର ହେବା ସହ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ବିଗିଡ଼ିବାକୁ ଲାଗିଥିଲା ।

ଅନ୍ୟପଟେ ମୋହନଙ୍କ କୌଣସି ସନ୍ଧାନ ନମିଳିବାରୁ ପରିବାରବର୍ଗଙ୍କ ଚିନ୍ତା ବଢ଼ି ଚାଲିଥିଲା । ଏନେଇ ରାଇକିଆ ଥାନାରେ ନିଖୋଜ ମାମଲା ନଂ ୧୬/୨୬ ରୁଜୁ ହୋଇଥିଲା । ତେବେ ଶନିବାର ରତଙ୍ଗୀ ଅଞ୍ଚଳରେ ଗାଈ ଚରାଉଥିବା କିଛି ଲୋକ ପାହାଡ଼ ଉପରେ ମୋହନଙ୍କୁ ଅସୁସ୍ଥ ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏନେଇ ସେମାନେ ତୁରନ୍ତ ରାଇକିଆ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଟିମ୍ ତୁରନ୍ତ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲା । ଦୁର୍ଗମ ଜଙ୍ଗଲ ଓ ପାହାଡ଼ିଆ ରାସ୍ତା ଦେଇ ପ୍ରାୟ ୮ କିଲୋମିଟର ପାଦରେ ଚାଲିବା ପରେ ପୋଲିସ କର୍ମଚାରୀମାନେ ମୋହନଙ୍କ ନିକଟରେ ପହଞ୍ଚିଥିଲେ । ପରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଥାନାକୁ ଆଣିଥିଲେ ।