ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ୪ ରାଜ୍ୟଙ୍କ ହାଇକୋର୍ଟରେ ଖାଲିଥିବା ୧୨ ଜଜ୍ ପଦବୀରେ ନିଯୁକ୍ତି ଲାଗି ମଞ୍ଜୁରୀ ମିଳିଛି।ଏଥିରେ ବିଚାରବିଭାଗୀୟ ଅଧିକାରୀ ଏବଂ ଓକିଲଙ୍କୁ ପଦୋନ୍ନତୀ ଦେଇ ଜଜ୍ ନିଯୁକ୍ତି କରିବା ସହିତ ଅତିରିକ୍ତ ଜଜ୍ ମାନଙ୍କୁ ସ୍ଥାୟୀ କରିବାକୁ ମଧ୍ୟ ମଞ୍ଜୁରୀ ମିଳିଛି। କଲେଜିୟମଙ୍କ ଏହି ମଞ୍ଜୁରୀର ସମ୍ବଦ୍ଧ କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ ଓ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ସମ୍ପର୍କିତ। ପ୍ରଧାନବିଚାରପତି (ସିଜେଆଇ)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଲେଜିୟମ ବୈଠକରେ ଚିରାଗ ଭାନୁ ସିଂହ, ଭୂପେଶ ଶର୍ମା ଓ ଯୋଗେଶ ଜୟସ୍ୱାଲଙ୍କ ନାମକୁ ହିମାଚଳ ପ୍ରଦେଶ ହାଇକୋର୍ଟ ବିଚାରପତି ଭାବେ ଅନୁମୋଦନ କରାଯାଇଛି।

ସେହିପରି କଲେଜିୟମ ଅତିରିକ୍ତ ବିଚାରପତି ଜଷ୍ଟିସ୍ ହରମୀତ ସିଂହ ଗ୍ରୋୱାଲ ଓ ଜଷ୍ଟିସ୍ ଦୀପେନ୍ଦ୍ର ସିଂହ ନଲୱାଙ୍କୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଏହା ଛଡା ୬ ଜଣ ଓକିଲ ରାଘବେନ୍ଦ୍ର ସୀତାରାମ ଶ୍ରୀବତ୍ସ, ହେମା କୁଲକର୍ଣ୍ଣି, ସୁବ୍ରମଣ୍ୟ ରଙ୍ଗାରାଓ, ଟି.ପି.ବିବେକାନନ୍ଦ, ବକ୍କେଶ୍ୱର ପ୍ରମୋଦ ଓ ଏଚ.ଜି.ଶାନ୍ତିଭୂଷଣଙ୍କୁ କର୍ଣ୍ଣାଟକ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ଲାଗି ପ୍ରସ୍ତାବକୁ ସ୍ୱୀକୃତି ଦେଇଛନ୍ତି।

ସେହିପରି ଓକିଲ ଅମିତ ଲାହୋଟୀଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟରେ ବିଚାରପତି ନିଯୁକ୍ତି ଲାଗି ପ୍ରସ୍ତାବକୁ ଅନୁମତି ମିଳିଛି। ଦେଶର ହାଇକୋର୍ଟମାନଙ୍କରେ ବିଚାରପତିଙ୍କ ଅଭାବ ବିଚାର ପ୍ରକ୍ରିୟାକୁ ପ୍ରଭାବିତ କରୁଛି। କୋର୍ଟଙ୍କ ଉପରେ ବଢି ଚାଲିଥିବା ମାମଲା ଚାପକୁ ଦୃଷ୍ଟିରେ ରଖି ୪ ରାଜ୍ୟଙ୍କ ଉଚ୍ଚନ୍ୟାୟାଳୟରେ ରିକ୍ତ ବିଚାରପତି ପଦବୀ ପୂରଣ ନିମନ୍ତେ କଲେଜିୟମ ନିଷ୍ପତ୍ତି ନେଇଛନ୍ତି। ସେହି ଅନୁସାରେ ଓକିଲ, ବିଚାରବିଭାଗୀୟ ଅଧିକାରୀ ଓ ଅତିରିକ୍ତ ବିଚାରପତିଙ୍କ ପଦୋନ୍ନତୀକୁ ସ୍ୱୀକୃତି ଦେଇଛନ୍ତି।