ନୂଆଦିଲ୍ଲୀ, ୨୯/୦୪ : ବିଶ୍ୱ ବଜାରରେ ତେଲ ଦରକୁ ନେଇ ଅସ୍ଥିର ସ୍ଥିତି । ମଧ୍ୟପ୍ରାଚ୍ୟ ଯୁଦ୍ଧର ସିଧାସଳଖ ପ୍ରଭାବ ପଡୁଛି ତୈଳ ଦର ଉପରେ । ଏପରିକି ପେଟ୍ରୋଲ ଏବଂ ଡିଜେଲ ପରିବେଶ ପ୍ରଦୂଷଣ ପାଇଁ ଅଧିକ ଦାୟୀ । ଓଜନ ସ୍ତରକୁ ହ୍ରାସ ମଧ୍ୟ ଯାନବାହାନରୁ ନିର୍ଗତ ଅନେକ ଗ୍ୟାସ୍ କରିଥାନ୍ତି । ତେଣୁ କେନ୍ଦ୍ର ସରକାର ଇଥାନଲ ଉପରେ ଏବେ ଅଧିକ ଫୋକସ କରୁଛନ୍ତି । ଏହାକୁ ଭବିଷ୍ୟତର ଇନ୍ଧନ ବୋଲି କୁହାଯାଏ । ତେବେ ଏହି ଇଥାନଲ ଆଗକୁ ଭୟଙ୍କର ଜଳସଙ୍କଟ ସୃଷ୍ଟି କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ନୀତି ଆୟୋଗ ୨୦୩୦ ସୁଦ୍ଧା ଦେଶର ବଡ ବଡ ସହରରେ ଜଳ ସଙ୍କଟ ହେବା ନେଇ ଚେତାବନୀ ଦେଇ ସାରିଛି । ଅନ୍ୟ ଦିଗରେ ସରକାର ମାତ୍ର ୧ ଲିଟର ଧାନ ଆଧାରିତ ଇଥାନଲ ତିଆରି କରିବା ପାଇଁ ପ୍ରାୟ ୧୦୭୯୦ ଲିଟର ପାଣି ଖର୍ଚ୍ଚ କରୁଛନ୍ତି । ଯାହା ଜଳ ସଙ୍କଟ ସୃଷ୍ଟି କରିବା ସହ ଶସ୍ୟ ଉପରେ ମଧ୍ୟ ନକରାତ୍ମକ ପ୍ରଭାବ ପକାଉଛି ।

ଧାନରୁ ବାହାରୁଥିବା ଇଥାନଲକୁ ଗ୍ରୀନ୍ ଫୁଏଲ୍ କୁହାଯାଏ । ଏହାକୁ ପରିବେଶ ଅନୁକୂଳ କୁହାଯାଉଥିଲେ ମଧ୍ୟ ଏହା ଆଗକୁ ଗୁରୁତର ସମସ୍ୟା ସୃଷ୍ଟି କରିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଅନେକ ସମୟରେ ଦେଖିବାକୁ ମିଳେ ଯେ କୃଷକମାନେ ନିଜର ଚାଷ ଜମି ଏବଂ ଅନ୍ୟ ହକ୍ ପାଇଁ କୋର୍ଟ କଚେରୀର ଦ୍ୱାରସ୍ଥ ହୋଇଥାନ୍ତି । ନାନା ଦହଗଞ୍ଜର ସାମ୍ନା କରନ୍ତି । ଜମିରେ ପାଣି ମଡାଇବାକୁ ପାଣି ମିଳେନି । ହେଲେ ଆଜି ସେମାନଙ୍କ ଦ୍ୱାରା ଚାଷ ହୋଇଥିବା ଧାନକୁ ଇଥାନଲ ନିର୍ମାତାମାନେ ଶସ୍ତା ଦରରେ କ୍ରୟ କରୁଛନ୍ତି । ଯାହା ଜଳ ସଙ୍କଟ ସହ ଟିକସଦାତାଙ୍କ ଅର୍ଥର ଖୁଲମଖୁଲା ଦୁରୁପଯୋଗ ସହ ସମାନ ।

Also Read :-ପଶ୍ଚିମ ଓଡ଼ିଶାରେ ଜାରି ରହିଛି ନିଆଁ ବର୍ଷା, ତଥାପି ବିଭିନ୍ନ ଜିଲ୍ଲାରେ ଚାଲିଛି ଜନଗଣନା

ନୀତି ଆୟୋଗର ଚେତାବନୀ

ନୀତି ଆୟୋଗର ରିପୋର୍ଟ ଅନୁସାରେ, ୨୦୩୦ ସୁଦ୍ଧା ଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନାଇ ଭଳି ୨୧ଟି ସହରରେ ଜଳ ସମସ୍ୟା ଉତ୍କଟ ହୋଇଯିବ । ଭୂତଳ ଜଳସ୍ତର ଅସ୍ୱାଭାବିକ ଭାବେ ହ୍ରାସ ପାଇବ । ଏବେ ଚାଉଳ ଏବଂ ଧାନରୁ ଇଥାନଲ ତିଆରି କରୁଥିବା ନେଇ ସରକାରଙ୍କ ଇଚ୍ଛା ଆତ୍ମଘାତୀ ହେବାକୁ ଯାଉଛି । ଶକ୍ତି ସୁରକ୍ଷା ପାଇଁ ଅନ୍ନ ଏବଂ ଜଳକୁ ବରବାଦ କରିବା ଭବିଷ୍ୟତ ପୀଢି ପାଇଁ ଅନେକ ଚ୍ୟାଲେଞ୍ଜର ରୂପ ନେବ ।

ଖାଦ୍ୟ ସଚିବଙ୍କ ତଥ୍ୟ

ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା ୨୦୨୪ ଡିସେମ୍ବର ୨୭ ତାରିଖରେ ନୂଆଦିଲ୍ଲୀରେ ଆଇଏସଏମଏ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ, ଚାଉଳରୁ ୧ ଲିଟର ଇଥାନଲ ପ୍ରସ୍ତୁତ କରିବାକୁ ୧୦୭୯୦ ଲିଟର, ମକାରୁ ଇଥାନଲ ପ୍ରସ୍ତୁତ ପାଇଁ ୪୬୭୦ ଲିଟର ଏବଂ ଆଖୁରୁ ଇଥାନଲ ପ୍ରସ୍ତୁତି ପାଇଁ ୩୬୩୦ ଲିଟର ପାଣିର ଆବଶ୍ୟକତା ରହିଛି । ଏଥିରେ ଧାନ ଚାଷ ପାଇଁ ବ୍ୟବହାର ହେଉଥିବା ପାଣି ମଧ୍ୟ ସାମିଲ ଅଛି ।

ସାଧାରଣ ଭାବେ ଏକ କେଜି ଚାଉଳ ଅମଳ କରିବାକୁ ୩ ହଜାର ଲିଟର ପାଣି ଖର୍ଚ୍ଚ ହୋଇଥାଏ । ୧ ଟନ୍ ବା ୧୦୦୦ କେଜି ଚାଉଳରୁ ପ୍ରାୟ ୪୭୦ ଲିଟର ଇଥାନଲ ବାହାରିଥାଏ । ଫଳରେ ହିସାବ କରାଗଲେ ଏକ ଲିଟର ଇଥାନଲ ପାଇଁ ୧୦ ହଜାରରୁ ଅଧିକ ପାଣିର ଆବଶ୍ୟକତା ରହିଛି ।

ଟିକସଦାତା ଅର୍ଥ ବରବାଦ

ଖାଲି ଜଳ ସଙ୍କଟ ନୁହେଁ ଟିକସଦାତାଙ୍କ ଅର୍ଥର ମଧ୍ୟ ଦୁରୁପଯୋଗ ହେଉଛି । ସରକାର ଇଥାନଲ ପାଇଁ ବିଭିନ୍ନ କମ୍ପାନୀକୁ କ୍ୱିଣ୍ଟାଲ ପିଛା ୨୩୨୦ ଟଙ୍କାରେ ଚାଉଳ ହେଉଛନ୍ତି । କିନ୍ତୁ ଏହାର ବାସ୍ତବିକ ମୂଲ୍ୟ ୪୧୭୩ ଟଙ୍କା । ଅର୍ଥାତ କମ୍ପାନୀମାନଙ୍କୁ ଜନତାଙ୍କ ଅର୍ଥରେ ହିଁ ସବସିଡି ପ୍ରଦାନ କରାଯାଉଛି । ବିଡମ୍ବନାର ବିଷୟ ଏହା ଯେ, ପ୍ରଥମେ ଟିକସଦାତାଙ୍କ ଅର୍ଥରେ କଞ୍ଚାମାଲ, ବିଜୁଳି ଏବଂ ପାଣି ଉପରେ ସବସିଡି ଦେଇ ଧାନ ଅମଳ ହେଉଛି । ଏହାକୁ ସରକାର ଏମଏସପିରେ କ୍ରୟ କରୁଛନ୍ତି । ହେଲେ ଏହି ଶସ୍ୟକୁ କ୍ଷତି ସହି ସରକାର କମ୍ପାନୀମାନଙ୍କୁ ବିକ୍ରି କରୁଛନ୍ତି ।

ଚିନ୍ତାରେ ପଞ୍ଜାବ ଏବଂ ହରିୟାଣାର କୃଷକ

କୃଷକମାନଙ୍କୁ କୁହାଯାଉଛି ଯେ ସେମାନେ ଧାନ ଅମଳ କରି ଜଳକୁ ବରବାଦ କରୁଛନ୍ତି । ଏଥିପାଇଁ ସେମାନଙ୍କୁ କାଠଗଡାରେ ଠିଆ ହେବାକୁ ପଡୁଛି । କିନ୍ତୁ ଅନ୍ୟ ଦିଗରେ ସରକାର ସେହି ଧାନ ଏବଂ ଚାଉଳକୁ ଇଥାନଲ ପ୍ରସ୍ତୁତିରେ ବ୍ୟବହାର କରୁଛନ୍ତି । ହେଲେ ଇଥାନଲ ନିର୍ମାତାମାନଙ୍କୁ କେହି ଜଳ ସଙ୍କଟ ପାଇଁ ଦାୟୀ କରୁ ନାହାଁନ୍ତି ।

ଜଳ ସଙ୍କଟକୁ ନିମନ୍ତ୍ରଣ

ପଞ୍ଜାବ ଏବଂ ରାଜସ୍ଥାନରେ ଅଧିକ ଜଳ ସଙ୍କଟ ରହିଛି । ଏଠାକାର ଅନେକ ଅଞ୍ଚଳ ମରୁଭୂମି । ବଡ ବଡ କେନାଲ ହୋଇଥିଲେ ବି ତାହା ପର୍ଯ୍ୟାପ୍ତ ନୁହେଁ । ହେଲେ ଏହି ଦୁଇ ରାଜ୍ୟରେ ୧୮୨୨ କୋଟି ଲିଟର ଇଥାନଲ ସୃଷ୍ଟି ପାଇଁ ପ୍ଲାଣ୍ଟ୍ ରହିଛି । ସେହିପରି ମହାରାଷ୍ଟ୍ରରେ ୩୯୬ କୋଟି ଲିଟର କ୍ଷମତା ବିଶିଷ୍ଟ ପ୍ଲାଣ୍ଟ୍ ରହିଛି । ବିଦର୍ଭ ଏବଂ ମରାଠାଓ୍ୱାଡାରେ ପାଣି ପାଇଁ ଯୁଦ୍ଧ ହୋଇଥାଏ । କିନ୍ତୁ ଇଥାନଲ ପ୍ଲାଣ୍ଟ୍ ଚାଲୁଛି । କର୍ଣ୍ଣାଟକରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି ।