ନୂଆଦିଲ୍ଲୀ, ୨୯/୦୪ : ପ୍ରତି ଭାରତୀୟଙ୍କ ଶରୀରରେ ମହାଦେବଙ୍କ ଡିଏନଏ ଅଛି । କୌଣସି ନେତା ନୁହେଁ ବରଂ ଏହା କହିଛନ୍ତି ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍ସେଲର ତଥା କୂଳପତି ମଜହର୍ ଆସିଫ୍ । ରାଷ୍ଟ୍ରୀୟ ସ୍ୱଂୟ ସେବକ ସଙ୍ଘ ବା ଆରଏସଏସର ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଆସିଫ୍ ଏହା କହିଛନ୍ତି । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

କାର୍ଯ୍ୟକ୍ରମରେ ଆସିଫ୍ କହିଛନ୍ତି ଯେ, ଭାରତରେ ଜାତି, ଧର୍ମ, ବର୍ଣ୍ଣ ଏବଂ ରଙ୍ଗର ବିବିଧତା ରହିଛି । ଭିନ୍ନ ଭାଷାଭାଷୀ ଏବଂ ସଂସ୍କୃତିର ଲୋକେ ଏଠାରେ ବସବାସ କରନ୍ତି । ତଥାପି ଦେଶବାସୀଙ୍କ ମଧ୍ୟରେ ଏକତା ଅଛି । ସେମାନେ ଭାରତୀୟ ଭାବେ ଏକସୂତ୍ରରେ ବାନ୍ଧି ରହୁଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଏହି ଐକ୍ୟତା ପ୍ରାଚୀନ ପରମ୍ପରା ସହ ଜଡିତ । ଯାହା ଆଧ୍ୟାତ୍ମିକତାର କଥା କହେ । କାରଣ ମହାଦେବଙ୍କ ଡିଏନଏ ଆମ ମାନଙ୍କ ଶରୀରରେ ବହୁଛି । ସନାତନ ସଂସ୍କୃତି ଖୁବ୍ ବିଶାଳ ଏବଂ ଉତ୍ତମ । ଏହା ଭିନ୍ନତା ମଧ୍ୟରେ ଐକ୍ୟତାରେ ବିଶ୍ୱାସ କରେ । ସମସ୍ତଙ୍କୁ ଏକତ୍ର ହୋଇ ରହିବାକୁ ପ୍ରୋତ୍ସାହନ ଦେଇଥାଏ । ଯେପରି ଭାବେ ମହାଦେବଙ୍କ ପରିବାରରେ ଭିନ୍ନତା ଥାଇ ମଧ୍ୟରେ ସମସ୍ତେ ଏକାଠି ରହୁଥିଲେ ।

ତେବେ ଆସିଫଙ୍କ ଏହି ବୟାନକୁ ନେଟିଜେନ୍ସ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । କେହି କେହି ଏହାକୁ ସଠିକ୍ କହୁଥିବା ବେଳେ ଆଉ କେହି ବିରୋଧ ମଧ୍ୟ କରିଛନ୍ତି । ତେବେ ବିଶ୍ୱବିଦ୍ୟାଳୟ ପରିସରରେ ଆରଏସଏସ କାର୍ଯ୍ୟକ୍ରମକୁ ଅନେକ ଛାତ୍ରସଙ୍ଘ ବିରୋଧ କରିଥିଲେ । କିନ୍ତୁ ବ୍ୟାପକ ପୋଲିସ ଉପସ୍ଥିତିରେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା ।