ଭୁବନେଶ୍ଵର: ପଶ୍ଚିମ ଓଡ଼ିଶାରେ ଜାରି ରହିଛି ନିଆଁ ବର୍ଷା । ଏହା ଭିତରେ ୪୫ଡିଗ୍ରୀ ପାର୍ କରିଛି ତାପମାତ୍ରା। ସକାଳ ୮ଟାରୁ ଆରମ୍ଭ ହୋଇଯାଉଛି ଅସହ୍ୟ ଖରା ତାତି ସାଙ୍ଗକୁ ଗୁଳଗୁଳି । ଲୋକେ ପଦାକୁ ବାହାରିବାକୁ ଭୟ କରୁଛନ୍ତି । ଅତି ଆବଶ୍ୟକ ନଥିଲେ ବାହାରକୁ ଯାଉ ନାହାନ୍ତି ଲୋକେ । ଏହାରି ଭିତରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଚାଲିଛି ଜନଗଣନା । ତେବେ ପ୍ରଚଣ୍ଡ ଖରା ଭିତରେ ଶିକ୍ଷକମାନେ କେମିତି ଯାଇ ଜନଗଣନା କାର୍ଯ୍ୟ କରୁଛନ୍ତି ଚାଲନ୍ତୁ ଜାଣିବା।

ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଜନଗଣନା କାର୍ଯ୍ୟ ପାଇଁ SOP ଜାରି

୪୫ ଡିଗ୍ରୀରେ ସିଝୁଚି ଝାରସୁଗୁଡ଼ା । ତତଲାଗଡ଼ରେ ପରିଣତ ହୋଇଛି ଟିଟିଲାଗଡ଼ । ଭୀଷଣ ତାତିରେ ସନ୍ତୁଳି ହେଉଛି ସମ୍ବଲପୁର । ୪୨ ଡିଗ୍ରୀ ଉପରେ ରହୁଛି ବଲାଙ୍ଗୀର, ସୋନପୁର, ବୌଦ୍ଧ, ସୁନ୍ଦରଗଡ଼, ବରଗଡ଼, କଳାହାଣ୍ଡିର ତାପମାତ୍ରା । ପ୍ରବଳ ଖରା, ପ୍ରଚଣ୍ଡ ତାତିରେ ଆଉଟୁ ପାଉଟୁ ଜନ ଜୀବନ। ସକାଳ ୮ଟା ପରେ ପଦାକୁ ବାହାରିବାକୁ ଭୟ କରୁଛନ୍ତି ଲୋକେ । ଏହା ଭିତରେ ପଶ୍ଚିମ ଓଡ଼ିଶାରେ ଚାଲିଛି ଜନଗଣନା । ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଜନଗଣନା କାର୍ଯ୍ୟ କରିବାକୁ SOP ଜାରି କରିଛନ୍ତି ସରକାର । ତଥାପି ସକାଳ ୮ଟାରୁ ଦିନ ୧୧ଟା ଭିତରେ ଯେଉଁ ଶିକ୍ଷକମାନେ ଜନଗଣନା ପାଇଁ ବିଭିନ୍ନ ଅଂଚଳ ବୁଲୁଛନ୍ତି ସେମାନେ ପ୍ରଚଣ୍ଡ ଖରାରେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି। କିଏ ମୁଣ୍ଡରେ ଓଦା ଗାମୁଛା ବାନ୍ଧି ଘରକୁ ଘର ବୁଲୁଛନ୍ତି ତ ଆଉ କିଏ ଖରାରେ ଥକି ଯାଇ ଘର ବାରଣ୍ଡାରେ ଘଡ଼ିଏ ବସିଯାଉଛନ୍ତି ।

ଘରକୁ ଘର ବୁଲୁଛନ୍ତି ଜନଗଣନା ଅଧିକାରୀ

କେମିତି ହାତରେ ଛତା, ମୁଣ୍ଡରେ ଗାମୁଛା, କାନ୍ଧରେ ବ୍ୟାଗ ପକାଇ ଘରକୁ ଘର ବୁଲୁଛନ୍ତି ଜନ ଗଣନା ଦାୟିତ୍ବରେ ଥିବା ଏହି ଶିକ୍ଷକ, ଶିକ୍ଷୟିତ୍ରୀମାନେ l ପ୍ରବଳ ଖରା ସତ୍ବେ ଗାଁଠୁ ସହର ସବୁଠି ଚାଲିଛି ଘର ଗଣନା । ଏ ଘରରୁ ସେ ଘରକୁ ବୁଲି ବୁଲି ତଥ୍ୟ ସଂଗ୍ରହ କରୁଛନ୍ତି । ସକାଳ ୧୦ଟା ଭିତରେ ବି ମୁହଁ ହାତ ପୋଡ଼ି ଗଲା ପରି ଖରା ଅନୁଭୂତ ହେଉଛି । ତଥାପି ଏଭଳି ପରିସ୍ଥିତିରେ ନିଜ ଦାୟିତ୍ବ ସମ୍ପାଦନ ପାଇଁ ଏମିତି ଘରକୁ ଘର ବୁଲୁଛନ୍ତି ଜନଗଣନା ଅଧିକାରୀ । ଗାଁ ଗଣ୍ଡାରେ ଘର ଘର ବୁଲୁଥିବା ବେଳେ ଲୋକଙ୍କ ଘରକୁ ଗଲେ କିଏ କେତେବେଳେ ଏହି ଶିକ୍ଷକମାନଙ୍କୁ ଥଣ୍ଡାପାଣି କି ଦହିପାଣି ମୁନ୍ଦାଏ ଦେଉଛନ୍ତି ।

ତାତି ଅସହ୍ୟ ହେଲେ ବି ଯାହାର କାମ ଅଛି ସେମାନେ ତ ପଦାକୁ ବାହାରୁଛନ୍ତି । ଏମିତିରେ ନିର୍ଦ୍ଧିଷ୍ଟ ସମୟ ସୀମା ଭିତରେ ନିଜ ଦାୟ୍ରିତ୍ବ ସମ୍ପାଦନ ପାଇଁ ସକାଳୁ ଦିନ ୧୦ଟା/୧୧ଟା ପର୍ଯ୍ୟନ୍ତ ଖରାରେ ବୁଲି ଏମିତି ଜନଗଣନା କରୁଛନ୍ତି ଜନଗଣନା କର୍ମଚାରୀମାନେ ।