ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଚୂଡ଼ାନ୍ତ ଏକାଦଶରୁ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ବାଦ୍ ଦିଆଯିବାକୁ ନେଇ ରାଜନୀତି ଜୋର ଧରିଛି । ସିରାଜ ମୁସଲିମ ହୋଇଥିବାରୁ ତାଙ୍କୁ ଦଳରେ ସାମିଲ କରାଗଲା ନାହିଁ ବୋଲି ଅଭିଯୋଗ କରିଥିଲେ କଂଗ୍ରେସ ସାଂସଦ ଇମ୍ରାନ ମସୁଦ । କିନ୍ତୁ ଏହି ମନ୍ତବ୍ୟ ତାଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି । ନିଜ ଦଳର ରାଜ୍ୟସଭା ସାଂସଦ ରଞ୍ଜିତ ରଞ୍ଜନ, ମସୁଦଙ୍କୁ କଡ଼ା ଜବାବ ଦେଇଛନ୍ତି । ରଞ୍ଜିତ ରଞ୍ଜନ ତାଙ୍କର ଏହି ବୟାନକୁ ନିନ୍ଦା କରିବା ସହ କ୍ରୀଡ଼ା ଭିତରକୁ ଧର୍ମ କିମ୍ବା ରାଜନୀତି ନ ଆଣିବାକୁ ପରାମର୍ଶ ଦେଇଛନ୍ତି । 

ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ରାଜନୀତି ଏବଂ କ୍ରୀଡ଼ାକୁ ଅଲଗା ରଖିବା ଉଚିତ । ଖେଳର ନିଜସ୍ୱ ନିୟମ ଓ ଯୋଗ୍ୟତାର ମାପକାଠି ରହିଛି ।  ପ୍ରତ୍ୟେକ ଖେଳାଳିଙ୍କର ନିଜସ୍ୱ ସଂଘର୍ଷ ଥାଏ । ତେଣୁ ରାଜନୈତିକ ଫାଇଦା ପାଇଁ ଖେଳ କିମ୍ବା ଖେଳାଳିଙ୍କୁ ବିବାଦ ଭିତରକୁ ଟାଣିବା ଆଦୌ ଗ୍ରହଣୀୟ ନୁହେଁ  ବୋଲି କହିଛନ୍ତି ରଞ୍ଜିତ ରଞ୍ଜନ । ଏହା ପୂର୍ବରୁ ଶୁକ୍ରବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଇମ୍ରାନ ମସୁଦ ଅଭିଯୋଗ କରିଥିଲେ ଯେ, ଭଲ ପ୍ରଦର୍ଶନ ସତ୍ତ୍ୱେ କେବଳ 'ସିରାଜ' ନାମ କାରଣରୁ ମହମ୍ମଦ ସିରାଜଙ୍କୁ ଦଳରେ ସ୍ଥାନ ମିଳିନାହିଁ । ଏହାକୁ ନେଇ ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ । 

କଂଗ୍ରେସ ଏବେ କ୍ରିକେଟ ଦଳ ଚୟନରେ ମଧ୍ୟ ଭୋଟ ବ୍ୟାଙ୍କ ରାଜନୀତି କରୁଛି ବୋଲି ସେ କହିଥିଲେ । ରବୀନ୍ଦ୍ର ଜାଡେଜାଙ୍କୁ ମଧ୍ୟ ଦଳରୁ ବାଦ୍ ଦିଆଯାଇଥିବା ଉଦାହରଣ ଦେଇ ସେ କହିଥିଲେ ଯେ, ପ୍ରତ୍ୟେକ ଖେଳାଳି ଭାରତ ପାଇଁ ଖେଳନ୍ତି ଏବଂ ଦଳକୁ ଧର୍ମ ଆଧାରରେ ବିଭାଜିତ କରିବା ବନ୍ଦ ହେବା ଉଚିତ । ଅନ୍ୟପଟେ ଚାରିଆଡ଼ୁ ସମାଲୋଚନା ସତ୍ତ୍ୱେ ମସୁଦ ନିଜ ଜିଦ୍‌ରେ ଅଟଳ ରହିଛନ୍ତି । ଶନିବାର ଦିନ ସେ ମହମ୍ମଦ ଶାମି ଏବଂ ସର୍ଫରାଜ ଖାନଙ୍କ ଉଦାହରଣ ଦେଇ ପୁଣିଥରେ ଦଳ ଚୟନରେ ଭେଦଭାବ ହେଉଥିବା ଅଭିଯୋଗ କରିଛନ୍ତି । ସେହିଭଳି ଏଆଇଏମଆଇଏମ ନେତା ୱାରିସ ପଠାନ ମଧ୍ୟ ମସୁଦଙ୍କ କଥାରେ ସ୍ୱର ମିଳାଇ ପ୍ରତିଭା ବଦଳରେ ଖେଳାଳିଙ୍କ ନାମ ଦେଖି ଚୟନ କରାଯାଉଛି କି ବୋଲି ପ୍ରଶ୍ନ ଉଠାଇଛନ୍ତି ।