ବିଶ୍ୱର ସର୍ବବୃହତ୍ ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବ୍ ତା'ର ପ୍ରିମିୟମ୍ ସବସ୍କ୍ରିପସନ୍ ପ୍ଲାନ୍‌ର ମୂଲ୍ୟ ବୃଦ୍ଧି କରିଛି। କମ୍ପାନି କୌଣସି ବଡ଼ ଘୋଷଣା ବିନା ଏହି ପରିବର୍ତ୍ତନ କରିଥିବା ବେଳେ ୟୁଜର୍ସମାନେ କେବଳ ଇମେଲ୍ ମାଧ୍ୟମରେ ଏ ସମ୍ପର୍କରେ ସୂଚନା ପାଇଛନ୍ତି । ଏହି ସୂଚନା ପରେ ଭାରତୀୟ ୟୁଜର୍ସମାନଙ୍କ ମଧ୍ୟରେ ଆଗାମୀ ଦିନରେ ମୂଲ୍ୟ ବୃଦ୍ଧି ଚିନ୍ତା ବଢ଼ିଛି। ସୂଚନା ଅନୁଯାୟୀ, ଆମେରିକାରେ ୟୁଟ୍ୟୁବ୍ ପ୍ରିମିୟମ୍ ସମସ୍ତ ପ୍ଲାନ୍ର ମୂଲ୍ୟ ବୃଦ୍ଧି ହୋଇଛି। ବ୍ୟକ୍ତିଗତ ପ୍ଲାନ ମୂଲ୍ୟ ପ୍ରତି ମାସ ୧୩.୯୯ ଡଲାରରୁ ୧୫.୯୯ ଡଲାର ବଢ଼ାଯାଇଛି। ସେହିପରି ଫ୍ୟାମିଲି ପ୍ଲାନର ମୂଲ୍ୟ ୨୬.୯୯ ଡଲାରରେ ପହଞ୍ଚିଛି।

ଛାତ୍ର ଓ ଲାଇଟ୍ ପ୍ଲାନରେ ପ୍ରତି ମାସ ୧ ଡଲାର ବୃଦ୍ଧି ହୋଇଛି। ବାର୍ଷିକ ପ୍ଲାନଗୁଡ଼ିକ ମଧ୍ୟ ଏବେ ମହଙ୍ଗା ହୋଇଯାଇଛି । ଏହା ସହିତ ଆପଲ୍ ଡିଭାଇସ୍ ମାଧ୍ୟମରେ ସବସ୍କ୍ରାଇବ୍ କରୁଥିବା ଉପଭୋକ୍ତାମାନେ ପ୍ଲାଟଫର୍ମ ଫି’ କାରଣରୁ ଅଧିକ ଦେୟ ଦେଉଛନ୍ତି। ଜୁଲାଇ ୨୦୨୩ ପରେ ଏହା ଦ୍ୱିତୀୟ ବଡ଼ ମୂଲ୍ୟ ବୃଦ୍ଧି ବୋଲି କୁହାଯାଉଛି।

ଏ ପର୍ଯ୍ୟନ୍ତ ଭାରତରେ ୟୁଟ୍ୟୁବ୍ ପ୍ରିମିୟମର ମୂଲ୍ୟ ଅପରିବର୍ତ୍ତିତ ରହିଛି। ବ୍ୟକ୍ତିଗତ ପ୍ଲାନ୍ ପ୍ରତି ମାସ ୧୨୯ ଟଙ୍କା, ଫ୍ୟାମିଲି ପ୍ଲାନ୍ ୧୮୯ ଟଙ୍କା ଓ ଛାତ୍ରଛାତ୍ରୀ ପ୍ଲାନ୍ ୭୯ ଟଙ୍କାରେ ଉପଲବ୍ଧ ଅଛି । ଏହି କାରଣରୁ ଆମ ଦେଶ ୟୁଟ୍ୟୁବ୍ ପ୍ରିମିୟମ୍ ପାଇଁ ସବୁଠାରୁ ସୁଲଭ ବଜାର ମଧ୍ୟରୁ ଗୋଟିଏ। ଯଦିଓ ଏ ଯାଏଁ ଭାରତରେ ମୂଲ୍ୟ ବୃଦ୍ଧି ହୋଇନାହିଁ। କିନ୍ତୁ ଆମେରିକାରେ ଏହି ପଦକ୍ଷେପ ସୂଚନା ଦେଉଛି ଯେ ଆଗାମୀ ଦିନରେ କମ୍ପାନି ଅନ୍ୟ ଦେଶରେ ମଧ୍ୟ ମୂଲ୍ୟ ବୃଦ୍ଧି କରିପାରେ। ଏହା ୟୁଜରଙ୍କୁ ଚିନ୍ତାରେ ପକାଇଛି।