ରାଉରକେଲା ୨୮।୦୬: ଏକ ତରଫା ପ୍ରେମର କରୁଣ ପରିଣତି । ଘରେ ଶୋଇଥିବା ଜଣେ ଯୁବତୀଙ୍କୁ ପେଟ୍ରୋଲ୍ ପକାଇ ଜାଳି ଦେଇଛି ଯୁବକ । ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅଞ୍ଚଳରେ। ଯୁବତୀଙ୍କ ଶରୀରର ୭୦ପ୍ରତିଶତ ଜଳିଯାଇଛି । ରାଉରକେଲାର ଏକ ଘରୋଇ ହସ୍ପିଟାଲ୍ ରେ ସେ ଚିକିତ୍ସିତ ହେଉଛନ୍ତି । ଏହି କାଣ୍ଡ କରି ଫେରାର ହୋଇ ଯାଇଥିବା ଯୁବକଙ୍କୁ ଗତକାଲି ରାତିରେ ଲାଠିକଟା ଅଞ୍ଚଳରୁ ପୋଲିସ କାବୁ କରିଛି। ଏହି ଅଭିଯୁକ୍ତ ଜଣକ ହେଉଛନ୍ତି ସୁନ୍ଦରଗଡ଼ କିଞ୍ଜିରିକେଲା ଅଞ୍ଚଳର ରଜତ କିରୋ ।

ଶୁକ୍ରବାର ରାତି ପ୍ରାୟ ୧୧ଟା ସମୟରେ ଯୁବତୀ ଜଣକ ନିଜ କୋଠରୀରେ ଶୋଇଥିବା ବେଳେ ରଜତ ଝରକା ପଟେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। କିଛି ମୁହୂର୍ତ୍ତ ମଧ୍ୟରେ କୋଠରୀ ସାରା ନିଆଁ ବ୍ୟାପି ଯାଇଥିଲା ଏବଂ ଘରର ଆସବାବପତ୍ର ଜଳି ପାଉଁଶ ହୋଇଯାଇଥିଲା। ପରିବାର ଓ ପଡ଼ୋଶୀମାନେ ନିଆଁ ଲିଭାଇବା ବେଳକୁ ଯୁବତୀଙ୍କ ଶରୀରର ପ୍ରାୟ ୭୦ ଭାଗ ଜଳିଯାଇଥିଲା। ପୀଡ଼ିତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ରେଫର କରିଦେଇଥିଲେ। ବୁର୍ଲା ରେ ଶଯ୍ୟା ଉପଲବ୍ଧ ନଥିବା ଦର୍ଶାଇ ବିନା ଚିକିତ୍ସାରେ ଫେରାଇ ଦେଇଥିବା ପରିବାର ଲୋକ କହିଛନ୍ତି। ଶନିବାର ଯୁବତୀଙ୍କୁ ରାଉରକେଲାର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ପୀଡ଼ିତାଙ୍କ ବାପାଙ୍କ ଲିଖିତ ଅଭିଯୋଗ ଆଧାରରେ ବିଶ୍ରା ଥାନା ପୁଲିସ ମାମଲା ରୁଜୁ କରି ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳର ଅନୁସନ୍ଧାନ କରୁଛି।

Also Read:-ତାସ୍ ଖେଳରୁ ମହାଭାରତ, ଜଣେ ବ୍ୟକ୍ତିଙ୍କୁ ବିୟର ବୋତଲରେ ସଂଘବଦ୍ଧ ଆକ୍ରମଣ