ମୁମ୍ବାଇ: ମହାରାଷ୍ଟ୍ରର ପୁଣେରେ ଆୟୋଜିତ "ଛାତ୍ରୋଁ କି ଗୁଞ୍ଜ" (Chaatron ki Gunj) କାର୍ଯ୍ୟକ୍ରମରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମଞ୍ଚରୁ ଓହ୍ଲାଇବା ସମୟରେ ଜଣେ ଯୁବତୀ ତାଙ୍କ ସହ ସେଲଫି ନେବା ପରେ ଅଚାନକ ତାଙ୍କ ଗାଲରେ ଚୁମ୍ବନ ଦେଇଥିବା ଦେଖିବାକୁ ମିଳିଛି। ସେପଟେ ରାହୁଲ ଗାନ୍ଧୀଙ୍କ ସହ ମହିଳା ନିଜକୁ ସୁରକ୍ଷିତ ମଣୁଛନ୍ତି ଏବଂ ସହଜରେ ନିଜର ଇଚ୍ଛା ପରିପ୍ରକାଶ କରିପାରୁଛନ୍ତି, ତାହା ଏହି ଭିଡିଓରୁ ଜଣାପଡ଼ୁଛି ବୋଲି କହିଛନ୍ତି ସୋସିଆଲ ମିଡିଆ ୟୁଜର୍ସ ।

ପୁଣେ କାର୍ଯ୍ୟକ୍ରମରେ ସେଲଫି ଉଠାଇବା ପରେ ଜଣେ ଯୁବତୀ ରାହୁଲ ଗାନ୍ଧୀଙ୍କ ଗାଲକୁ ଚୁମ୍ବନ ଦେଇଥିଲେ। ଏହାପରେ ରାହୁଲ ତାଙ୍କ ସହ କଥାବାର୍ତ୍ତା କରିଥିଲେ । ପରେ ନିଜ ସୁରକ୍ଷାକର୍ମୀଙ୍କ ସହ ସେଠାରୁ ପ୍ରସ୍ଥାନ କରିଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ "ମନୁସ୍ମୃତି ମାନସିକତା"କୁ ସମାଲୋଚନା କରିବା ସହ ମହିଳାମାନଙ୍କୁ ପୁରୁଷପ୍ରଧାନ ମାନସିକତା ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ ଦେଇଥିଲେ।

ରାଜନୈତିକ ବାକ୍‌ଯୁଦ୍ଧ
 ମହାରାଷ୍ଟ୍ର ବିଜେପି ଉପସଭାପତି କେଶବ ଉପାଧ୍ୟାୟ ଏହି କାର୍ଯ୍ୟକ୍ରମକୁ ଏକ "ରାଜନୈତିକ କମେଡି ଶୋ" ବୋଲି କହିବା ସହ କଂଗ୍ରେସ ଛାତ୍ରମାନଙ୍କର ପ୍ରକୃତ ସମସ୍ୟା ଉଠାଇବାରେ ବିଫଳ ହୋଇଛି ବୋଲି ଅଭିଯୋଗ କରିଛନ୍ତି। ସେପଟେ କଂଗ୍ରେସ ନେତା ସଚିନ ସାୱନ୍ତ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମକୁ ମିଳିଥିବା ଅଭୂତପୂର୍ବ ସଫଳତା ଦେଖି ବିଜେପି ଭୟଭୀତ ହୋଇପଡ଼ିଛି।