ସମ୍ବଲପୁର ୧୧।୧୧ : ଗୟଳ ଗଡ଼ରେ ପୁଣି ଶୁଭିଛି ମହାବଳ ଗର୍ଜନ। ୩ ରାଜ୍ୟ ସୀମା ଡେଇଁ ଏକ ଯୁବ ମହାବଳ ଓଡ଼ିଶାରେ ପଶିଛି। ଜୈବ ବିବିଧତା ଭରା ଡେବ୍ରିଗଡ଼ ଅଭୟାରଣ୍ୟକୁ ଖେଦୁଛି। ସମ୍ବର ଶିକାର କରି ଭୋକ ମେଣ୍ଟାଇଛି। ପୂର୍ବରୁ ମଧ୍ୟ ୨ ମହାବଳ ଏଠି ବୁଲାବୁଲି କରି ଫେରିଯାଇଛନ୍ତି। ଏଠାରେ ପ୍ରଚୁର ମାତ୍ରାରେ ଖାଦ୍ୟ ଥିବା ସତ୍ତ୍ୱେ ବାଘଙ୍କୁ ରୁଚୁନି ଗୟଳ ଗଡ଼ । ପ୍ରଶ୍ନ ଉଠୁଛି, ଏହି ବାଘଟି ରହିବ ନା ଫେରିଯିବ। ୩୫୩ ବର୍ଗ କିମି ଯାଏ ଲମ୍ବିଥିବା ଏହି ଘଞ୍ଚ ଭୟାରଣ୍ୟରେ ପ୍ରଚୁର ଗୟଳ, ହରିଣ, କୁଟୁରା, ସମ୍ବର ଅଛନ୍ତି। ଅଭୟାରଣ୍ୟକୁ ଲାଗିଛି ବିଶାଳକାୟ ହୀରାକୁଦ ଡ୍ୟାମ୍ । ଅର୍ଥାତ୍, ମହାବଳଟି ପାଇଁ ପ୍ରଚୁର ମାତ୍ରାରେ ଖାଦ୍ୟ ଓ ପିଇବା ପାଣି ଭରି ରହିଛି।

ପୂର୍ବ ରେକର୍ଡ କହୁଛି, ୧୯୯୨ରେ ଡେବ୍ରିଗଡ଼ରେ ୧୨-୧୫ ମହାବଳ ରହୁଥିଲେ। ସମୟ କ୍ରମେ ଅଭୟାରଣ୍ୟଟି ବାଘ ଶୂନ୍ୟ ହୋଇଗଲା। ୨୦୧୮ରେ ଗୋଟିଏ ମହାବଳ ଆସିଥିଲା । କିଛି ଦିନ ପରେ ଅଭୟାରଣ୍ୟଠୁ ମୁହଁ ଫେରାଇନେଲା। ୨୦୨୨ ଡିସେମ୍ବରରେ ଆସିଥିବା ଆଉ ଏକ ମହାବଳ ବି ଦେଢ଼ବର୍ଷ ରହିଲା । ନିଜର ଆସ୍ଥାନ ଜମାଇ ପାରିଲନି। ଏବେ ଆସିଥିବା ବାଘଟି ମହାରାଷ୍ଟ୍ରର ତଡ଼ଭା-ଅନ୍ଧାରୀ ଅଭୟାରଣ୍ୟରୁ ଆସିଥିବା ଅନୁମାନ କରାଯାଉଛି। ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼ ଓ ଓଡ଼ିଶା ହେଉଛି ମଧ୍ୟ ଭାରତୀୟ ବାଘ ଲ୍ୟାଣ୍ଡସ୍କେପ। ସେଠାକାର ମହାବଳ ଏଠାକାର ପରିବେଶ ସ ସହଜରେ ଖାପ ଖୁଆଇ ଚଳିପାରିବେ। ଏଠାରେ ଖାଦ୍ୟର ଅଭାବ ନାହିଁ। କିନ୍ତୁ, ଏଠାକାର ସ୍ଥାୟୀ ବାସିନ୍ଦା ହେବା ପାଇଁ ମହାବଳକୁ ସାଥୀ ଦରକାର।

Also Read:-ନଭେମ୍ବର ୨୧ରୁ ପଞ୍ଚୁକ ବ୍ରତ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ବେଶ ଦର୍ଶନ

ଶିମିଳିପାଳ ଭଳି ଏଠାରେ ମହାବଳ ବଂଶ ବିସ୍ତାର ପାଇଁ ଗୋଟିଏ ବାଘୁଣୀକୁ ଅନ୍ୟ ରାଜ୍ୟରୁ ସ୍ଥାନାନ୍ତର କରାଗଲେ, ମହାବଳଟି ଆଉ ଓଡ଼ିଶା ଛାଡ଼ିବନି ବୋଲି ବିଶେଷଜ୍ଞ କହିଛନ୍ତି । ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଓ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆଏନେଇ ଗ୍ରୀନ୍ ସିଗନାଲ ଦେଇସାରିଛି । ତେବେ ଦୀର୍ଘ ଦି ଧରି ରାଜ୍ୟ ସରକାରଙ୍କ ପାଖରେ ବିଚରାଧୀନ ରହିଛି ପ୍ରସ୍ତାବ।