ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ମନ୍ତ୍ରୀମଣ୍ଡଳ ରବିବାର ସମ୍ପ୍ରସାରଣ ହୋଇଛି। ଲକ୍ଷ୍ନୌ ଲୋକଭବନରେ ଆୟୋଜିତ ଶପଥପାଠ ଉତ୍ସବରେ ରାଜ୍ୟପାଳ ଆନନ୍ଦିବେନ ପଟେଲ ୬ ଜଣ ବିଧାୟକଙ୍କୁ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏଥିରେ ଭୂପେନ୍ଦ୍ର ଚୌଧୁରୀ, କୃଷ୍ଣା ପାଶୱାନ, ହଂସରାଜ ବିଶ୍ୱକର୍ମା, ମନୋଜ ପାଣ୍ଡେ, କୈଳାଶ ରଜପୁତ ଓ ଅଜିତ ସିଂହ ପାଲ ମନ୍ତ୍ରୀ ଭାବେ ଶପଥପାଠ କରିଛନ୍ତି।

ମନ୍ତ୍ରୀମଣ୍ଡଳରେ ନୂଆକରି ସାମିଲ ହୋଇଥିବା ନେତାଙ୍କ ମଧ୍ୟରେ ଜଣେ ବ୍ରାହ୍ମଣ, ୩ ଜଣ ଓବିସି ଓ ଦୁଇ ଜଣ ଦଳିତ ସମାଜରୁ ଅଛନ୍ତି। ଏହି ଶପଥ ଗ୍ରହଣ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟା ନାଥ ରାଜ୍ୟପାଳଙ୍କୁ ଭେଟିବାର ଦିନକ ପରେ ହୋଇଛି। ଶପଥଗ୍ରହଣ ଉତ୍ସବ ପରେ ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ମନ୍ତ୍ରାଳୟରେ ଦୀର୍ଘ ସମୟରୁ ଅପେକ୍ଷା କରାଯାଉଥିବା ଅଦଳବଦଳ ଆକଳନରେ ବିରାମ ଲାଗିଛି।

ବ୍ରାହ୍ମଣ, ଓବସି ଓ ଦଳିତଙ୍କୁ ସାଧିବାକୁ ଉଦ୍ୟମ
ଏବେ ଯୋଗୀଙ୍କ ମନ୍ତ୍ରୀମଣ୍ଡଳରେ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକଙ୍କ ସମେତ ମୋଟ ୭ ଜଣ ବ୍ରାହ୍ମଣ ମନ୍ତ୍ରୀ ଅଛନ୍ତି। ପୂର୍ବତନ ମନ୍ତ୍ରୀ ଜିତିନ ପ୍ରସାଦ ସାଂସଦ ନିର୍ବାଚିତ ହେବା ପରେ ଯୋଗୀ କ୍ୟାବିନେଟରେ ବ୍ରହ୍ମଣ କୋଟାର ଗୋଟିଏ ଆସନ ଖାଲି ହୋଇଯାଇଥିଲା। ଏଥି ପାଇଁ ପାର୍ଟି ମନୋଜ ପାଣ୍ଡେଙ୍କୁ ମନ୍ତ୍ରୀ କରିଛି। ସେହିପରି କୃଷ୍ଣା ପାଶୱାନଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରି ସରକାର ଦଳିତ ସମୂଦାୟକୁ ବାର୍ତ୍ତା ଦେବାକୁ ଉଦ୍ୟମ କରିଛନ୍ତି। ଏହା ପୂର୍ବରୁ ଯୋଗୀଙ୍କ ମନ୍ତ୍ରୀମଣ୍ଡଳରେ ଦଳିତ ସମୂଦାୟରୁ ମୋଟ ୮ ଜଣ ମନ୍ତ୍ରୀ ଥିଲେ।

ଉତ୍ତରପ୍ରଦେଶ ବିଧାନସଭାରେ ମୋଟ ୮୬ଟି ସଂରକ୍ଷିତ ଆସନ ରହିଛି। ଏଥିରୁ ୮୪ଟି ଏସସିଙ୍କ ପାଇଁ ଥିବା ବେଳେ ୨ଟି ଏସଟିଙ୍କ ପାଇଁ ରହିଛି। ଏମାନଙ୍କ ମଧ୍ୟରୁ ୬୭ଜଣ ଦଳିତ ବିଧାୟକ ବିଜେପିର ଅଛନ୍ତି। ସେହିପରି ବିଧାନସଭାରେ ମହିଳାଙ୍କ ନିମନ୍ତେ ୫୧ଟି ଆସନ ରହିଛି। ଏଥିରୁ ୩୦ ଜଣ ବିଜେପିରୁ ଥିବା ବେଳେ ୪ ଜଣ ଆପନା ଦଲ ଓ ଗୋଟିଏ ଆରଏଲଡିରୁ ଅଛନ୍ତି। ମହିଳାଙ୍କ ସଂରକ୍ଷଣ ଲାଗୁ କରିବା ପାଇଁ ଜରୁରି ସମ୍ବିଧାନ ସଂଶୋଧନ ବିଲ ସଂସଦରେ ଗୃହୀତ ହୋଇ ପାରିନାହିଁ। ମହିଳାଙ୍କ ମଧ୍ୟରେ ବିପକ୍ଷଙ୍କ ବିରୋଧରେ ବିଜେପି ଏବେ ଏହାକୁ ପ୍ରସଙ୍ଗ କରିଛି। ଏହାକୁ ଆହୁରି ମଜଭୁତ କରିବାକୁ କୃଷ୍ଣା ପାଶୱାନଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦିଆଯାଇଛି।

Also Read..ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ, ସମାରୋହରେ ରାହୁଲ ଗାନ୍ଧୀ ସାମିଲ