ଲକ୍ଷ୍ନୌ: ଦେଶରେ ଏସ୍‌ଆଇଆରକୁ ନେଇ ବିବାଦ ଲାଗି ରହିଥିବା ବେଳେ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଏକ ଦାବି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।  ମୁଖ୍ୟମନ୍ତ୍ରୀଙ୍କ ଦାବି ଅନୁଯାୟୀ, ଉତ୍ତର ପ୍ରଦେଶର ଭୋଟର ତାଲିକାରେ ପ୍ରାୟ ୧.୨୭ କୋଟି ହିନ୍ଦୁଙ୍କ ନାଁ ନାହିଁ ।  ଯୋଗ୍ୟ ଭୋଟରଙ୍କ ନାମ ଯେପରି ତାଲିକାରେ ଅନ୍ତର୍ଭୁକ୍ତ ହେବ, ସେନେଇ ଯୋଗୀ ଆଦିତ୍ୟନାଥ ବିଜେପି କାର୍ଯ୍ୟକର୍ତ୍ତା ଏବଂ ବିଧାୟକ-ସାଂସଦଙ୍କୁ ନଜର ଦେବାକୁ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ ଆୟୋଜିତ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସେ ଏହି କଥା କହିଛନ୍ତି । ସେ କହିଛନ୍ତି ଯେ, ଭୋଟର ତାଲିକାରୁ ଏତେ ସଂଖ୍ୟକ ନାମ ବାଦ୍ ପଡ଼ିବା କାରଣରୁ ରାଜ୍ୟର ୨୮ଟି ସହରାଞ୍ଚଳ ପୌର ନିର୍ବାଚନ ମଣ୍ଡଳୀରେ ଦଳର ସ୍ଥିତି ଦୁର୍ବଳ ହେଉଛି। ରାଜ୍ୟର ମୋଟ ଜନସଂଖ୍ୟା ତୁଳନାରେ ଉତ୍ତର ପ୍ରଦେଶରେ ଭୋଟର ସଂଖ୍ୟା ୧୬ କୋଟିରୁ ଅଧିକ ହେବା କଥା । କିନ୍ତୁ ବର୍ତ୍ତମାନ ଏହା ପ୍ରାୟ ୧୩ କୋଟି ମଧ୍ୟରେ ସୀମିତ ରହିଛି।

ସେ ଦାବି କରିଛନ୍ତି ଯେ, ପ୍ରାୟ ୬୬ ଲକ୍ଷ ଲୋକଙ୍କ ନାମ ଗ୍ରାମ ପଞ୍ଚାୟତ ଭୋଟର ତାଲିକାରେ ଥିଲେ ବି ବିଧାନସଭା ନିର୍ବାଚନ ମଣ୍ଡଳୀ ଭୋଟର ତାଲିକାରୁ ଗାଏବ ଅଛି। ସରକାରୀ ଯୋଜନାର ଲାଭ ପାଉଥିବା ପ୍ରାୟ ୫୫ ଲକ୍ଷ ହିତାଧିକାରୀଙ୍କ ନାମ ମଧ୍ୟ ଭୋଟର ତାଲିକାରେ ନାହିଁ। ଏହା ସହ ୧୮ ରୁ ୧୯ ବର୍ଷ ବୟସ ବର୍ଗର ପ୍ରାୟ ୪.୫ ଲକ୍ଷ ଯୁବକ-ଯୁବତୀଙ୍କ ନାମ ତାଲିକାରୁ ବାଦ୍ ପଡ଼ିଛି। ପୂର୍ବରୁ ହୋଇଥିବା SIR ଅଭିଯାନ ସମୟରେ ରାଜ୍ୟ ଭୋଟର ତାଲିକାରେ କେବଳ ୪ ଲକ୍ଷ ନୂଆ ଭୋଟର ଯୋଡ଼ିହେବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକାଶ କରିଛନ୍ତି।

କାର୍ଯ୍ୟକର୍ତ୍ତାଙ୍କୁ ନିର୍ଦ୍ଦେଶ 
ମୁଖ୍ୟମନ୍ତ୍ରୀ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କ ସହ ସମନ୍ୱୟ ରକ୍ଷା କରି ଯୋଗ୍ୟ ଭୋଟରଙ୍କ ନାମ ଯୋଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଏହି ପ୍ରକ୍ରିୟାର ନିୟମିତ ସମୀକ୍ଷା କରିବାକୁ କହିଛନ୍ତି। ଦଳର ସାଂସଦ, ବିଧାୟକ ଏବଂ ପଦାଧିକାରୀମାନଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି ।  ଯେପରି ସମସ୍ତ ହିନ୍ଦୁ ଭୋଟରଙ୍କ ନାମ ତାଲିକାରେ ସାମିଲ କରାଯାଇପାରିବ ସେନେଇ କାର୍ଯ୍ୟ କରିବାକୁ ଦଳୀ କାର୍ଯ୍ୟକର୍ତ୍ତାଙ୍କୁ କହିଛନ୍ତି ଯୋଗୀ ।

ଅନ୍ୟପଟେ, ଭାରତୀୟ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, ନିକଟରେ ଶେଷ ହୋଇଥିବା SIR ପ୍ରକ୍ରିୟା ପରେ ଉତ୍ତର ପ୍ରଦେଶର ଭୋଟର ତାଲିକାରୁ ୨.୦୪ କୋଟିରୁ ଅଧିକ ଭୋଟରଙ୍କ ନାମ ବାଦ୍ ଦିଆଯାଇଛି। ମୁଖ୍ୟତଃ ସହରାଞ୍ଚଳରେ ଅଧିକ ନାମ ବାଦ ପଡ଼ିଛି । ଏଥିରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ । ତେବେ ରାଜ୍ୟର ସମୁଦାୟ ଭୋଟର ସଂଖ୍ୟା ୧୩,୩୯,୮୪,୭୯୨ ରେ ପହଞ୍ଚିଛି। ଭୋଟର ତାଲିକାରୁ ହିନ୍ଦୁଙ୍କ ନାମ ବାଦ ଦିଆଯିବା ପ୍ରସଙ୍ଗରେ ଯୋଗୀ ଆଦିତ୍ୟନାଥ ଚିନ୍ତା ପ୍ରକାଶ କରିଛନ୍ତି । ଏଥିପାଇଁ ଦଳୀୟ କର୍ଯ୍ୟକର୍ତ୍ତାଙ୍କୁ ବିଏଲଓଙ୍କ ସହ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।