ନୂଆଦିଲ୍ଲୀ: ଆମେରିକା ଓ ଚୀନ ମଧ୍ୟରେ ତାଇୱାନକୁ ନେଇ ଥିବା ବିବାଦ ପୁଣି ଥରେ ସାମନାକୁ ଆସିଛି । ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଯଦି ତାଇୱାନ ପ୍ରସଙ୍ଗକୁ ସଠିକ୍ ଭାବରେ ସମାଧାନ କରା ନଯାଏ, ତେବେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଏପରି କି ସଂଘର୍ଷ ସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ ।

ଚୀନର ସରକାରୀ ମିଡିଆ ଶିନହୁଆ ରିପୋର୍ଟ ଅନୁସାରେ, ଦୁଇ ନେତାଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକ ହୋଇଥିଲା । ଏହି ସମୟରେ ସି ଜିନପିଙ୍ଗ କହିଛନ୍ତି, ତାଇୱାନ ପ୍ରସଙ୍ଗ ଚୀନ-ଆମେରିକା ସମ୍ପର୍କର ସବୁଠାରୁ ସମ୍ୱେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ଅଟେ । ସେ ସ୍ପଷ୍ଟ କରିଛନ୍ତି, ଯଦି ଏହି ପ୍ରସଙ୍ଗରେ ସତର୍କତା ଓ ବୁଝି ବିଚାରି ପଦକ୍ଷେପ ନିଆଯାଏ ତେବେ ଦୁଇ ଦେଶର ସମ୍ପର୍କରେ ସ୍ଥିରତା ଜାରି ରହିବ । କିନ୍ତୁ ଯଦି ଏଥିରେ ହସ୍ତକ୍ଷେପ ବଢେ କିମ୍ୱା ଭୁଲ ପଦକ୍ଷେପ ନିଆଯାଏ, ତେବେ ଦ୍ୱିପାକ୍ଷିକ ସମ୍ପର୍କ ବିପଦରେ ପଡ଼ିବା ନିଶ୍ଚିତ ।

ଜିନପିଙ୍ଗ ସହ ବୈଠକ ଉପରେ ସମ୍ୱାଦିକଙ୍କ ପ୍ରଶ୍ନର ଜବାବରେ ଟ୍ରମ୍ପ କୌଣସି ସିଧା ଉତ୍ତର ଦେଇ ନଥିଲେ । କେବଳ ଭଲ ଆଲୋଚନା ହୋଇଥିବା କହିଥିଲେ । ତାଇୱାନ ପ୍ରସଙ୍ଗରେ ଆଲୋଚନା ହୋଇଛି କି ପ୍ରଶ୍ନର ଉତ୍ତରରେ କିଛି କହି ନଥିଲେ ।

ଉଲ୍ଲେଖଯୋଗ୍ୟ, ଟ୍ରମ୍ପ ଚୀନ ପହଞ୍ଚିବା ପୂର୍ବରୁ ଆମେରିକା ସ୍ଥିତ ଚୀନ ଦୂତାବାସ ସୋସିଆଲ୍ ମିଡିଆ ଏକ୍ସରେ ଏକ ବୟାନ ଜାରି କରିଥିଲେ ଚେତାବନୀ ଦେଇଥିଲା । ଚୀନ କହିଥିଲା, ଆମେରିକା-ଚୀନ ସମ୍ପର୍କରେ ଚାରୋଟି ଲାଲ୍ ରେଖା ରହିଛି, ଯାହାକୁ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ । ଚୀନ ଯେଉଁ ଚାରି ପ୍ରସଙ୍ଗକୁ ସମ୍ୱେଦନଶୀଳ ଦର୍ଶାଇଛି, ସେଥିରେ ତାଇୱାନ, ଗଣତନ୍ତ୍ର ଓ ମାବାଧିକାର, ଦୁଇ ଦେଶର ରାଜନୈତିକ ବ୍ୟବସ୍ଥା ଏବଂ ଚୀନର ବିକାଶ ଅଧିକାର ସାମିଲ ରହିଛି । ଚୀନ ସ୍ପଷ୍ଟ ସଂକେତ ଦେଇଛି ଯେ ଏହି ପ୍ରସଙ୍ଗ ଉପରେ କୌଣସି ପ୍ରକାର ଚାପ କିମ୍ୱା ହସ୍ତକ୍ଷେପ ସ୍ୱୀକାର ନୁହେଁ ।

ଉଲ୍ଲେଖଯୋଗ୍ୟ, ତାଇୱାନ ଦୀର୍ଘ ବର୍ଷ ଧରି ୱାଶିଂଟନ ଏବଂ ବେଜିଂ ମଧ୍ୟରେ ବିବାଦର ସବୁଠୁ ବଡ଼ ପ୍ରସଙ୍ଗ ରହିଛି । ଚୀନ ତାଇୱାନକୁ ନିଜର ବୋଲି ଦାବି କରୁଛି, ଅନ୍ୟପଟେ ଆମେରିକା ପକ୍ଷରୁ ତାଇୱାନକୁ ସୈନ୍ୟ ଓ ରାଜନୈତିକ ସମର୍ଥନ ଦେଇ ଆସୁଛି । ଏହି କାରଣରୁ ଦୁଇ ମହଶକ୍ତି ମଧ୍ୟରେ ଉତ୍ତେଜନା ଲାଗି ରହୁଛି ।