ନୂଆଦିଲ୍ଲୀ: ପାରସ୍ୟ ଉପସାଗରରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଏକ ଭୟଙ୍କର ଯୁଦ୍ଧର ରୂପ ନେଇଛି । ବୁଧବାର ରଣକ୍ଷେତ୍ର ପାଲଟିଥିବା ହର୍ମୁଜ ପ୍ରଣାଳୀ (Strait of Hormuz)ରେ ଉଭୟ ପକ୍ଷ ପରସ୍ପର ଉପରେ ପ୍ରତିଶୋଧମୂଳକ ଆକ୍ରମଣ କରିଛନ୍ତି । ଏହି ରକ୍ତାକ୍ତ ସଂଘର୍ଷରେ ଦୁଇ ଦେଶର ପ୍ରାୟ ୧୫ଟି ବାଣିଜ୍ୟିକ ଓ ଅଏଲ୍ ଟ୍ୟାଙ୍କର ଜାହାଜ ସମ୍ପୂର୍ଣ୍ଣ ଧ୍ୱଂସ ହୋଇ ସମୁଦ୍ରରେ ବୁଡ଼ି ଯାଇଥିବା ବେଳେ ଲକ୍ଷ ଲକ୍ଷ ବ୍ୟାରେଲ୍ କ୍ରୁଡ୍ ଅଏଲ୍ ନଷ୍ଟ ହୋଇଯାଇଛି । ଗତ ଛଅ ମାସ ଧରି ଜାରି ରହିଥିବା ଏହି ଛାୟା ଯୁଦ୍ଧରେ ଏହାକୁ ସବୁଠାରୁ ବଡ଼ ସାମୁଦ୍ରିକ ଆକ୍ରମଣ ବୋଲି କୁହାଯାଉଛି ।

ରିପୋର୍ଟ ଅନୁଯାୟୀ, ଆମେରିକୀୟ ନୌସେନା ପ୍ରଥମେ ଆକ୍ରମଣ କରି ଇରାନର ୫ଟି ପ୍ରମୁଖ ତେଲ ଟ୍ୟାଙ୍କରକୁ ସମୁଦ୍ର ଗର୍ଭରେ ବୁଡ଼ାଇ ଦେଇଥିଲା । ଆମେରିକାର କହିବା କଥା ଯେ, ଗତ ଦୁଇ ଦିନ ଧରି ଇରାନର 'ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ' (IRGC) ଆମେରିକାର ଯୁଦ୍ଧ ଜାହାଜ ଉପରକୁ ବାଲିଷ୍ଟିକ ମିସାଇଲ ମାଡ଼ କରିଥିଲା, ଯାହାର ଜବାବରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆମେରିକାର ଏହି ବଡ଼ କାର୍ଯ୍ୟାନୁଷ୍ଠାନ ପରେ ଇରାନ ତୁରନ୍ତ ପ୍ରତିଶୋଧ ନେଇଥିଲା । ଇରାନ ସେନା ଦାବି କରିଛି ଯେ ସେମାନେ ପାଲଟା ଆକ୍ରମଣ କରି ଆମେରିକାର ୨ଟି ଜାହାଜକୁ ବୁଡ଼ାଇବା ସହ ଅନ୍ୟ ୮ଟି ବଡ଼ ତେଲ ଟ୍ୟାଙ୍କରକୁ ଛାରଖାର କରିଦେଇଛନ୍ତି ।

ଡ୍ରୋନ୍ ଆକ୍ରମଣରେ ଜଳିଗଲା ଜାହାଜ, ନାବିକ ମୃତ

ଏହି ସାମୁଦ୍ରିକ ଯୁଦ୍ଧ ମଧ୍ୟରେ ଦୁବାଇ ଏବଂ ଇରାକ ସୀମାରେ ଥିବା ବାଣିଜ୍ୟିକ ଜାହାଜଗୁଡ଼ିକ ଗମ୍ଭୀର ଭାବେ ପ୍ରଭାବିତ ହୋଇଛନ୍ତି । ଦୁବାଇ ନିକଟରେ ଥିବା 'ହରକ୍ୟୁଲିସ ଷ୍ଟାର' ନାମକ ଏକ ଜାହାଜ ଉପରେ ଡ୍ରୋନ ମାଡ଼ ହେବା ଫଳରେ ଜଣେ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ନାବିକ ନିଖୋଜ ଅଛନ୍ତି । ସେହିପରି ଇରାକ ଜଳସୀମାରେ ପ୍ରାୟ ୨୦ ଲକ୍ଷ ବ୍ୟାରେଲ୍ ତେଲ ବହନ କରୁଥିବା 'ନ୍ୟୁ ଆଣ୍ଡ୍ରୋସ' ନାମକ ଏକ ବିଶାଳ ଟ୍ୟାଙ୍କର ଉପରେ ମଧ୍ୟ ଡ୍ରୋନ୍ ଆକ୍ରମଣ କରାଯାଇଛି, ଯାହାଫଳରେ ସେଥିରେ ଭୟାବହ ନିଆଁ ଲାଗିଯାଇଛି ।

Also Read: ୫ ଇରାନୀ ତେଲ ଟ୍ୟାଙ୍କରକୁ ଧ୍ୱଂସ କଲା ଆମେରିକା, US ବେସ୍ ଉପରେ ତେହେରାନର ବାଲିଷ୍ଟିକ୍ ମିସାଇଲ ଆଟାକ୍

ଆମେରିକା ମିଲିଟାରୀ ବେସ୍ ଉପରକୁ ମିସାଇଲ୍ ମାଡ଼

କେବଳ ସମୁଦ୍ର ମଝିରେ ନୁହେଁ, ବରଂ ସ୍ଥଳଭାଗରେ ମଧ୍ୟ ଇରାନ ଆମେରିକାକୁ ଟାର୍ଗେଟ୍ କରିଛି । ଇରାନର ସେନା ପକ୍ଷରୁ ଜର୍ଡାନରେ ଥିବା ଆମେରିକାର ଏକ ପ୍ରମୁଖ ସାମରିକ ଘାଟି (Military Base) ଉପରକୁ ୨୦ଟି ବାଲିଷ୍ଟିକ ମିସାଇଲ ନିକ୍ଷେପ କରାଯାଇଥିଲା । ତେବେ ଜର୍ଡାନର ଏୟାର ଡିଫେନ୍ସ ସିଷ୍ଟମ ସେଥିମଧ୍ୟରୁ ୧୮ଟି ମିସାଇଲକୁ ଆକାଶରେ ହିଁ ଧ୍ୱଂସ କରିଦେଇଥିବାରୁ କୌଣସି ଆମେରିକୀୟ ସୈନିକ ଆହତ ହୋଇନାହାନ୍ତି ।

ବିଶ୍ୱ ବଜାରରେ ବଢ଼ିବ ତେଲ ଦର !

ଏହି ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ଲଢ଼େଇ ଯୋଗୁଁ ସମଗ୍ର ମଧ୍ୟପ୍ରାଚ୍ୟ (Middle East)ରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି, ଯାହାର ସିଧାସଳଖ ପ୍ରଭାବ ଆନ୍ତର୍ଜାତୀୟ ବଜାର ଉପରେ ପଡ଼ିବାକୁ ଯାଉଛି । ବିଶ୍ୱସ୍ତରୀୟ ତେଲ ଯୋଗାଣ ବାଧାପ୍ରାପ୍ତ ହେବା ଆଶଙ୍କାରେ ବ୍ରେଣ୍ଟ କ୍ରୁଡ୍ ଅଏଲ୍ (Brent Crude)ର ମୂଲ୍ୟ ବ୍ୟାରେଲ୍ ପ୍ରତି ୧୦୦ ଡଲାର ପାର୍ କରିଯାଇଛି । ଆଗକୁ ଯଦି ଏହି ବିବାଦ ଥମିବାର ନାଁ ନନିଏ, ତେବେ ବିଶ୍ୱବାସୀଙ୍କୁ ଆହୁରି ମହଙ୍ଗା ମାଡ଼ ସହିବାକୁ ପଡ଼ିପାରେ ବୋଲି ଅର୍ଥନୀତିଜ୍ଞମାନେ ଚେତାବନୀ ଦେଇଛନ୍ତି।