ନୂଆଦିଲ୍ଲୀ, ୦୯/୦୯ : ଇରାନ ଏବଂ ଆମେରିକା ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଉତ୍ତେଜନା ମଧ୍ୟରେ ୫ଟି ଇରାନୀ ତୈଳ ଟ୍ୟାଙ୍କରକୁ ଆମେରିକା ସମୁଦ୍ରରେ ଧ୍ୱଂସ କରିଦେଇଛି । ଏନେଇ ଆମେରିକା ସେନା ପକ୍ଷରୁ ଦାବି କରାଯାଇଛି । ଏହି ସବୁ ଜାହାଜ ଆଇଆରଜିସିର ଥିଲା । ଆମେରିକା ଜହାଜ ଉପରେ ଇରାନର ମିସାଇଲ ଆକ୍ରମଣ ପ୍ରୟାସ ପରେ ୟୁଏସ ଏପରି ଭାବେ ଜବାବ ଦେଇଛି ।

ଆମେରିକା ସେଣ୍ଟ୍ରାଲ୍ କମାଣ୍ଡ୍ କହିଛି ଯେ, ଇରାନ ଗତ ଦୁଇଦିନରେ ଆମେରିକା ଜାହାଜ ଉପରେ ବାଲିଷ୍ଟିକ୍ ମିସାଇଲ୍ ଦ୍ୱାରା ଆକ୍ରମଣ କରିଥିଲା । କିନ୍ତୁ ୟୁଏସ ଜାହାଜର କିଛି କ୍ଷତି ହୋଇନାହିଁ । କୌଣସି ଆମେରିକୀୟ ସୈନ୍ୟ ମୃତାହତ ନେଇ ଖବର ଆସିନି । ଏହାପରେ ଓମାନ ସାଗରରେ ୪ଟି ଇରାନୀ ତୈଳ ଟ୍ୟାଙ୍କରକୁ ଟାର୍ଗେଟ୍ କରାଯାଉଛି । ଅନ୍ୟ ଏକ ଟ୍ୟାଙ୍କରକୁ ଖାର୍ଗ ଦ୍ୱୀପରେ ଆକ୍ରମଣ କରାଯାଇଛି ।

ଆକ୍ରମଣ ପୂର୍ବରୁ ଜାହାଜର ସଦସ୍ୟଙ୍କୁ ଚାଲି ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାପରେ ହିଁ ଆକ୍ରମଣ ହୋଇଥିଲା । ଏବେ ସବୁ ଜାହାଜ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ୟୁଏସ ସେଣ୍ଟ୍ କମ୍ ପ୍ରକାଶ କରିଛି ।

ଅନ୍ୟ ଦିଗରେ ଇରାନ ମଧ୍ୟ ଆମେରିକାର ସାମରିକ ବେସକୁ ଟାର୍ଗେଟ୍ କରିଛି । ଜୋର୍ଡାନରେ ଥିବା ମୁଆଫଜ୍ ସଲଟି ଏୟାର ବେସକୁ ଟାର୍ଗେଟ୍ କରାଯାଇଛି । ଏହାସହ ଅଲ୍ ଆଜାରକ୍ ବେସ୍ ରେ ବି ବାଲିଷ୍ଟିକ୍ ମିସାଇଲ୍ ମାଡ଼ ହୋଇଛି । ଜୋର୍ଡାନ ମଧ୍ୟ ଆକ୍ରମଣ ନେଇ ସ୍ପଷ୍ଟ କରିଛି । ଏହାସହ ଆକାଶରେ ୧୮ଟି ମିସାଇଲକୁ ଇଣ୍ଟରସେପ୍ଟ କରାଯାଇଥିବା ଜୋର୍ଡାନ୍ ପ୍ରକାଶ କରିଛି । 

ବଢିଲା ତେଲ ରେଟ୍

ମଧ୍ୟପ୍ରାଚ୍ୟ ଅଶାନ୍ତ ରହିବା କାରଣରୁ ଅଶୋଦ୍ଧିତ ତୈଳ ଉପରେ ଏହାର ପ୍ରଭାବ ପଡିଛି । ବୁଧବାର ସକାଳେ ଦର ଏକ ଡଲାର ବୃଦ୍ଧି ପାଇଛି । ବ୍ରେଣ୍ଟ୍ କ୍ରୁଡ୍ ତେଲ ବ୍ୟାରେଲ୍ ପିଛା ୯୯.୪୯ ଡଲାରରେ ପହଁଚିଥିବା ବେଳେ ଟେକସାସ୍ ଇଣ୍ଟରମିଡିଏଟ୍ କ୍ରୁଡ୍ ୯୪. ଡଲାର ଛୁଇଁଛି ।