ଭୁବନେଶ୍ବର: ଏମ୍.ଜି.ଏମ୍.ମିନେରାଲସ୍ ଲିମିଟେଡ୍‌ର ପଟବେଡ଼ା ଲୌହ ଖଣି ପକ୍ଷରୁ ଗତ ୫ ଜୁନ୍‌ରେ ବିଶ୍ବ ପରିବେଶ ଦିବସ ୨୦୨୬ ଅତ୍ୟନ୍ତ ଉତ୍ସାହ ଏବଂ ଉଦ୍ଦୀପନାର ସହ ପାଳନ କରାଯାଇଥିଲା । ଚଳିତ ବର୍ଷର ପରିବେଶ ଦିବସ ୨୦୨୬ର ମୂଳ ମନ୍ତ୍ର ଥିଲା "ପ୍ରକୃତିର ପ୍ରେରଣାରେ, ଜଳବାୟୁର ସୁରକ୍ଷା ଏବଂ ଆମ ଭବିଷ୍ୟତ ।"

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଇଡ଼ା ବ୍ଲକ୍‌ର ବନ ଅଧିକାରୀ ପ୍ରସନ୍ନ କୁମାର ପ୍ରଧାନ ଉପସ୍ଥିତ ରହି ପରିବେଶ ସୁରକ୍ଷା ଓ ବୃକ୍ଷରୋପଣର ଗୁରତ୍ବ ଉପରେ ଆଲୋକପାତ କରିଥିଲେ । ଖଣି ପରିଚାଳକ ଚତୁର୍ଭୂଜ ସାହୁ ତାଙ୍କ ବକ୍ତବ୍ୟରେ ପରିବେଶ ସୁରକ୍ଷା, ଖଣି ଅଞ୍ଚଳରେ ସବୁଜିମା ବୃଦ୍ଧି ଏବଂ ସ୍ଥାୟୀ ଖଣି କାର୍ଯ୍ୟକଳାପର ଆବଶ୍ୟକତା ଉପରେ ଅଭିଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଖଣି କର୍ମଚାରୀ, ଶ୍ରମିକ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ସମେତ ପ୍ରାୟ ୨୦୦ରୁ ଅଧିକ ଲୋକ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ ।

​​​​​​​

"ଏକ ପେଡ୍ ମା' କେ ନାମ" ଅଭିଯାନର ଅଂଶ ଭାବେ ପରିବେଶ ସଂରକ୍ଷଣ ସମ୍ପର୍କିତ ସଚେତନତା ବୃଦ୍ଧି ଓ ସକ୍ରିୟ ଅଂଶ ଗ୍ରହଣକୁ ଉତ୍ସାହିତ କରିବା ପାଇଁ ପରିବେଶ କୁଇଜ୍‌ ପ୍ରତିଯୋଗିତା ଆୟୋଜନ କରାଯାଇ ଯାଇଥିଲା। ଏହା ସହିତ ସୁନ୍ଦରଗଡ଼ ଜିଲ୍ଲାର ମାଲଦା ପଂଚାୟତ ଅଧିନସ୍ଥ ପଟାବେଡ଼ା ଏବଂ କେନାଭେଟା ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅଭିଯାନରେ ମୋଟ ୧୨୫ଟି ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମର ଶେଷରେ ଖଣି ପରିଚାଳକ ସମସ୍ତ ଅତିଥି, କର୍ମଚାରୀ ଏବଂ ଗ୍ରାମବାସୀ ବୃନ୍ଦକୁ ଧନ୍ୟବାଦ ଜଣାଇବା ସହ ପରିବେଶ ସୁରକ୍ଷା ଏବଂ ସବୁଜ ପୃଥ‌ିବୀ ଗଠନ ଦିଗରେ ସମସ୍ତଙ୍କ ସହଯୋଗ ଓ ସକ୍ରିୟ ଅଂଶ ଗ୍ରହଣ ପାଇଁ ଆହ୍ବାନ କରିଥିଲେ ।