ଭୁବନେଶ୍ବର ୧୯।୯: ରାଜ୍ୟ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ହେଉଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚାଲିଥିବା ରାସ୍ତା, ଫ୍ଲାଏଓଭର, କୋଠାବାଡ଼ି ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପର ଗୁଣବତ୍ତା ଓ ବିଳମ୍ବକୁ ନେଇ ସାଂସଦ ଏବଂ ବିଧାୟକ ମାନେ ମନ୍ତ୍ରୀଙ୍କୁ ଚିଠି ଲେଖି ଅଭିଯୋଗ ଜଣାଇଥିଲେ । ଜନପ୍ରତିନିଧିଙ୍କ ଏହି ଚିଠିକୁ ଗୁରୁତ୍ୱର ସହ ନେଇ ମନ୍ତ୍ରୀ ଏହି ଜରୁରୀ ସମୀକ୍ଷା ବୈଠକ ଡାକିଛନ୍ତି ।

ପୂର୍ବରୁ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଓ ମାନ ପରଖିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା । ଆଜିର ବୈଠକରେ ପୂର୍ତ୍ତ ବିଭାଗର ସଚିବ, ବରିଷ୍ଠ ଅଧିକାରୀ, ଏବଂ କମିଟିର ସଦସ୍ୟ ସାମିଲ ହୋଇଛନ୍ତି । ଜନପ୍ରତିନିଧି ମାନଙ୍କ ଦ୍ୱାରା ଉଠାଯାଇଥିବା ପ୍ରଶ୍ନ ଓ ସମସ୍ୟାଗୁଡ଼ିକୁ ପ୍ରାଥମିକତା ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି ।

ବୈଠକ ପରେ ପୂର୍ତ୍ତ ମନ୍ତ୍ରୀ କହିଛନ୍ତି, ବୈଠକରେ ସାଂସଦ ମାନଙ୍କ ଚିଠିକୁ ନେଇ ଆଲୋଚନା ହୋଇଛି । ପୂର୍ତ୍ତ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ବ୍ରହ୍ମପୁର ସାଂସଦ ଯେଉଁ ପ୍ରକଳ୍ପ କଥା କହିଛନ୍ତି ପ୍ରକଳ୍ପ ବିଳମ୍ବ ହୋଇନି, କାମ ଚାଲିଛି । ବ୍ୟସ୍ତବହୁଳ ରାସ୍ତା ହୋଇଥିବାରୁ ଛକ ପାଖରେ କନଷ୍ଟ୍ରକସନ ପାଇଁ ବାଧା ହେଉଥିଲା । କାମ ଯେଉଁ ଗତିରେ ଚାଲିବା କଥା ଚାଲିଛି । କ୍ୱାଲିଟି ପରୀକ୍ଷଣ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି ।

Also Read:- ସମ୍ପତ୍ତି ବିବାଦର କରୁଣ ପରିଣତି, ସାବତ ଭାଇକୁ କଟୁରୀରେ ହାଣିଲେ ଦୁଇ ଭାଇ

ବଲାଙ୍ଗିର ସାଂସଦଙ୍କ ଚିଠିକୁ ନେଇ ବି ଆଲୋଚନା ହୋଇଛି । ଜନବସତି କାରଣରୁ ବାଇପାସ କରିବାକୁ ପଡୁଛି । ଜଙ୍ଗଲ ଜମି ରହୁଥିବାରୁ ବିଳମ୍ବ ହେଉଛି । ସେଥିପାଇଁ ସାମାନ୍ୟ ବିଳମ୍ବ ହୋଇଛି । ଆଗକୁ କାମ ତ୍ୱରାନ୍ୱିତ ହେବ । ଭେହିକିଲ ଅଣ୍ଡର ପାସ ପାଇଁ ନବରଙ୍ଗପୁର ସାଂସଦ ଲେଖିଥିଲେ ତାକୁ ବିଚାରକୁ ନିଆଯାଉଛି । କାମର ଅଗ୍ରଗତି ନେଇ କମ୍ପ୍ଲାଏନ୍ସ ରିପୋର୍ଟ ସାଂସଦ ମାନଙ୍କୁ ଦିଆଯିବ । ସ୍ଥାନୀୟ ଅଞ୍ଚଳର କାମର ଅଗ୍ରଗତି ନେଇ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଜଣାଇବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ରହିଛି । ପୂର୍ବରୁ ଏ ନେଇ ଉଚ୍ଚ ସ୍ତରୀୟ କମିଟି ଗଠନ ହୋଇଥିଲା ବୋଲି ପୂର୍ତ୍ତ ମନ୍ତ୍ରୀ ସୂଚନା ଦେଇଛନ୍ତି ।

Watch Video: