ନୂଆଦିଲ୍ଲୀ: ପ୍ରେମିକ ସହ ମିଶି ରଚିଲେ ସ୍ବାମୀ ହତ୍ୟା ଷଡ଼ଯନ୍ତ୍ର। ହତ୍ୟା ପାଇଁ ସୁପାରୀ କିଲରକୁ ଦେଲେ ଟଙ୍କା। ଖାଲି ସେତିକି ନୁହେଁ ଥାନାରେ ପହଞ୍ଚି କହିଲେ ମନଗଢ଼ା କାହାଣୀ। ପରକୀୟା ପ୍ରୀତି ପାଇଁ ଜଣେ ମହିଳା ରଚିଥିବା ହତ୍ୟା ଷଡ଼ଯନ୍ତ୍ର ସମସ୍ତକୁ ଚକିତ କରିଛି। ପୋଲିସ ମାମଲାରେ ମହିଳା ଏବଂ ତାଙ୍କ ପ୍ରେମିକକୁ ଗିରଫ କରିଥିବା ବେଳେ, ହତ୍ୟା କରିଥିବା ସୁପାରୀ କିଲରକୁ ଖୋଜୁଛି। ଘଟଣା ଘଟିଛି ମଧ୍ୟପ୍ରଦେଶ ଧାର ଜିଲ୍ଲାରେ।

ସୂଚନା ଅନୁସାରେ, ସୋମବାର- ମଙ୍ଗଳବାର ରାତିରେ ଧାର ଜିଲ୍ଲା ଗୋନ୍ଦିଖେଡ଼ା ଗାଁର ୨୮ ବର୍ଷୀୟ ଦେବ କ୍ରିଷ୍ଣା ପୁରୋହିତଙ୍କୁ କେହି ଦୁର୍ବୃତ୍ତ ଛୁରୀ ଆକ୍ରମଣ କରି ହତ୍ୟା କରିଥିଲେ। ସକାଳେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ପ୍ରାଥମେ ଏହି ହତ୍ୟା ଡକାୟତି ପାଇଁ କରାଯାଇଥିବା କୁହାଯାଇଥିଲେ ବି ପୋଲିସ ୩୬ ଘଣ୍ଟା ମଧ୍ୟରେ ଘଟଣାର ପର୍ଦ୍ଦାଫାଶ କରିଛି। ଏହା ଡକାୟତି ପାଇଁ ନୁହେଁ ବରଂ ଏକ ସୁନଚିନ୍ତିତ ହତ୍ୟାକାଣ୍ଡ ବୋଲି କହିଛି ପୋଲିସ। ବଡ଼ କଥା ହେଲା ଏହି ହତ୍ୟାକାଣ୍ଡ ପଛରେ ରହିଛି ମୃତକଙ୍କ ପତ୍ନୀଙ୍କ ହାତ। ଏମିତିରେ ଏହି ଘଟଣା ଏବ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଛି।

Also Read: ବୃଦ୍ଧଙ୍କ ସହ ସମ୍ପର୍କ ରଖିବାକୁ ମନା କରିବାରୁ ପ୍ରେମିକାକୁ ମାରିଦେଲା ପ୍ରେମିକ, ମୃତଦେହକୁ ଖଟ ବାକ୍ସ ଭିତରେ ପୂରାଇଦେଲା

ଥାନାରେ ମହିଳା କହିଥିଲେ ମନଗଢ଼ା କାହାଣୀ

ପୋଲିସର ସୂଚନା ଅନୁସାରେ, ମଙ୍ଗଳବାର ସକାଳେ ମୃତକଙ୍କ ପତ୍ନୀ ପ୍ରିୟଙ୍କା ପୁରୋହିତ (୨୫) ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ ଯେ, କିଛି ଅଜଣା ଦୁର୍ବୃତ୍ତ ଘରେ ପଶି ତାଙ୍କ ସ୍ବାମୀଙ୍କୁ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ। ଆଉ ତାଙ୍କୁ ଘରେ ଏକ ରୁମ୍ରେ ବନ୍ଦ କରିଦେଇ ଟଙ୍କା ଏବଂ ସୁନା ନେଇ ଫେରାର ହୋଇଯାଇଥିଲେ। ହେଲେ ପୋଲିସ ମହିଳାଙ୍କ କଥାକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ।

ସୁପାରୀ କିଲରକୁ ଦେଇଥିଲେ ଟଙ୍କା

ଏସପି ମୟଙ୍କ ଅଓ୍ବସ୍ତି କହିଛନ୍ତି, ତଦନ୍ତରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଥିଲା। ସେ କହିଛନ୍ତି, ପ୍ରିୟଙ୍କା ୧୫ ବର୍ଷ ବୟସରେ ଦେବ କ୍ରିଷ୍ଣାଙ୍କୁ ବିବାହ କରିଥିଲେ। ମାତ୍ର ସେ ଶାଶୁ ଘର ରହିବାକୁ ଚାହୁନଥିଲେ। ଫଳରେ ସେମାନଙ୍କ ମଧ୍ୟରେ ଅନେକ ସମୟରେ ବିବାଦ ହେଉଥିଲା। ସମୟକ୍ରମେ ପ୍ରିୟଙ୍କା ରାଜଗଡ଼ର କମଲେଶ ପୁରୋହିତ ନାମକ ଜଣେ ୩୨ ବର୍ଷୀୟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ଓ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ିଉଠିଥିଲା। ଏମିତିରେ ଉଭୟ, ଦେବ କ୍ରିଷ୍ଣାଙ୍କୁ ରାସ୍ତାରୁ ହଟାଇବାକୁ ରଚିଥିଲେ ଷଡ଼ଯନ୍ତ୍ର। ଏଥିପାଇଁ ସେମାନେ ସୁପାରୀ କିଲର ସୁରେନ୍ଦ୍ରକୁ ୧ ଲକ୍ଷ ଟଙ୍କା ଦେଇଥିଲେ।

Also Read: ରାତିରେ ପ୍ରେମିକ ପାଖରେ ଶୋଇଥିଲା ବିବାହିତା ଭଉଣୀ, ଦେଖିଦେଲା ଭାଇ...ସକାଳେ ସବୁ କହିଦେଲା ୧୦ ବର୍ଷର ପୁଅ

ମୃତକଙ୍କ ପରିବାର ଲୋକ କହିଛନ୍ତି, ଏହି ବିବାହ ପରଠୁ ଉଭୟଙ୍କ ମଧ୍ୟରେ ସବୁ ବେଳେ ତିକ୍ତତା ଲାଗି ରହୁଥିଲା। ମୃତକଙ୍କ ଭଉଣୀ ଅଭିଯୋଗ କରିଛନ୍ତି ପ୍ରିୟଙ୍କା ସବୁବେଳେ ଦେବକୁ କଳା ବୋଲି କହି ଅପମାନିତ କରୁଥିଲେ। ଏମିତିକି ସେ ତାଙ୍କୁ ଯୋଗ୍ୟ ନୁହେଁ ବୋଲି ମଧ୍ୟ କହୁଥିଲେ।

କଲ୍ ଡିଟେଲରୁ ଧରାପଡ଼ିଲା ସତ

ତେବେ ମୋବାଇଲ ଫୋନ୍ ଡାଟାରୁ ସବୁ ତଥ୍ୟ ସାମ୍ନାକୁ ଆସିଥିଲା। କଲ୍ ରେକର୍ଡ ଏବଂ ଅନ୍ୟ ତଥ୍ୟ ଆଧାରରେ ପ୍ରିୟଙ୍କା ଏବଂ କମଲେଶ ହତ୍ୟା ସମୟରେ ଘଟଣାସ୍ଥଳରେ ଥିବା ଜଣାପଡ଼ିଥିଲା। ଫଳରେ ସନ୍ଦେହ ବଢ଼ିଥିଲା। ଏହାପରେ ପୋଲିସ ପ୍ରିୟଙ୍କାଙ୍କୁ ପଚରାଉଚରା କରିଥିଲା। ଶେଷର ପ୍ରିୟଙ୍କା ସବୁ ସତକଥା କହିଥିଲେ। ପରେ ପୋଲିସ ପ୍ରିୟଙ୍କା ଏବଂ କମଲେଶଙ୍କୁ ଗିରଫ କରିଥିଲା। ବର୍ତ୍ତମାନ କଣ୍ଟ୍ରାକ୍ଟ କିଲର ସୁରେନ୍ଦ୍ରକୁ ଧରିବାକୁ ଯାଞ୍ଚ ଜାରି ରଖିଛି ପୋଲିସ।