ମୋରଡ଼ା:  ଗାଁ ପାଖ ଜଙ୍ଗଲରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।  ସେହି ସ୍ଥାନ ଦେଇ କିଛି ଲୋକ ଯାଉଥିବା ବେଳେ ମହିଳାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ଓ ମହିଳାଙ୍କ ପରିବାର ଲୋକଙ୍କୁ  ଖବର ଦେଇଥିଲେ। ଖବର ପାଇ ମହିଳାଙ୍କ ଶାଶୂ ଘର ଓ ବାପା ଘର ଲୋକେ ସେଠାରେ ପହଞ୍ଚିଥିଲେ। ପରେ ଘଟଣାରେ ଆସିଥିଲା ନୂଆ ମୋଡ଼। ଶାଶୂଘର ଲୋକେ ଏହାକୁ ଆତ୍ମହତ୍ୟା କହୁଥିବାବେଳେ, ବାପଘର ଲୋକେ ଏହାକୁ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି।

ଏଭଳି ଏକ ଅଭାବନୀୟ  ଘଟଣାଟି ଘଟିଛି ରାସଗୋବିନ୍ଦପୁର ଥାନା ଅର୍ନ୍ତଗତ ନାକିଚୁଆ ପଞ୍ଚାୟତର ରାଇଶୋଳ ଗାଁରେ। ନଳଗଜା ପଞ୍ଚାୟତ ଅନ୍ତର୍ଗତ ତେଲକୁଣ୍ଡି ଗାଁର ବାଇଧର ହାଁସଦାଙ୍କ ଝିଅ ମାଇନ ହାଁସଦାଙ୍କୁ ଗତ୯ ମାସ ତଳେ ଭଲ ପାଇ ବାହାଇଥିଲେ କାର୍ତ୍ତିକ । ମଝିରେ ମଝିରେ ସ୍ୱାମୀ ସ୍ତ୍ରୀଙ୍କ ମନମାଳିନ୍ୟ ହୁଏ। ବାପା ଆସି ବୁଝାସୁଝା କରିଥିଲେ। ହେଲେ କଣ ହେଲା କେଜାଣି ରବିବାର ସକାଳୁ ସକାଳୁ ଝିଅ ବେକରେ ଉତ୍ତରି ଲଗାଇ ଫାଶୀ ଦେଇ ଦେଇଛି। ଏ ଖବର ପାଇବା ପରେ ବାପା ବାଇଧର ଆସି  ଘଟଣା ସ୍ଥଳରେ ପହଞ୍ଚିଥିଲେ। ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ଝିଅକୁ ମାରି ଟାଙ୍ଗି ଦେଇଥିବା ସନ୍ଦେହ କରିଥିଲେ। ସେ କହିଥିଲେ, ଏତେ ଉଚ୍ଚକୁ ଉଠି ପାରିବନି ମୋ  ଝିଅ , ତାଙ୍କୁ ମାରି ଟାଙ୍ଗି ଦେଇଛନ୍ତି ବୋଲି ବାପା ଅଭିଯୋଗ ଆଣିଛନ୍ତି।

 Also Read- ଲଗାଣ ବର୍ଷାରେ ଭୁବନ ବ୍ଲକ୍‌ରେ ବନ୍ୟା ସ୍ଥିତି : ୩ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ, ୪୦ ଫୁଟର ଘାଇ

ଖବର ପାଇ ରାସଗୋବିନ୍ଦପୁର ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ‌ । ପରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପଠାଯାଇଥିବା ଜଣାପଡିଛି । ଏହି ଘଟଣାକୁ ନେଇ ରାସଗୋବିନ୍ଦପୁର ଥାନାରେ ୪୩୫/୨୬ ଧାର ଅନୁସାରେ ମାମଲା ରୁଜୁ କରାଯାଇଛି । ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି କହିଛନ୍ତି ଥାନା ଅଧିକାରୀ।