ନିଶ୍ଚିନ୍ତକୋଇଲି ୬।୮: ବିବାହର ମାସେ ନପୁରୁଣୁ ଜଳିଲା ଚିତା । ନବବିବାହିତା ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମ ପାଇଁ ବାନ୍ଧି ହୋଇ ରହିବାକୁ ଶପଥ କରିଥିବା ସ୍ବାମୀ ନିମିଷକେ ଭୁଲିଗଲା ହିତାହିତ ଜ୍ଞାନ । ଆଉ ଭୁଲିଗଲା ସାତ ଜନ୍ମ ପାଇଁ ସ୍ବାମୀ-ସ୍ତ୍ରୀର ସମ୍ପର୍କ । ଗତ ଜୁଲାଇ ମାସ ୧୨ ତାରିଖରେ ହୋଇଥିଲା ବାହାଘର । ଘର କାନ୍ଥରୁ ବିବାହ ଚିତା ନଲିଭୁଣୁ ଲିଭିଗଲା ଜୀବନ ଦୀପ । କୌଣିସି କାରଣରୁ ସ୍ୱାମୀ ସାଜିଲା ସ୍ତ୍ରୀର ହତ୍ୟାକାରୀ । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ହେଲା ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନେମାଳ ଥାନା ସହଦେବପୁର ଗାଁରେ । ଗାଁର ଶୈଳେନ୍ଦ୍ର ମଲିକ ବୁଧବାର ବିଳମ୍ବିତ ରାତିରେ ସ୍ତ୍ରୀ ରୋଜାଲିନକୁ ଟାଙ୍ଗିଆରେ ଅତି ନିର୍ମମ ଭାବେ ଆକ୍ରମଣ କରିଥିଲା । ଫଳରେ ସ୍ତ୍ରୀ ରୋଜାଲିନ ଓରଫ୍ ରୁବିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ବଚସା ନେଲା ଉଗ୍ରରୂପ

ସ୍ୱାମୀ-ସ୍ତ୍ରୀ ରାତିରେ ନିଜ ବେଡ୍ ରୁମ୍‌ରେ ଖାଇପିଇ ଶୋଇଥିବା ସମୟରେ ହଠାତ୍ କୌଣସି କାରଣରୁ ବଚସା ହୋଇଥିଲା । ପରେ ଉତ୍ତ୍ୟକ୍ତ ହୋଇ ସ୍ବାମୀ ଶୈଳେନ୍ଦ୍ର ଘରୁ ଏକ ଟାଙ୍ଗିଆ ଆଣି ସ୍ତ୍ରୀକୁ ଆକ୍ରମଣ କରିଥିଲା । ଅନ୍ୟ ଘରେ ବାପା-ବୋଉ ଏବଂ ଭାଇ ଶୋଇଥିବା ବେଳେ କବାଟ ବାଡେଇବା ସହିତ ଅନ୍ୟ ସଦସ୍ୟ ମାନଙ୍କୁ ହାଣିବ ବୋଲି କହିବା ସହିତ ଉନ୍ମକ୍ତକାଣ୍ଡ ଘଟାଇଥିଲା ଶୈଳେନ୍ଦ୍ର । ଘର ଲୋକେ ଉଠିଯିବାରୁ ଘରୁ ବାହାରକୁ ଯାଇ ଫେରାର ହୋଇଯାଇଛି ପୁଅ ଶୈଳେନ୍ଦ୍ର ବୋଲି କହିଛନ୍ତି ବାପା ସୁରେନ୍ଦ୍ର । ଅନ୍ୟପଟେ ବୋହୂ ରୋଜାଲିନଙ୍କ ପରିବାର ଲୋକେ ଏହି ହତ୍ୟାକାଣ୍ଡରେ ଶୈଳେନ୍ଦ୍ରଙ୍କ ପରିବାର ଲୋକ ସାମିଲ ଥିବା ଅଭିଯୋଗ କରିଥିବା ବେଳେ ଶୈଳେନ୍ଦ୍ରଙ୍କ ବାପା-ମା ଏହି ଘଟଣା ଏକ ଆକସ୍ମିକ ଏବଂ ହତ୍ୟାର କାରଣ ସେ ଜାଣିନାହାନ୍ତି ବୋଲି ସଫେଇ ଦେଇଛନ୍ତି ।

Also Read:- ରେଭେନ୍ସା ବିବାଦରେ କୁଳପତିଙ୍କ ପ୍ରଥମ ପ୍ରତିକ୍ରିୟା- 'ଅନାବଶ୍ୟକ ଥିଲା ଘଟଣା'

ଚାଲିଛି ହତ୍ୟାକାଣ୍ଡର କାରଣ ଖୋଜା

ଗତ ୨ ମାସ ତଳେ ଶୈଳେନ୍ଦ୍ର ଅହମ୍ମଦାବାଦରେ କମ୍ପାନୀ ଚାକିରି ଛାଡି ଆସିଥିଲେ । ଗତ ଜୁଲାଇ ମାସ ୧୨ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅଞ୍ଚଳର ନାନକାର ଗାଁର ରୋଜାଲିନଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ଶୈଳେନ୍ଦ୍ର । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସୁସମ୍ପର୍କ ଥିଲେ ହେଁ ହଠାତ୍ ଏଭଳି ହତ୍ୟାକାଣ୍ଡର କାରଣ ଖୋଜୁଛି ନେମାଳ ପୋଲିସ । ରୋଜାଲିନଙ୍କ ଶବ ବ୍ୟବଚ୍ଛେଦ ଏବଂ ଅଭିଯୁକ୍ତ ଶୈଳେନ୍ଦ୍ର ଧରାପଡିଲେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ନେମାଳ ପୋଲିସ ସୂଚନା ଦେଇଛି ।