ନୂଆଦିଲ୍ଲୀ: ୱିମ୍ବଲଡନ ପକ୍ଷରୁ ମଙ୍ଗଳବାର ଏକ ବଡ଼ ଘୋଷଣା କରାଯାଇଛି । ଦୁନିଆର ପୂର୍ବତନ ନମ୍ବର ୱାନ୍ ଖେଳାଳି ସେରେନା ୱିଲିୟମ୍ସ ଏବଂ ଭିନସ ୱିଲିୟମ୍ସ ଆଗାମୀ ୱିମ୍ବଲଡନର ମହିଳା ଡବଲ୍ସ (ଯୁଗଳ) ବର୍ଗରେ ଏକ ଦଶନ୍ଧି ପରେ ଯୋଡ଼ି ହୋଇ ଖେଳିବେ । ଦୁଇ ସପ୍ତାହରୁ କମ୍ ସମୟ ମଧ୍ୟରେ ଆରମ୍ଭ ହେବାକୁ ଥିବା ଏହି ଗ୍ରାସ୍ କୋର୍ଟ ଗ୍ରାଣ୍ଡସ୍ଲାମ ପାଇଁ ଅଲ୍ ଇଂଲଣ୍ଡ କ୍ଲବ୍ ୱିଲିୟମ୍ସ ଭଉଣୀଙ୍କୁ 'ୱାଇଲ୍ଡ କାର୍ଡ' ନିମନ୍ତ୍ରଣ ଦେବାକୁ ଘୋଷଣା କରିଛି ।

ପ୍ରାୟ ଚାରି ବର୍ଷ ଧରି ପ୍ରଫେସନାଲ୍ ଟେନିସରୁ ଦୂରେଇ ରହିବା ପରେ ସେରେନା ନିକଟରେ ୪୪ ବର୍ଷ ବୟସରେ ଟେନିସକୁ ଫେରିଛନ୍ତି । ସେରେନା ଏବଂ ଭିନସ ମହିଳା ସିଙ୍ଗଲ୍ସ ବ୍ୟତୀତ ମହିଳା ଡବଲ୍ସରେ ମଧ୍ୟ ବିଶ୍ୱର ନମ୍ବର ୱାନ୍ ଖେଳାଳି ରହିସାରିଛନ୍ତି । ଅନ୍ୟପଟେ ଭିନସ ବୁଧବାର ଦିନ ୪୬ ବର୍ଷରେ ପଦାର୍ପଣ କରିଛନ୍ତି ।

୬ଟି ୱିମ୍ବଲଡନ ଟାଇଟଲ୍

ସେରେନା ଏବଂ ଭିନସ ମହିଳା ଡବଲ୍ସରେ ମିଳିତ ଭାବେ ୧୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ୍ ଜିତିଛନ୍ତି । ଏଥିରେ ୬ଟି ୱିମ୍ବଲଡନ ସାମିଲ ଅଛି । ସେମାନେ ନିଜର ପ୍ରଥମ ୱିମ୍ବଲଡନ ଟାଇଟଲ୍ ୨୦୦୦ ମସିହାରେ ଏବଂ ଶେଷ ଟାଇଟଲ୍ ୨୦୧୬ରେ ଜିତିଥିଲେ । ୱିମ୍ବଲଡନରେ ନିଜର ପ୍ରଥମ ଦୁଇଟି ଯାକ ଟାଇଟଲ୍ (୨୦୦୦ ଏବଂ ୨୦୦୨) ୱାଇଲ୍ଡ କାର୍ଡ ଭାବରେ ହିଁ ଜିତିଥିଲେ ।

WTA ରାଙ୍କିଙ୍ଗରେ ୩୧୯ ସପ୍ତାହ ଧରି ନମ୍ବର ୧

ସେରେନା ମଙ୍ଗଳବାର ବର୍ଲିନ ଓପନରେ କ୍ୟାରୋଲିନ ମୁଚୋଭାଙ୍କ ସହ ମହିଳା ଡବଲ୍ସରେ ଭାଗ ନେଇ ଟେନିସକୁ ପ୍ରତ୍ୟାବର୍ତ୍ତନ କରିବେ । ସେରେନା ହେଉଛନ୍ତି ଏକମାତ୍ର ମହିଳା ଖେଳାଳି ଯିଏ ସିଙ୍ଗଲ୍ସ ଏବଂ ଡବଲ୍ସ ଉଭୟରେ 'କ୍ୟାରିୟର ଗୋଲ୍ଡେନ ସ୍ଲାମ' ହାସଲ କରିଛନ୍ତି । ସେ ଓପନ୍ ଏରାରେ ସବୁଠାରୁ ଅଧିକ ୨୩ଟି ଗ୍ରାଣ୍ଡସ୍ଲାମ ଟାଇଟଲ୍ ଜିତିଥିବା ମହିଳା ଖେଳାଳି । ସେରେନା ନିଜ କ୍ୟାରିୟରରେ ୭୩ଟି ସିଙ୍ଗଲ୍ସ ଟାଇଟଲ୍, ୪ଟି ଅଲିମ୍ପିକ ଗୋଲ୍ଡ ମେଡାଲ୍ ଜିତିଛନ୍ତି ଏବଂ ଡବ୍ଲୁଟିଏ ରାଙ୍କିଙ୍ଗରେ ୩୧୯ ସପ୍ତାହ ଧରି ନମ୍ବର ୱାନ୍ ସ୍ଥାନରେ ରହିଛନ୍ତି ।