ନୂଆଦିଲ୍ଲୀ (୨୩/୬) : ଦେଶର ପ୍ରସିଦ୍ଧ ସେଫ ସଞ୍ଜୀବ କପୁର । ତାଙ୍କୁ ଅବା କିଏ ନ ଜାଣିଥିବେ , ଯିଏ କି ଦେଶର ଅନ୍ୟତମ ଲୋକପ୍ରିୟ ସେଲିବ୍ରିଟି ସେଫ । ୯0 ଦଶକରେ ସେ ତାଙ୍କ କୁକିଙ୍ଗ ସୋ 'ଖାନା ଖଜାନା' ମାଧ୍ୟମରେ ଭାରତରେ ଖାଦ୍ୟ କାର୍ଯ୍ୟକ୍ରମକୁ ଲୋକପ୍ରିୟ କରିଥିଲେ । ପରେ 'ମାଷ୍ଟର ସେଫ ଇଣ୍ଡିଆ' ସୋ'କୁ ଆସିବା ପରେ ସେ ଲାଇମ୍ ଲାଇଟକୁ ଆସିଥିଲେ। କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ ଅକ୍ଷୟ କୁମାରଙ୍କ କାରଣରୁ ସେ 'ମାଷ୍ଟର ସେଫ ଇଣ୍ଡିଆ' ସୋ'କୁ ପ୍ରତ୍ୟାଖ୍ୟାନ କରିଥିଲେ। ନିକଟରେ ଏକ ଟେଲିଭିଜନ ସାକ୍ଷାତକାରରେ ସଂଜୀବ ଏହି ବିଷୟରେ ବର୍ଣ୍ଣନା କରିଛନ୍ତି । ସେ ସାକ୍ଷାତକାରରେ କହିଥିଲେ ଯେ ମାଷ୍ଟରସେଫ୍ ଇଣ୍ଡିଆର ପ୍ରଥମ ସିଜିନ୍ ୨୦୧୦ ମସିହାରେ ପ୍ରସାରିତ ହୋଇଥିଲା । ସେହି ସମୟରେ, ସୋ'ର ନିର୍ମାତାମାନେ ସଞ୍ଜୀବଙ୍କୁ ଅକ୍ଷୟ କୁମାରଙ୍କ ସହିତ ଜଜ ପ୍ୟାନେଲରେ ସ୍ଥାନ ଦେବାକୁ ପ୍ରସ୍ତାବ ଦେଇଥିଲେ। ଯେଉଁଥିରେ ସଞ୍ଜୀବ ଏକ ଦାବି ରଖିଥିଲେ ଯେ ସେ ଅକ୍ଷୟଙ୍କ ତୁଳନାରେ ଗୋଟିଏ ଟଙ୍କା ଅଧିକ ନେବାକୁ ଚାହୁଁଥିଲେ। ସାକ୍ଷାତକାର କଥାବାର୍ତ୍ତାରେ ସଞ୍ଜୀବ କହିଛନ୍ତି ,"ଯେତେବେଳେ ମାଷ୍ଟରସେଫ୍ ଇଣ୍ଡିଆର ମେକର୍ସ ପ୍ରଥମେ ମୋ ସହିତ ଯୋଗାଯୋଗ କରିଥିଲେ, ସେମାନେ ମୋର ସର୍ତ୍ତ ପୂରଣ କରିପାରି ନଥିଲେ। ମୁଁ ସେମାନଙ୍କୁ କହିଥିଲି ଯେ ମୁଁ ଅକ୍ଷୟ କୁମାରଙ୍କ ଅପେକ୍ଷା ଗୋଟିଏ ଟଙ୍କା ଅଧିକ ପାରିଶ୍ରମିକ ପାଇବାକୁ ଚାହୁଁଛି। ଏହା ପ୍ରଥମ ସିଜିନ୍ ଥିଲା, ଏବଂ ଅନ୍ୟ କେହି ଏହି କାମ କରିପାରି ନଥାନ୍ତେ। କିନ୍ତୁ ସେମାନେ ମୋର ସର୍ତ୍ତରେ ରାଜି ହୋଇନଥିଲେ, ଏବଂ ମୁଁ ମଧ୍ୟ ସାଲିସ୍ କରିବାକୁ ରାଜି ନଥିଲି। ମୁଁ ମୋର ନିଷ୍ପତ୍ତିରେ ଖୁସି ଥିଲି।"

ନିର୍ମାତାମାନେ ସଞ୍ଜୀବଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ଏବଂ ତାଙ୍କୁ ଅତିଥି ଭୂମିକା ମଧ୍ୟ ପ୍ରଦାନ କରିଥିଲେ , କିନ୍ତୁ ସେ ଜିଦ୍ ଧରି ରହିଲେ। କିନ୍ତୁ, ଯେତେବେଳେ 'ମାଷ୍ଟରସେଫ୍ ଇଣ୍ଡିଆ' ର ତୃତୀୟ ସିଜିନ୍ ଦେଶରେ ଠିକରେ କାର୍ଯ୍ୟ କଲାନାହିଁ ସେବେ ମେକର୍ସ ସଞ୍ଜୀବଙ୍କୁ ପୁଣି ଥରେ ଯୋଗାଯୋଗ କରିଥିଲେ । ସେ କହିଛନ୍ତି "ତୃତୀୟ ସିଜିନ୍ ସୁଦ୍ଧା, ନିର୍ମାତାମାନେ ମୋତେ କହିଥିଲେ, 'ଏହି ଶୋ' କାମ କରୁନାହିଁ। ଆମକୁ ତୁମର ଆବଶ୍ୟକତା ଅଛି। ମୁଁ କହିଲି, 'ମୁଁ ଏହି ଶୋ' କରିପାରିବି ନାହିଁ।' ଏହାର ଉତ୍ତରରେ, ସେମାନେ କହିଥିଲେ, 'ନା, ତୁମେ ଯାହା କହିବ ଆମେ ଠିକ୍ ତାହା କରିବୁ।' ଅନ୍ୟପଟେ ନିର୍ମାତାମାନେ ସଞ୍ଜୀବ କପୁରଙ୍କୁ ଅକ୍ଷୟ କୁମାରଙ୍କ ତୁଳନାରେ ଗୋଟିଏ ଟଙ୍କା ଅଧିକ ଦେବାକୁ ରାଜି ମଧ୍ୟ ହୋଇଥିଲେ । କିନ୍ତୁ ସେତେବେଳକୁ ଅକ୍ଷୟ ସୋ'ରୁ ଦୂରେଇ ଯାଇସାରିଥିଲେ।

ସଞ୍ଜୀବ ଉଲ୍ଲେଖ କରିଛନ୍ତି ଯେ ସେ ଏବଂ ଅକ୍ଷୟ ଭଲ ବନ୍ଧୁ; କିନ୍ତୁ ତଥାପି ସେ ମେକର୍ସଙ୍କୁ ଅକ୍ଷୟଙ୍କ ଠୁ ଅଧିକ ପାରିଶ୍ରମିକ ଦାବି କରିଥିଲେ କାରଣ କୁକିଙ୍ଗ କ୍ଷେତ୍ରରେ ତାଙ୍କର ଅଧିକ ଯୋଗ୍ୟତା ରହିଥିଲା । ତେଣୁ ସେ ଏଥିପାଇଁ ଅଧିକ ପାରିଶ୍ରମିକ ମାଗିଥିଲେ । ତା'ପରେ ସଞ୍ଜୀବ ୨୦୧୩ ମସିହାରେ 'ମାଷ୍ଟରସେଫ୍'ରେ ଯୋଗ ଦେଇଥିଲେ, ଆଉ ପରଠୁ ତାଙ୍କ ପାଇଁ ଶୋ’ର ଲୋକପ୍ରିୟତା ବହୁତ ବଢିଥିଲା । ତଥାପି, କିଛି ସିଜିନ୍ କାମ କରିବା ପରେ, ସେ ମଧ୍ୟ ଶୋ’ରୁ ଅଲଗା ହୋଇଯାଇଥିଲେ । କାରଣ ସେ ଅନୁଭବ କଲେ ଯେ ସେ ଏହି ସୋ'ରେ ଯେତେ ପ୍ରଚେଷ୍ଟା ଆଉ ସମୟ ବିନିଯୋଗ କରୁଥିଲେ ତାହା ସେତେ ଭଲ ଫଳପ୍ରଦ ହେଉନଥିଲା ।