ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ସମ୍ମାନଜନକ ପଦ୍ମ ପୁରସ୍କାର ବିତରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସୋମବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ୬୬ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି । ଚଳିତ ବର୍ଷ ପଦ୍ମ ପୁରସ୍କାର ତାଲିକାରେ ଭାରତୀୟ କ୍ରିକେଟର ସୁପରଷ୍ଟାର୍ ରୋହିତ ଶର୍ମାଙ୍କ ନାମ ମଧ୍ୟ ସାମିଲ ରହିଛି। କିନ୍ତୁ ପ୍ରଥମ ପର୍ଯ୍ୟାୟର ଏହି ପୁରସ୍କାର ପ୍ରଦାନ ଉତ୍ସବରେ ରୋହିତଙ୍କୁ ନଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ତେବେ ସେ କାହିଁକି ଏହି ସମାରୋହକୁ ଆସିପାରିଲେ ନାହିଁ, ତାହାର ପ୍ରକୃତ କାରଣ ଏବେ ସାମ୍ନାକୁ ଆସିଛି ।

ପ୍ରଥମ ପର୍ଯ୍ୟାୟରେ ହରମନପ୍ରୀତଙ୍କୁ ମିଳିଲା ସମ୍ମାନ

ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ସର୍ବଦା ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଏବଂ ଅଲଗା ଅଲଗା ବ୍ୟାଚ୍ କରି ପ୍ରଦାନ କରାଯାଇଥାଏ । ପ୍ରଥମ ପର୍ଯ୍ୟାୟରେ ସୋମବାର ରାଷ୍ଟ୍ରପତି ଦୁଇଟି ପଦ୍ମ ବିଭୂଷଣ, ୬ଟି ପଦ୍ମ ଭୂଷଣ ଏବଂ ୫୮ଟି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି । ଏହି କ୍ରମରେ ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟିକା ହରମନପ୍ରୀତ କୌରଙ୍କୁ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି ।

Also Read: ମହାଲଢ଼େଇ ପାଇଁ ପ୍ରସ୍ତୁତ ବେଙ୍ଗାଲୁରୁ ଓ ଗୁଜରାଟ; ପ୍ରଥମ କ୍ୱାଲିଫାୟରରେ ଏହି ୫ ଷ୍ଟାର୍ ଖେଳାଳିଙ୍କ ଉପରେ ରହିବ ସଭିଙ୍କ ନଜର

ତେବେ ରୋହିତ ଶର୍ମା ନିଜର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଏବଂ ସମୟ ସମସ୍ୟା ଯୋଗୁଁ ପ୍ରଥମ ପର୍ଯ୍ୟାୟର ପୁରସ୍କାର ତାଲିକାରେ ସାମିଲ ହୋଇପାରି ନାହାନ୍ତି। ନିୟମ ଅନୁଯାୟୀ, ଯେଉଁ ବିଜେତାମାନେ ପ୍ରଥମ ତାରିଖରେ ଉପସ୍ଥିତ ରହିପାରନ୍ତି ନାହିଁ, ସେମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ମାନ ଗ୍ରହଣ କରିବାକୁ ସୁଯୋଗ ଦିଆଯାଏ । ତେଣୁ ରୋହିତ ଶର୍ମା ପରବର୍ତ୍ତୀ ପର୍ଯ୍ୟାୟରେ ରାଷ୍ଟ୍ରପତିଙ୍କଠାରୁ ନିଜର ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବେ ।

ଆଇପିଏଲ୍-୨୦୨୬ ରେ ବ୍ୟସ୍ତ ଥିଲେ 'ହିଟମ୍ୟାନ୍'

ସାମ୍ପ୍ରତିକ ସମୟରେ ରୋହିତ ଶର୍ମା ଆଇପିଏଲ୍ ୨୦୨୬ ସିଜନକୁ ନେଇ ବେଶ୍ ବ୍ୟସ୍ତ ରହିଥିଲେ । ସେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରୁଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଚଳିତ ସିଜନରେ ଆହତ ସମସ୍ୟା କାରଣରୁ ରୋହିତ ମାତ୍ର ୯ଟି ମ୍ୟାଚ୍ ଖେଳିବାରେ ସଫଳ ହୋଇଥିଲେ । ଏହି ମ୍ୟାଚଗୁଡ଼ିକରେ ୩୫.୩୮ ହାରରେ ସେ ମୋଟ ୨୮୩ ରନ୍ ସଂଗ୍ରହ କରିଛନ୍ତି ।

Also Read: ବିରାଟଙ୍କ ସହ ମ୍ୟାଚ୍ ବିବାଦ ପରେ ଟ୍ରାଭିସ୍ ହେଡଙ୍କ ପତ୍ନୀ ଓ ପରିବାରକୁ ଅନଲାଇନ୍ ଗାଳିଗୁଲଜ, ଜେସିକା ପ୍ରକାଶ କଲେ କ୍ଷୋଭ

ଆଇପିଏଲ୍ ଶେଷ ହେବା ପରେ ଏବେ ରୋହିତଙ୍କ ସମ୍ପୂର୍ଣ୍ଣ ନଜର ଆସନ୍ତା ଜୁନ୍ ମାସରେ ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜ୍ ଉପରେ ରହିଛି । କିନ୍ତୁ ସେ ପୂର୍ଣ୍ଣ ଭାବେ ଫିଟ୍ ହେବା ପରେ ହିଁ ମଇଦାନକୁ ଓହ୍ଲାଇବେ ବୋଲି ସୂଚନା ମିଳିଛି । ଏହି ସିରିଜ୍ ପୂର୍ବରୁ ରୋହିତଙ୍କୁ ବିସିସିଆଇର କଡ଼ା ଫିଟନେସ୍ ଟେଷ୍ଟ୍ ପାସ୍ କରିବାକୁ ପଡ଼ିପାରେ ।