ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନ ପରାଜୟ ପରେ ତୃଣ ମୂଳ କଂଗ୍ରେସ ଯେଉଁଭଳି ପରିଣାମ ଭୋଗୁଛି, ସେଥିରେ ପାର୍ଟି ମୁଖିଆ ମମତା ବାନାର୍ଜୀଙ୍କ ବଦଳେ ତାଙ୍କ ପୁତୁରା ତଥା ରାଜନୈତିକ ଉତ୍ତରାଧିକାରୀ ଅଭିଷେକ ବାନାର୍ଜୀଙ୍କୁ ପରାଜୟ ପରବର୍ତ୍ତି ପଡଉଠର ସବୁଠୁ ବଡ଼ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ରାଜନୈତିକ ବିରୋଧୀଙ୍କ କଥିତ ଆକ୍ରମଣ ଓ ବଢୁଥିବା ଅନ୍ତରୀଣ ଅସନ୍ତୋଷକୁ ନେଇ ଯାଞ୍ଚ ଏଜେନ୍ସୀଙ୍କ ଦ୍ୱାରା ନୂଆକରି କରାଯାଉଥିବା ଯାଞ୍ଚ ପର୍ଯ୍ୟନ୍ତ ଅଭିଷେକ ନିଜକୁ ପ୍ରତିକୂଳ ପରିସ୍ଥିତିର କେନ୍ଦ୍ରରେ ପାଉଛନ୍ତି, ଯେଉଁଥିରେ ପାର୍ଟିରେ ତାଙ୍କର ନେତୃତ୍ୱ ଓ ତତ୍ ସମ୍ପର୍କିତ ଦୁର୍ବଳତା ଉଭୟକୁ ରେଖାଙ୍କିତ କରୁଛି।

ଯଦି ଭାରତୀୟ ରାଜନୀତି ଇତିହାସରେ ଆମକୁ କିଛି ଶିକ୍ଷା ମିଳିଛି ତାହା ହେଉଛି ‘ସାଙ୍ଗିଆ’ ରାଜନୀତିର ପ୍ରାସଙ୍ଗିକତା । ଏପରି ରଜନୀତିରେ ସଫଳତାର କୌଣସି ଗ୍ୟାରେଣ୍ଟି ନାହିଁ। ଯଦିଓ ଲୋକପ୍ରୀୟ ରାଜନେତାଙ୍କ ପୁଅ ଓ ଝିଅ ପ୍ରାୟ ପ୍ରତ୍ୟକ୍ଷ ଉତ୍ତରାଧିକାରୀ ରୂପେ ଉଭା ହେଉଛନ୍ତି, ସେ କ୍ଷେତ୍ରରେ ପୁତୁରାଙ୍କୁ ମଜଭୁତ କ୍ଷମତା ଦେବା ଅଥବା ଉତ୍ତରାଧିକାରରେ ରାଜନୈତିକ ସାମ୍ରାଜ୍ୟ ପାଇବାରେ ସେମାନଙ୍କୁ ପ୍ରାୟ ସଂଘର୍ଷ କରିବାକୁ ପଡୁଛି। ଉତ୍ତରପ୍ରଦେଶରୁ ଆରମ୍ଭ କରି ତାମିଲନାଡୁ ପର୍ଯ୍ୟନ୍ତ ପ୍ରଭାବଶାଳୀ ନେତାଙ୍କ ପୁତୁରାମାନେ ଯେଉଁମାନଙ୍କୁ କେବେ ରାଜନୈତିକ ପରିବାରର ଭବିଷ୍ୟତ ମନେ କରାଯାଉଥିଲା ସେମାନେ ଶେଷରେ ରାଜନୈତିକ ଅସଫଳତାର ସମ୍ମୁଖୀନ ହୋଇଛନ୍ତି।

ଅଭିଷେକ ବାନାର୍ଜୀ
ଅଭିଷେକ ବାନାର୍ଜୀଙ୍କ ରାଜନୈତିକ ଯାତ୍ରା ସବୁଠୁ ତୀବ୍ର ଗତିରେ ଆଗକୁ ବଢିଥିବା ରାଜନୈତିକ ଯାତ୍ରା ମଧ୍ୟରେ ଅନ୍ୟତମ । ମମତା ବାନାର୍ଜୀଙ୍କ ପୁତୁରା ହୋଇଥିବାରୁ ସେ ତୃଣ ମୂଳ କଂଗ୍ରେସର ଯୁବ ଶାଖା, ଡାୟମଣ୍ଡ ହାର୍ବରରେ ନିର୍ବାଚନୀ ସଫଳତା ଓ ପାର୍ଟି ଜାତୀୟ ସାଧାରଣ ସମ୍ପାଦକ ଭାବେ ନିଜ ଭୂମିକା ମାଧ୍ୟମରେ ପାର୍ଟି ମଧ୍ୟରେ ଏକ ସ୍ୱତନ୍ତ୍ର ଶକ୍ତି ଆଧାର ମଧ୍ୟ ତିଆରି କରିଛନ୍ତି। ୨୦୨୧ ବିଧାନସଭା ନିର୍ବାଚନରେ ଟିଏମସିର ଉଲ୍ଲେଖନୀୟ ବିଜୟ ସହିତ ପାର୍ଟିର ମୁଖ୍ୟ ରଣନୀତିକାର ଓ ବସ୍ତୁତଃ ଦୁଇ ନମ୍ବର ନେତା ଭାବେ ଉଭା ହୋଇଥିବା ଅଭିଷେକ ବାନାର୍ଜୀ ଯାହାଙ୍କୁ ନିର୍ବାଚନ ପ୍ରଚାର ପରିଚାଳନା, ସଙ୍ଗଠନାତ୍ମକ ନିଯୁକ୍ତି ଓ ବେଙ୍ଗଲ ବାହାରେ ପାର୍ଟିର ସମ୍ପ୍ରସାରଣ ପ୍ରାୟସର ଦେଖରେଖ ଲାଗି ଜଣା ଯାଆନ୍ତି ତାଙ୍କୁ ନେଇ ଦଳରେ ବିରୋଧ ଆରମ୍ଭ ହୋଇଯାଇଛି।

ପାର୍ଟି ଭିତରେ ଓ ବାହାରେ ସମାଲୋଚକ ଟିଏମସିକୁ ଲଗାତାର ପରିବାର କେନ୍ଦ୍ରିତ ସଙ୍ଗଠନ ରୂପେ ଚିତ୍ରଣ କରୁଛନ୍ତି। ସେହିପରି ବରିଷ୍ଠ ନେତାମାନେ ଅତ୍ୟଧିକ କେନ୍ଦ୍ରୀୟକରଣ ଓ ଅଭିଷେକଙ୍କ ଆଖପାଖରେ ଏକ ଛୋଟ ସମୂହର ବଢୁଥିବା ପ୍ରଭାବର ଅଭିଯୋଗ ଆଣୁଛନ୍ତି । ଦୁର୍ନୀତି ସମ୍ପର୍କିତ ମାମଲାମାନଙ୍କରେ କେନ୍ଦ୍ରୀୟ ଏଜେନ୍ସୀମାନଙ୍କ ଯାଞ୍ଚ ତାଙ୍କ ଛବିକୁ ଆହୁରି ଖରାପ କରିଛି। ଏଥିରେ ଅସଲି ମୋଡ ୨୦୨୬ ନିର୍ବାଚନରେ ପରାଜୟ ପରେ ଆସିଛି, ଯେତେବେଳେ ପାର୍ଟି ଭିତରେ ବିଦ୍ରୋହ ସୃଷ୍ଟି ହୋଇଛି।

ଆକାଶ ଆନନ୍ଦ
ଅନେକ ବର୍ଷ ପର୍ଯ୍ୟନ୍ତ ବହୁଜନ ସମାଜପାର୍ଟି ମୁଖ୍ୟ ମାୟାବତୀ ତାଙ୍କ ପୁତୁରା ଆକାଶ ଅନନ୍ଦଙ୍କୁ ପାର୍ଟିର ଭବିଷ୍ୟତ ରୂପେ ଉପସ୍ଥାପନ କରି ଆସୁଥିଲେ। ଯୁବକ, ଇଂରାଜୀ କହିପାରୁଥିବା ତଥା ଦଳିତ ଭୋଟରଙ୍କ ନୂଆ ପିଢୀସହିତ ସମ୍ପୃକ୍ତ ହେବା ପାଇଁ ସକ୍ଷମ ମନେ କରାଯାଉଥିବା ଆକାଶ ଆନନ୍ଦଙ୍କୁ ଧିରେ ଧିରେ ପାର୍ଟି ଭିତରେ ବଡ଼ ବଡ଼ ଦାୟିତ୍ୱ ଦିଆଯିବାରେ ଲାଗିଲା। ଏହାପରେ ଡିସେମ୍ବର ୨୦୨୩ରେ ମାୟାବତୀ ତାଙ୍କୁ ଔପଚାରିକ ରୂପେ ନିଜ ରାଜନୈତିକ ଉତ୍ତରାଧିକାରୀ ଘୋଷିତ କରିଦେଲେ। ତେବେ ତାଙ୍କର ଏହି ଉତ୍ତରାଧିକାରୀ ଯୋଜନା ପାର୍ଟିରେ ଘଣ୍ଟାଚକଟା ଆରମ୍ଭ କରିଦେଇଥିଲା। ୨୦୨୪ ଲୋକସଭା ନିର୍ବାଚନ ଅଭିଯାନ କାଳରେ ଆକାଶ ବସପା ନେତୃତ୍ୱ ଅପେକ୍ଷା ଅଧିକ ଆକ୍ରାମକ ରାଜନୈତିକ ଆଭିମୁଖ୍ୟ ଆପଣାଇଥିଲେ। ଏହାପରେ ମେ ୨୦୨୪ରେ ମାୟାବତୀ ତାଙ୍କୁ ପାର୍ଟିର ଗୁରୁତ୍ୱପୂର୍ଣ୍ଣ ପଦପଦବୀରୁ ଓ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ପଦରୁ ହଟାଇ ଦେଇଥିଲେ ଓ କହିଥିଲେ ତାଙ୍କର ରାଜନୈତିକ ପରିପକ୍ୱତା ଆସି ନାହିଁ। ଯଦିଓ ଆକାଶଙ୍କୁ ପରେ ପାର୍ଟିରେ ପୁଣି ଗ୍ରହଣ କରାଯାଇଥିଲା, ତଥାପି ତାଙ୍କୁ ପୁଣି ହଟାଇ ଦିଆଯାଇଥିଲା। ତାଙ୍କୁ ଏବେ ଜଣେ ବରିଷ୍ଠ ସଙ୍ଗଠନାତ୍ମକ ନେତା ଭାବେ ପାର୍ଟିରେ ପୁଣି ପଦୋନ୍ନତୀ ଦିଆଯାଇଛି।

ରାଜ ଠାକରେ
ଶିବସେନା ସଂସ୍ଥାପକ ବାଲ ଠାକରେଙ୍କ ପୁତୁରା ହୋଇଥିବାରୁ ରାଜ ଠାକରେଙ୍କୁ ତାଙ୍କ କାକାଙ୍କ ଭାଷଣ କଳା ଉତ୍ତାରଧିକାରରେ ମିଳିଛି। ୧୯୯୦ ଦଶକରେ ଶିବସେନା ଲୋକେ ଭାବୁଥିଲେ ଅନ୍ତତଃ ସେ ବାଲ ଠାକରେଙ୍କ ଦ୍ୱାରା ସ୍ଥାପିତ ଆନ୍ଦୋଳନର ଡୋରି ସମ୍ଭାଳିବେ। ତେବେ ଉତ୍ତରାଧିକାର ଲଢେଇର ଫଳାଫଳ ଭିନ୍ନ ହୋଇଥିଲା। ବାଲ ଠାକରେ ତାଙ୍କ ପୁଅ ଉଦ୍ଧବ ଠାକରେଙ୍କୁ ନିଜ ରାଜନୈତିକ ଉତ୍ତରାଧିକାରୀ ବାଛିଥିଲେ। ଏଣୁ ନିଜକୁ ଉପେକ୍ଷିତ ମନେକରି ରାଜ ଠାକରେ ପାର୍ଟି ଛାଡି ଦେଇଥିଲେ ଓ ୨୦୦୬ ମସିହାରେ ତାଙ୍କର ମହାରାଷ୍ଟ୍ର ନବନିର୍ମାଣ ସେନା (ମନସେ) ଗଠନ କରିଥିଲେ। ମହାରାଷ୍ଟ୍ର ରାଜନୀତିରେ ଏମଏନଏସ କିଛି ସମୟ ଲାଗି ଏକ ବିଘଟନକାରୀ ଶକ୍ତି ରୂପେ ଉଭା ହୋଇଥିଲା । ତେବେ ପାର୍ଟି ସହରାଞ୍ଚଳର ସୀମିତ କ୍ଷେତ୍ର ମଧ୍ୟରୁ ଆଗକୁ ବଢି ପାରିନଥିଲା।

ଦୁଷ୍ୟନ୍ତ ଚୌଟାଲା
ଦୁଷ୍ୟନ୍ତ ଚୌଟାଲା ଭାରତୀୟ ରାଷ୍ଟ୍ରୀୟ ଲୋକ ଦଳ (ଆଇଏନଏଲଡି)ର ବରିଷ୍ଠ ନେତା ଅଭୟ ସିଂହ ଚୌଟାଲାଙ୍କ ପୁତୁରା ଓ ଅଭୟଙ୍କ ବଡ଼ ଭାଇ ଅଜୟ ସିଂହ ଚୌଟାଲାଙ୍କ ପୁତ୍ର। ହରିୟାଣାର ପ୍ରଭାବଶାଳୀ ଚୌଟାଲା ରାଜନୈତିକ ପରିବାର ସହିତ ସମ୍ପର୍କିତ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଦେବୀ ଲାଲଙ୍କ ନାତି ଅଟନ୍ତି, ଯାହାଙ୍କ ପରିବାର ଦୀର୍ଘ ଦଶନ୍ଧୀ ଧରି ରାଜ୍ୟ ରାଜନୀତିରେ ଅଗ୍ରଣୀ ଭୂମିକା ନିର୍ବାହ କରି ଆସୁଛି। ପାରିବାରିକ କଳହ ପରେ ଦୁଷ୍ୟନ୍ତ ଆଇଏନଏଲଡିରୁ ପୃଥକ ହୋଇ ଜନନାୟକ ଜନତା ପାର୍ଟି (ଜେଜେପି) ଗଠନ କରିଛନ୍ତି। ୨୦୧୯ ବିଧାନସଭା ନିର୍ବାଚନ ପରେ ସେ ବିଜେପି ସହ ମେଣ୍ଟ କରି ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ହଲେ ପରେ ତାଙ୍କର ଏହି ମେଣ୍ଟ ନିଷ୍ପତ୍ତି ତାଙ୍କ ପାରମ୍ପରିକ ଆଧାରର କିଛି ସମର୍ଥକଙ୍କ ଠାରୁ ତାଙ୍କୁ ଦୂରେଇ ନେଇଛି। ଖାସ କରି ଚାଷୀ ଆନ୍ଦୋଳନ କାଳରେ ତାଙ୍କର ଭୋଟବ୍ୟାଙ୍କ ତାଙ୍କ ହାତରୁ ଖସି ଯାଇଛି। ଏହା ପରବର୍ତ୍ତି ନିର୍ବାଚନମାନଙ୍କରେ ଜେଜେପିର ପ୍ରଭାବ ଅନେକାଂଶରେ ହ୍ରାସ ହୋଇଛି।

ପ୍ରଜ୍ୱଳ ରେଭନ୍ନା
ପ୍ରଜ୍ୱଳ ରେଭନ୍ନା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବେ ଗୌଡାଙ୍କ ନାତି ଓ ଏଚ.ଡି.କୁମାର ସ୍ୱାମୀଙ୍କ ପୁତୁରା ଅଟନ୍ତି। ପ୍ରଜ୍ୱଳଙ୍କୁ ଗୌଡା ରାଜନୈତିକ ପରିବାରର ଆଗାମୀ ପିଢୀ ରୂପେ ଦେଖା ଯାଉଥିଲା। ସେ ଭବିଷ୍ୟତରେ ଜେଡି(ଏସ)ର କେନ୍ଦ୍ରୀୟ ଭୂମିକା ନିର୍ବାହ କରିବେ ବୋଲି ଆକଳନ କରାଯାଉଥିଲା। ଯୌନ ଶୋଷଣ ଓ ଆପତ୍ତିଜନକ ଭିଡିଓ ସ୍କାମରେ ତାଙ୍କ ନାମ ଆସିବା ପରେ ଗତିରୋଧ ଆରମ୍ଭ ହୋଇଯାଇଛି, ଯାହା କର୍ଣ୍ଣାଟକର ସବୁଠୁ ବଡ଼ ରାଜନୈତିକ ବିବାଦ ମଧ୍ୟରୁ ଗୋଟିଏକୁ ଜନ୍ମ ଦେଇଛି। ଏହା ଦ୍ୱାରା ନା କେବଳ ପ୍ରଜ୍ୱଳଙ୍କ ନିଜ କ୍ୟାରିୟର କ୍ଷତିଗ୍ରସ୍ତ ହୋଇଛି ବରଂ ଉତ୍ତରାଧିକାରୀ ଗଣନା ମଧ୍ୟ ବାଧିତ ହୋଇଛି।

ବଋଣ ଗାନ୍ଧି
ବଋଣ ଗାନ୍ଧି ଅଧିକାଂଶ ରାଜନୈତିକ ପୁତୁରାଙ୍କ ଠାରୁ ଏହି ଦୃଷ୍ଟିରୁ ପୃଥକ ଯେ ସେ ପାରିବାରିକ ପ୍ରତିଦ୍ୱନ୍ଦ୍ୱୀତାର ଶିକାର ନୁହନ୍ତି ବରଂ ତାଙ୍କ ରାଜନୈତିକ ସ୍ଥିତି ଯୋଗୁ ପ୍ରତିଦ୍ୱନ୍ଦ୍ୱୀତାରେ ଫଶି ଯାଇଛନ୍ତି। ସଞ୍ଜୟ ଗାନ୍ଧିଙ୍କ ପୁଅ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ପୁତୁରା ତାଙ୍କ ରାଜନୈତିକ କ୍ୟାରିୟର କଂଗ୍ରେସରେ ନୁହେଁ ବରଂ ବିଜେପିରେ ଗଢିଛନ୍ତି। ତଥାପି ପାର୍ଟି ତାଙ୍କୁ ୨୦୨୪ ଲୋକସଭା ନିର୍ବାଚନରେ ତାଙ୍କ ପିଲଭିତ ଆସନରେ ତାଙ୍କୁ ଟିକେଟ ଦେବାକୁ ମନା କରିଦେଇଥିଲା। ଏହା ପୂର୍ବରୁ ୨୦୧୯ରେ ସେ ଏହି ନିର୍ବାଚନ ମଣ୍ଡଳିରୁ ବିଜୟୀ ହୋଇ ଲୋକସଭାକୁ ଯାଇଥିଲେ। ବରୁଣ ଏବେ ବିଜେପିରେ କୌଣସି ସଂସଦୀୟ ଭୂମିକା ନିର୍ବାହ କରୁ ନାହାନ୍ତି ଓ ପ୍ରତ୍ୟକ୍ଷ ନିର୍ବାଚନୀ ରାଜନୀତିରେ ନିଷ୍କ୍ରିୟ ଅଛନ୍ତି।

ଦୟାନିଧି ମାରନ
ତାମିଲନାଡୁରେ ଦୟାନିଧି ମାରନଙ୍କୁ ଦ୍ରାବିଡ ମୁନେତ୍ର କଜଗମ (ଡିଏମକେ)ର ପ୍ରତିଭାଶାଳୀ ଯୁବନେତାଙ୍କ ମଧ୍ୟରେ ଗଣାଯାଉଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ.କଋଣା ନିଧିଙ୍କ ପୁତୁରା ହୋଇଥିବାରୁ ମାରନ କେନ୍ଦ୍ରରେ ୟୁପିଏ ଶାସନ କାଳରେ ମଜା ନେଇଥିଲେ ଓ ପର୍ଯ୍ୟବେକ୍ଷକ ତାଙ୍କୁ ଉଚ୍ଚ ନେତୃତ୍ୱ ଭୂମିକା ଲାଗି ଭବିଷ୍ୟତର ଦାବିଦାର ମନେ କରୁଥିଲେ। ତେବେ ଡିଏମକେ ଭିତରେ ଉତ୍ତରାଧିକାର ଶେଷରେ କଋଣାନିଧିଙ୍କ ପୁଅ ଏମ.କେ.ଷ୍ଟାଲିନଙ୍କ ଠାରେ କେନ୍ଦ୍ରିତ ହୋଇଯାଇଛି। ଷ୍ଟାଲିନ ଯେପରି ପାର୍ଟିରେ ନିଜର ସ୍ଥିତି ମଜଭୁତ କରିବାରେ ଲାଗିଲେ ମାରନ ପରିବାରର ପ୍ରଭୁତ୍ୱ କ୍ରମଶଃ ହ୍ରାସ ହେବାରେ ଲାଗିଲା। ମାରନଙ୍କୁ ଦୁଇ ପ୍ରମୁଖ ବିବାଦର ସମ୍ମୁଖୀନ ହେବାକୁ ପଡିଛି। ଏଥିରେ ପ୍ରଥମଟି ହେଉଛି ଟେଲିଫୋନ ଏକ୍ସଚେଞ୍ଜ ମାମଲା ଓ ଦ୍ୱିତୀୟଟି ଏୟାରସେଲ-ମ୍ୟାକ୍ସିସ ମାମଲା। ତେବେ ସେ ଉଭୟ ମାମଲାରେ କୌଣସି ପ୍ରକାରର ତ୍ରୁଟିକୁ ସ୍ୱୀକାର କରି ନାହାନ୍ତି ଓ ବିଭିନ୍ନ ପର୍ଯ୍ୟାୟରେ କୋର୍ଟରୁ ଆସ୍ୱସ୍ତି ପାଇ ଆସୁଛନ୍ତି।

ଏହା ଛଡା ମାରନଙ୍କୁ ତାଙ୍କ ପାରିବାରିକ ସଦସ୍ୟଙ୍କ ମାଲିକାନାଧୀନ ସନଟିଭି ନେଟୱାର୍କକୁ ଲାଭ ଦେବା ପାଇଁ ରାଜନୈତିକ ପ୍ରଭାବର ଉପଯୋଗ କରିଥିବାର ସମାଲୋଚନାର ମଧ୍ୟ ଶରବ୍ୟ ହେଉଛନ୍ତି। ମାରନ ଏବେବି ଡିଏମକେ ସାଂସଦ ଅଛନ୍ତି, ହେଲେ ପାର୍ଟିର ଶୀର୍ଷ ପଦବୀକୁ ଉନ୍ନିତ ହେବାର ତାଙ୍କର କୌଣସି ସମ୍ଭାବନା ନାହିଁ।