ନୂଆଦିଲ୍ଲୀ: ଧୀରେ ଧୀରେ ବିବାହ ଏବେ ଅପ୍ରାସଙ୍ଗିକ ହେବାକୁ ବସିଲାଣି। କିବା ପୁରୁଷ କିବା ନାରୀ, ବିବାହ ପାଇଁ ସେମାନଙ୍କ ଆଗ୍ରହ ଏବେ କମି ଯାଉଛି। ବିବାହକୁ ନେଇ ଭାରତୀୟ ମହିଳାମାନଙ୍କ ଚିନ୍ତାଧାରା ବଦଳୁଥିବାର ଦେଖିବାକୁ ମିଳିଛି। ଦେଶରେ ଅଧିକ ସଂଖ୍ୟକ ମହିଳା ବିବାହକୁ ବିଳମ୍ବ କରୁଥିବା ବେଳେ କେତେକ ମହିଳା ବିବାହ ନ କରିବାକୁ ମଧ୍ୟ ବିକଳ୍ପ ଭାବେ ଦେଖୁଛନ୍ତି।

ନ୍ୟାସନାଲ୍ ଷ୍ଟାଟିଷ୍ଟିକାଲ୍ ଅଫିସ୍ (NSO)ର ତଥ୍ୟ କହୁଛି, ଭାରତରେ ଅବିବାହିତ ମହିଳାଙ୍କ ଅନୁପାତ ୨୦୧୧ରେ ୧୩.୫ ପ୍ରତିଶତ ଥିଲା, ହେଲେ ୨୦୨୧ରେ ଏହା ବଢ଼ି ୧୯.୯ ପ୍ରତିଶତ ହୋଇଛି। ଯଦି ୨୦୨୫ର ଡାଟା ଥାନ୍ତା, ହୁଏତ ଏହି ସଂଖ୍ୟା ଆହୁରି ବଢିଥାନ୍ତା।

ଏହି ତଥ୍ୟର ଅର୍ଥ ଯେ ସବୁ ମହିଳା ସଚେତନ ହୋଇ ବିବାହକୁ ପ୍ରତ୍ୟାଖ୍ୟାନ କରୁଛନ୍ତି ତାହା ନୁହେଁ। ତେବେ ଏହା ସ୍ପଷ୍ଟ ଯେ ପୂର୍ବପରି ଆଉ ସମାନ ବୟସରେ କିମ୍ବା ସମାନ ହାରରେ ବିବାହ ହେଉନାହିଁ। କେତଙ୍କ ପାଇଁ ଆର୍ଥିକ ସ୍ୱାଧୀନତା ଗୁରୁତ୍ୱ ରଖୁଛି ତ ଆଉ କିଛିଙ୍କ ପାଇଁ ଶିକ୍ଷା, କ୍ୟାରିୟର, ଘରୋଇ କାମର ଅସମାନ ବଣ୍ଟନ, ମାତୃତ୍ୱ ସମ୍ପର୍କିତ ଆଶା ଏବଂ ବିବାହ ପରେ ସ୍ୱାଧୀନତା ହରାଇବାର ଆଶଙ୍କା ସେମାନଙ୍କୁ ବିହାରୁ ବିରତ କରୁଛି। ସେହିପରି ଆଉ କେତେକ କେବଳ ଏକ ସୁରକ୍ଷିତ କିମ୍ବା ପରିପୂର୍ଣ୍ଣ ଜୀବନ ପାଇଁ ବିବାହକୁ ଆବଶ୍ୟକତା ମନେ କରୁ ନାହାନ୍ତି।

ଆର୍ଥିକ ସ୍ୱାଧୀନତା ବଢ଼ାଉଛି ବିକଳ୍ପ

ଏହି ପରିବର୍ତ୍ତନ ପଛରେ ଏକ ପ୍ରମୁଖ କାରଣ ହେଉଛି ଯେ ବିବାହ ପୂର୍ବରୁ ନିଜର ଆର୍ଥିକ ଭିତ୍ତି ମଜବୁତ କରୁଥିବା ମହିଳାଙ୍କ ସଂଖ୍ୟା ବଢ଼ିଛି। ସରକାରଙ୍କ ଅଲ୍ ଇଣ୍ଡିଆ ସର୍ଭେ ଅନ୍ ହାୟର ଏଜୁକେସନ୍ (AISHE) ୨୦୨୧-୨୨ ଅନୁସାରେ, ଉଚ୍ଚଶିକ୍ଷାରେ ମହିଳାଙ୍କ ନାମଲେଖା ୨.୦୭ କୋଟିରେ ପହଞ୍ଚିଛି। ୨୦୧୪-୧୫ରେ ଏହି ସଂଖ୍ୟା ୧.୫୭ କୋଟି ଥିଲା। ଏହି ସମୟ ମଧ୍ୟରେ ଉଚ୍ଚଶିକ୍ଷାରେ ମହିଳାଙ୍କ ଗ୍ରସ୍ ଏନ୍ରୋଲମେଣ୍ଟ ରେସିଓ ବା ନାମଲେଖା (GER) ୨୨.୯ ପ୍ରତିଶତରୁ ବଢ଼ି ୨୮.୫ ପ୍ରତିଶତ ହୋଇଛି। ଯଦିଓ ଉଚ୍ଚଶିକ୍ଷା ମହିଳାଙ୍କୁ ବିବାହରୁ ଦୂରେଇ ରଖେ ନାହିଁ, ତେବେ ସେମାନଙ୍କୁ ସମୟ, ରୋଜଗାର ଓ ବିକଳ୍ପ ଦେବାର ନିଶ୍ଚିତ ସାହାଯ୍ୟ କରିଥାଏ। ଫଳରେ ଅନେକ ମହିଳାଙ୍କ ପାଇଁ ବିବାହ ଆଉ କେବଳ ଏକ ଆର୍ଥିକ ସୁରକ୍ଷାର ମାଧ୍ୟମ ହୋଇ ରହିନାହିଁ। ବରଂ ଜୀବନସାଥୀ କେତେ ମାତ୍ରାରେ ତାଙ୍କୁ ସପୋର୍ଟ କରିପାରିବେ ତାଙ୍କ ଜୀବନରେ କେତେ ମୂଲ୍ୟ ଭରିପାରିବେ ତାହା ଅଧିକ ଗୁରୁତ୍ୱ ରଖୁଛି।

Also Read- Raksha Bandhan : ଭାଇର ଦୀର୍ଘାୟୁ ପାଇଁ ଭଉଣୀମାନେ କେଉଁ ଜିନିଷ ଦାନ କରିବା ସବୁଠୁ ଶୁଭ ? ଟଳିବ ବଡ ସଙ୍କଟ

ଭାରତୀୟ ଘରେ ଲୁଚି ରହିଛି ବିବାହ ପ୍ରତି ବିମୁଖର ପ୍ରମୁଖ କାରଣ

ଆର୍ଥିକ ସ୍ୱାଧୀନତା ଓ ଭଲ କ୍ୟାରିୟର ଅବିବାହିତ ରହିବାର ନିଶ୍ଚିତ ଗୋଟିଏ କାରଣ ହୋଇପାରେ, ହେଲେ ପ୍ରମୁଖ କାରଣ ପ୍ରତି ଭାରତୀୟଙ୍କ ଘରେ ଲୁଚି ରହିଛି। ଆଚ୍ଛା କୁହନ୍ତୁ ତ ଅଫିସ୍ରୁ ସ୍ୱାମୀ-ସ୍ତ୍ରୀ ଦୁହେଁ ଘରକୁ ଫେରିଲେ କିଏ ଅଧିକ କାମ କରନ୍ତି?

ଭାରତର ଟାଇମ୍ ୟୁଜ୍ ସର୍ଭେ ୨୦୧୯ କହୁଛି, ମହିଳାମାନେ ଘର ସଦସ୍ୟଙ୍କ ପାଇଁ ଦୈନିକ ହାରାହାରି ୨୯୯ ମିନିଟ୍ ଅବୈତନିକ ଭାବେ କାମ କରନ୍ତି। ସେହି ତୁଳନାରେ ପୁରୁଷମାନେ ମାତ୍ର ୯୭ ମିନିଟ୍ ଅବୈତନିକ ଭାବେ ଘରୋଇ କାମରେ ବ୍ୟୟ କରନ୍ତି। ସେହିପରି ମହିଳାମାନେ ଦୈନିକ ୧୩୪ ମିନିଟ୍ ଅବୈତନିକ ଯତ୍ନ ଓ ଦେଖାଶୁଣା କାମରେ ବ୍ୟୟ କରୁଥିବା ବେଳେ ପୁରୁଷଙ୍କ କ୍ଷେତ୍ରରେ ଏହା ୭୬ ମିନିଟ୍ ରହିଛି।

ଚାକିରି କରୁଥିବା ମହିଳାଙ୍କ ପାଇଁ ବିବାହ ପରେ ଶ୍ୱଶୁର ଘରେ ରୋଷେଇ, ସଫେଇ, ଘର ପରିଚାଳନା, ଶିଶୁଙ୍କ ଯତ୍ନ ଏବଂ ଘରର ଦାୟିତ୍ୱ ଭଳି ଅତିରିକ୍ତ କାମର ଚାପ ରହିବାର ସମ୍ଭାବନା ରହିଥାଏ। ଭାରତୀୟ ପରିବାରରେ ଏପରି ଅସମାନ ବ୍ୟବସ୍ଥାରେ ରହିବାକୁ ଇଚ୍ଛା ନଥିବା କେତେକ ମହିଳାଙ୍କ ପାଇଁ ଅବିବାହିତ ରହିବା ଅଧିକ ସରଳ ବିକଳ୍ପ ଭାବେ ଦେଖାଯାଉଛି। ତେଣୁ ଘରୋଇ ଦାୟିତ୍ୱର ଅସମାନ ବଣ୍ଟନ ମଧ୍ୟ ମହିଳାଙ୍କ ବିବାହ ନିଷ୍ପତ୍ତିକୁ ପ୍ରଭାବିତ କରୁଛି।

‘ବୁଝାମଣା’ କରିବାକୁ ଅନିଚ୍ଛୁକ ମହିଳା

ମହିଳାମାନେ ଜୀବନସାଥୀଙ୍କଠାରୁ କ’ଣ ଆଶା କରୁଛନ୍ତି, ସେ ନେଇ ସ୍ପଷ୍ଟତା ଚାହୁଁଛନ୍ତି। ୨୦୨୪ର ଏକ ଡେଟିଂ ସାଇଟ୍ ସର୍ଭେରେ ୬୪ ପ୍ରତିଶତ ମହିଳା ଉତ୍ତରଦାତା କହିଥିଲେ ଯେ ସେମାନେ ନିଜର ଆବଶ୍ୟକତା ଓ ଇଚ୍ଛା ସମ୍ପର୍କରେ ଅଧିକ ସ୍ପଷ୍ଟ ହେବାକୁ ଚାହୁଁଛନ୍ତିଯ। କେବଳ ବିବାହ ପାଇଁ ଏସବୁ ସହ ବୁଝାମଣା କରିବାକୁ ପସନ୍ଦ ନାହାନ୍ତି। ଏହାର ଅର୍ଥ ଯେ ମହିଳାମାନଙ୍କର ସମ୍ପର୍କ କିମ୍ବା ଭଲପାଇବା ଦରକାର ନାହିଁ ତାହା ନୁହେଁ। ବରଂ ସମ୍ପର୍କ ବାନ୍ଧିବା ପୂର୍ବରୁ ଜୀବନସାଥୀଙ୍କ ମନୋଭାବ, ଦାୟିତ୍ୱବୋଧ ଓ ସମାନତାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି।

କାରଣ ସେମାନେ ନିଜ ପରିବାରରେ ପାରିବାରିକ କଳହ, ଦୁଃଖପୂର୍ଣ୍ଣ ଦାମ୍ପତ୍ୟ ଜୀବନ, ବିବାହ ପାଇଁ କ୍ୟାରିୟର ବନ୍ଦ ପଡିବା, ଶିଶୁ ଯତ୍ନର ଅସମାନ ଦାୟିତ୍ୱ ଏବଂ ସବୁକିଛିରେ ମହିଳାଙ୍କୁ ‘ଅଡଜଷ୍ଟ’ କରିବାକୁ କୁହାଯିବା ଦେଖିଛନ୍ତି। କେବଳ ବିବାହ କରିବା ପାଇଁ ଯଦି ଏତେସବୁ କରିବାକୁ ପଡ଼ିବ ତେବେ ଏକୁଟିଆ ରହିବା ହିଁ ଭଲ ବିକଳ୍ପ ବୋଲି ମହିଳାମାନେ ଚିନ୍ତା କରୁଛନ୍ତି।

ବିଳମ୍ବରେ ବିବାହ

ଭାରତୀୟ ମହିଳାଙ୍କ ମଧ୍ୟରେ ବିଳମ୍ବିତ ବିବାହ ମାମଲା ବଢ଼ିଛି। ନ୍ୟାସନାଲ୍ ଫ୍ୟାମିଲି ହେଲ୍ଥ୍ ସର୍ଭେ (NFHS) ତଥ୍ୟ ଆଧାରିତ ଏକ ଅଧ୍ୟୟନ ଅନୁସାରେ, ୨୦-୪୯ ବର୍ଷ ବୟସର ମହିଳାଙ୍କ ପ୍ରଥମ ବିବାହର ମିଡିୟମ ବୟସ ୧୯୯୨-୯୩ରେ ୧୬.୨ ବର୍ଷ ଥିବାବେଳେ ୨୦୧୯-୨୧ରେ ଏହା ୧୯.୨ ବର୍ଷକୁ ବୃଦ୍ଧି ପାଇଛି। ୨୦-୨୪ ବର୍ଷ ବୟସର ମହିଳାଙ୍କ ମଧ୍ୟରେ ୧୮ ବର୍ଷ ପୂର୍ବରୁ ବିବାହ କରିଥିବା ମହିଳାଙ୍କ ଅନୁପାତ ମଧ୍ୟ ୧୯୯୨-୯୩ରେ ପ୍ରାୟ ୬୬ ପ୍ରତିଶତରୁ ହ୍ରାସ ପାଇ ୨୦୧୯-୨୧ରେ ୨୩.୨ ପ୍ରତିଶତ ହୋଇଛି।

ଅର୍ଥାତ୍ ମହିଳାମାନେ ଏବେ ଶିକ୍ଷା, ଚାକିରି ଓ ନିଜ ଜୀବନ ଗଢ଼ିବାରେ ଯୁବାବସ୍ଥା ବ୍ୟୟ କରିବାକୁ ଚାହୁଁଛନ୍ତି। ବିବାହ ବିଳମ୍ବ ହେବା ସହିତ ଜଣେ ମହିଳାଙ୍କୁ ଜୀବନରେ ବିବାହର ଆବଶ୍ୟକତା ଅଛି କି ନାହିଁ, ସେ ବିଷୟରେ ଭାବିବାକୁ ମଧ୍ୟ ଅଧିକ ସମୟ ମିଳୁଛି।

‘ବୁଢ଼ାବେଳେ କିଏ ଦେଖିବ?’ ପରିବାରର ବଡ଼ ପ୍ରଶ୍ନ

ଅବିବାହିତ ରହିବା କେତେକ ମହିଳାଙ୍କ ପାଇଁ ଆର୍ଥିକ ଭାବେ ସମ୍ଭବ ହେଉଥିଲେ ମଧ୍ୟ ସାମାଜିକ ଚାପ ଏବେ ବି ରହିଛି। ଘର, ସମ୍ପତ୍ତି, ସ୍ୱାସ୍ଥ୍ୟସେବା, ସନ୍ତାନ ଏବଂ ବୃଦ୍ଧାବସ୍ଥାର ସୁରକ୍ଷାକୁ ନେଇ ଅବିବାହିତ ମହିଳାଙ୍କୁ ଅନେକ ପ୍ରଶ୍ନର ସାମ୍ନା କରିବାକୁ ପଡ଼ୁଛି।

ପରିବାର ପକ୍ଷରୁ ସବୁଠାରୁ ସାଧାରଣ ପ୍ରଶ୍ନ ହେଉଛି ‘ବୁଢ଼ାବେଳେ ତୁମର ଦେଖାଶୁଣା କିଏ କରିବ?’ କିନ୍ତୁ ଅନେକ ମହିଳା ଏବେ ଏହି ପ୍ରଶ୍ନର ଉତ୍ତର ନିଜସ୍ୱ ଭାବେ ଖୋଜୁଛନ୍ତି। ସ୍ୱାମୀ ଓ ସନ୍ତାନଙ୍କ ଉପରେ ନିର୍ଭର କରିବା ବଦଳରେ ସଞ୍ଚୟ, ସମ୍ପତ୍ତି, ସ୍ୱାସ୍ଥ୍ୟ ଯୋଜନା ଓ ନିକଟତମ ବନ୍ଧୁମାନଙ୍କୁ ନେଇ ନିଜର ସାମାଜିକ ସୁରକ୍ଷା ବ୍ୟବସ୍ଥା ଗଢ଼ିବାକୁ କେତେକ ମହିଳା ଚିନ୍ତା କରୁଛନ୍ତି। ତେବେ ଏ ପ୍ରଶ୍ନ କେବଳ ଯେ ମହିଳାମାନେ ସାମ୍ନା କରୁଛନ୍ତି ତାହା ନୁହେଁ, ଅବିବାହିତ ରହିବାକୁ ପସନ୍ଦ କରୁଥିବା ପୁରୁଷମାନଙ୍କୁ ମଧ୍ୟ ସମାନ ପ୍ରଶ୍ନର ଚାପକୁ ସାମ୍ନା କରିବାକୁ ପଡ଼ୁଛି।

ଅବିବାହିତ ଅର୍ଥ ଏକାକୀ ନୁହେଁ

ସମାଜରେ ଥିବା ଏକ ଧାରଣା ହେଉଛି ଯେ ବିବାହ ନ କରିଥିବା ମହିଳା ନିଶ୍ଚିତ ଭାବେ ଅସମ୍ପୂର୍ଣ୍ଣ କିମ୍ବା ଏକାକୀ। କିନ୍ତୁ ଅନେକ ମହିଳାଙ୍କ ପାଇଁ ଅବିବାହିତ ରହିବାର ଅର୍ଥ ହେଉଛି ନିଜ ସମୟ, ଟଙ୍କା, ଘର ଓ କ୍ୟାରିୟର ଉପରେ ଅଧିକ ନିୟନ୍ତ୍ରଣ।

ଏହାର ଅର୍ଥ ସେମାନେ ଭଲପାଇବା କିମ୍ବା ସାଥୀ ଚାହୁଁନାହାନ୍ତି ତାହା ନୁହେଁ, କେହି ବିବାହ ବିନା ଦୀର୍ଘମିଆଦୀ ସମ୍ପର୍କ ଚାହୁଁଛନ୍ତି, କେହି ଏକାକୀ ଜୀବନରେ ଖୁସି ଅଛନ୍ତି, ଆଉ କେହି ସନ୍ତାନ ଚାହୁଁଥିଲେ ମଧ୍ୟ ଏଥିପାଇଁ ବିବାହ ଅନିବାର୍ଯ୍ୟ କି ନୁହେଁ ବୋଲି ପ୍ରଶ୍ନ କରୁଛନ୍ତି।

ବଦଳୁଛି ବିବାହକୁ ଦେଖିବାର ଦୃଷ୍ଟିକୋଣ

ଆମେରିକାର ତଥ୍ୟ ମଧ୍ୟ ବିବାହ ଓ ପରିବାର ବ୍ୟବସ୍ଥାରେ ବିଶ୍ୱସ୍ତରୀୟ ପରିବର୍ତ୍ତନର ଏକ ଉଦାହରଣ ଦେଉଛି। ମର୍ଗାନ୍ ଷ୍ଟାନ୍ଲିର ଏକ ଆକଳନ ଅନୁସାରେ, ୨୦୩୦ ସୁଦ୍ଧା ଆମେରିକାର ୨୫-୪୪ ବର୍ଷ ବୟସର ୪୫ ପ୍ରତିଶତ ମହିଳା ଅବିବାହିତ ଓ ସନ୍ତାନହୀନ ରହିପାରନ୍ତି। ୨୦୧୮ରେ ଏହି ଅନୁପାତ ୪୧ ପ୍ରତିଶତ ଥିଲା।

ଯଦିଓ ଏହା ଆମେରିକାର ତଥ୍ୟ ଏବଂ ଭାରତ ପାଇଁ ସିଧାସଳଖ ଆକଳନ ନୁହେଁ, ତଥାପି ବିବାହ ବିଳମ୍ବ ଓ ପାରମ୍ପରିକ ପରିବାର ବ୍ୟବସ୍ଥାର ବାହାରେ ଜୀବନ ବାଛିବାର ପ୍ରବଣତା କେବଳ ଗୋଟିଏ ଦେଶରେ ସୀମିତ ନୁହେଁ ବୋଲି ଏହା ଦର୍ଶାଉଛି।

ଭାରତରେ ବିବାହ ଏବେ ମଧ୍ୟ ପରିବାର, ସାମାଜିକ ସମ୍ମାନ ଓ ଯତ୍ନ ବ୍ୟବସ୍ଥା ସହ ଗଭୀର ଭାବେ ଜଡ଼ିତ। ତଥାପି ଜଣେ ମହିଳାଙ୍କ ପାଇଁ ସ୍ଥିର ଓ ସଫଳ ଜୀବନ ପାଇଁ ବିବାହ ଅନିବାର୍ଯ୍ୟ କି? ବୋଲି ପ୍ରଶ୍ନ ଉଠିଲାଣି।

ହୁଏତ ଅଧିକାଂଶ ମହିଳା ଏହାର ଉତ୍ତର ‘ନା’ ବୋଲି କହିପାରନ୍ତି। କେହି ବିଳମ୍ବରେ ବିବାହ କରିବେ, କେହି ନିଜ ପାଇଁ ସଠିକ୍ ସାଥୀ ବାଛିବେ ଏବଂ କେହି ବିବାହ ନ କରିବାକୁ ମଧ୍ୟ ନିଜର ଜୀବନ ନିଷ୍ପତ୍ତି ଭାବେ ଗ୍ରହଣ କରିପାରନ୍ତି। ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି ବିବାହକୁ ଏବର ମହିଳାମାନେ କେବଳ ଏକ ସଚେତନ ଜୀପନ ଯାପନର ପସନ୍ଦ ଭାବରେ ବିଚାର କରୁଛନ୍ତି।