ନୂଆଦିଲ୍ଲୀ: ‘ମକ୍କା ଯୁଗ୍ମ ପ୍ରତିରକ୍ଷା ଚୁକ୍ତି’ ଅଧୀନରେ ଇସ୍ତାନବୁଲଠାରେ ପ୍ରଥମ ‘ଷ୍ଟ୍ରାଟେଜିକ୍ ପଲିଟିକାଲ୍ ଆଣ୍ଡ ଡିଫେନ୍ସ କମିଟି’ ବୈଠକ ଅଗଷ୍ଟ ୩୧ରେ ଅନୁଷ୍ଠିତ ହେବାକୁ ଯାଉଛି। ତୁର୍କୀ, ସାଉଦି ଆରବ ଏବଂ ପାକିସ୍ତାନର ଉଚ୍ଚପଦସ୍ଥ ଅଧିକାରୀମାନେ ଏହି ବୈଠକରେ ଯୋଗଦେଇ ଅନ୍ତର୍ଜାତୀୟ ସୁରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ।

ତୁର୍କୀ ପକ୍ଷରୁ ବୈଦେଶିକ ମନ୍ତ୍ରୀ ହାକାନ୍ ଫିଦାନ୍‌, ଜାତୀୟ ପ୍ରତିରକ୍ଷା ମନ୍ତ୍ରୀ ୟାଶାର ଗୁଲେର୍‌ ଏବଂ ଚିଫ୍ ଅଫ୍ ଜେନେରାଲ ଷ୍ଟାଫ୍ ଜେନେରାଲ ସେଲଜୁକ୍ ବାୟରାକ୍ତାରୋଗ୍ଲୁ ଯୋଗ ଦେବେ । ପାକିସ୍ତାନ ପକ୍ଷରୁ ବୈଦେଶିକ ମନ୍ତ୍ରୀ ମହମ୍ମଦ ଇଶାକ୍ ଡାର୍‌, ସଂଘୀୟ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ମହମ୍ମଦ ଆସିଫ୍‌ ଏବଂ ସେନାମୁଖ୍ୟ ଫିଲ୍ଡ ମାର୍ଶଲ ଅସିମ ମୁନିର ଯୋଗ ଦେବାକୁ ଥିବା ବେଳେ ସାଉଦି ଆରବ ପକ୍ଷରୁ ଫୈସଲ ବିନ୍ ଫରହାନ, ପ୍ରତିରକ୍ଷା ମନ୍ତ୍ରୀ ଖାଲିଦ ବିନ୍ ସଲମାନ ଏବଂ ଚିଫ୍ ଅଫ୍ ଜେନେରାଲ ଷ୍ଟାଫ୍ ଜେନେରାଲ ଫୟାଦ ବିନ୍ ହାମେଦ ଅଲ-ରୁୱାଇଲି ଯୋଗ ଦେବେ ବୋଲି ଜଣାପଡ଼ିଛି ।

ଏହି ବୈଠକରେ ସେନାବାହିନୀଗୁଡ଼ିକ ମଧ୍ୟରେ କାର୍ଯ୍ୟଦକ୍ଷତା ବୃଦ୍ଧି ଏବଂ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ମିଳିତ ଉତ୍ପାଦନ ଓ ବିକାଶ ଉପରେ ଗୁରୁତ୍ୱ ଦିଆଯିବ । ଆଞ୍ଚଳିକ ସୁରକ୍ଷା ପାଇଁ ମିଳିତ ଭାବରେ ଆତଙ୍କବାଦ ବିରୋଧୀ ଅଭିଯାନ ସମ୍ପର୍କରେ ରଣନୀତି ପ୍ରସ୍ତୁତ କରିବେ। ଏକ ପ୍ରଶାସନିକ ସଚିବାଳୟ ଏବଂ ସମ୍ବନ୍ଧିତ କାର୍ଯ୍ୟବିଧି ପ୍ରତିଷ୍ଠା କରିବା, ଯାହା ଆଗାମୀ ଦିନର କାର୍ଯ୍ୟପନ୍ଥା ଓ ରୋଡମ୍ୟାପ୍ ନିର୍ଦ୍ଧାରଣ ହେବ।

ଅଗଷ୍ଟ ୭ ରେ ସ୍ୱାକ୍ଷରିତ ହୋଇଥିବା ଏହି ଚୁକ୍ତିଟି ବିଶ୍ୱସ୍ତରୀୟ ଅସ୍ଥିରତା ଏବଂ ଆଞ୍ଚଳିକ ଦାୟିତ୍ୱବୋଧକୁ ଆଖିଆଗରେ ରଖି ଗଠନ କରାଯାଇଛି। ନାଟୋ (NATO) ର ନିୟମ ଭଳି ଏହି ଚୁକ୍ତିରେ ମଧ୍ୟ ସର୍ତ୍ତ ରହିଛି ଯେ, ଏହି ତିନୋଟି ଦେଶ ମଧ୍ୟରୁ କୌଣସି ଗୋଟିଏ ଦେଶ ଉପରେ ଆକ୍ରମଣ ହେଲେ, ତାହାକୁ ଅନ୍ୟ ସମସ୍ତ ଅଂଶୀଦାର ଦେଶଗୁଡ଼ିକ ଉପରେ ଆକ୍ରମଣ ଭାବରେ ଗ୍ରହଣ କରାଯିବ।