ନୂଆଦିଲ୍ଲୀ: ଚୀନରେ କ୍ରମାଗତ ଭାବରେ କମୁଥିବା ବିବାହ ଓ ଜନ୍ମହାରକୁ ନେଇ ଚିନ୍ତିତ ସରକାର ଏବେ ଏକ ଅଜବ ପଦକ୍ଷେପ ଗ୍ରହଣ କରିଛନ୍ତି। ଯୁବପିଢ଼ିଙ୍କୁ ବିବାହ ପାଇଁ ଉତ୍ସାହିତ କରିବା ଏବଂ ପ୍ରକ୍ରିୟାକୁ ସହଜ କରିବା ପାଇଁ ସ୍ଥାନୀୟ ପ୍ରଶାସନ ବ୍ୟାଙ୍କ, ମାତୃ ମଙ୍ଗଳ ହସ୍ପିଟାଲ, ଏୟାରପୋର୍ଟ ଏବଂ ନାଇଟକ୍ଲବଗୁଡ଼ିକରେ 'ବିବାହ ପଞ୍ଜୀକରଣ କାଉଣ୍ଟର'ଖୋଲୁଥିବା 'ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ'ରେ ଖବର ପ୍ରକାଶ ପାଇଛି।

ସାନ୍ଦୋଙ୍ଗ୍ ପ୍ରଦେଶର ଲିଞ୍ଜି ଜିଲ୍ଲାସ୍ଥିତ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ହସ୍ପିଟାଲରେ 'ୱାନ୍-ଷ୍ଟପ୍ ସେବା' ଆରମ୍ଭ କରାଯାଇଛି। ସେଠାରେ ନବଦମ୍ପତି ବିବାହ ପଞ୍ଜୀକରଣ କରିବା ସହ ବିବାହ ପୂର୍ବରୁ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଗର୍ଭଧାରଣ ସମ୍ବନ୍ଧୀୟ ପରାମର୍ଶ ଗୋଟିଏ ଛାତ ତଳେ ପାଇପାରିବେ।

ତିଆନ୍‌ଜିନ୍‌ଠାରେ 'ପୋଷ୍ଟାଲ୍ ସେଭିଂସ ବ୍ୟାଙ୍କ ଅଫ୍ ଚାଇନା'ର ଏକ ଶାଖା ବିବାହ ପଞ୍ଜୀକରଣ ସେବା ଯୋଗାଉଛି । ସେହିପରି ସାଂଘାଇର ଏକ ନାଇଟକ୍ଲବ୍ ସରକାରୀ ଅଧିକାରୀଙ୍କ ସହ ମିଶି ଇଲେକ୍ଟ୍ରୋନିକ୍ ମ୍ୟୁଜିକ୍ ସହ ବିବାହ ପ୍ରମାଣପତ୍ର ବାଣ୍ଟୁଛି।
ଗୁଆଙ୍ଗଝୁ ବିମାନବନ୍ଦର, ମେଟ୍ରୋ ଷ୍ଟେସନ, ମନ୍ଦିର ଏବଂ ପାର୍କଗୁଡ଼ିକରେ ମଧ୍ୟ ଏହି ସୁବିଧା ଉପଲବ୍ଧ କରାଯାଉଛି।

କାହିଁକି ଏହି ସଙ୍କଟ?
ଚୀନରେ ଜନସଂଖ୍ୟା ହ୍ରାସ ପାଇବା ସହ ଶ୍ରମିକ ସଂଖ୍ୟା କମିବାରେ ଲାଗିଛି, ଯାହା ଏକ ବଡ଼ ଜନସଂଖ୍ୟା ସଙ୍କଟ ସୃଷ୍ଟି କରିଛି। ସରକାରୀ ନିୟମ ସହଜ କରିବା ପରେ ଗତବର୍ଷ ବିବାହ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିଥିଲା, ମାତ୍ର ଚଳିତ ବର୍ଷ ପ୍ରଥମ ୬ ମାସରେ ବିବାହ ପଞ୍ଜୀକରଣ ପୁଣି ୭.୫% ହ୍ରାସ ପାଇଛି।

ସରକାରଙ୍କ ଏହି ପଦକ୍ଷେପକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଣେ ୟୁଜର ଲେଖିଛନ୍ତି, ‘ଯୁବପିଢ଼ି କାଗଜପତ୍ର କିମ୍ବା ସ୍ଥାନର ଜଟିଳତା ପାଇଁ ବିବାହରୁ ଦୂରେଇ ରହୁନାହାନ୍ତି, ବରଂ ଆଗାମୀ ଭବିଷ୍ୟତର ଆହ୍ୱାନକୁ ସାମ୍ନା କରିବାର ଧୈର୍ଯ୍ୟ ନଥିବାରୁ ଏହି ନିଷ୍ପତ୍ତି ନେଉଛନ୍ତି।’ ଅନ୍ୟ ଜଣେ ପରିହାସ କରି ଲେଖିଛନ୍ତି, ‘ବିବାହ କାଉଣ୍ଟର ପରେ ଏବେ ଏଭରେଷ୍ଟ ଶୃଙ୍ଗ ଉପରେ ସରକାର ବିବାହ ବିଚ୍ଛେଦ କାଉଣ୍ଟର ଖୋଲିବା ଉଚିତ୍।’