ନୂଆଦିଲ୍ଲୀ: ମାତ୍ର ୧୫ ବର୍ଷ ବୟସରେ ଦୁଲିପ୍ ଟ୍ରଫିରେ ଇଷ୍ଟ ଜୋନ୍‌ ଦଳର ଅଧିନାୟକ ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ । ବେଙ୍ଗାଲୁରୁଠାରେ ସେଣ୍ଟ୍ରାଲ ଜୋନ୍‌ ବିପକ୍ଷରେ ଖେଳାଯାଉଥିବା ସେମିଫାଇନାଲ ମ୍ୟାଚରେ ଅଧିନାୟକ ଇଶାନ କିଷନ୍‌ ଆହାତ ହେବା ପରେ ବୈଭବଙ୍କୁ ଏହି ଦାୟିତ୍ୱ ମିଳିଛି । ସେଣ୍ଟ୍ରାଲ ଜୋନର ପ୍ରଥମ ଇନିଂସର ୧୯ତମ ଓଭରରେ ୱିକେଟକିପିଂ କରୁଥିବା ସମୟରେ ଇଶାନଙ୍କ ଡାହାଣ ହାତରେ ଶକ୍ତ ଆଘାତ ଲାଗିଥିଲା। ପ୍ରାଥମିକ ଚିକିତ୍ସା ପରେ ସେ ପଡ଼ିଆ ବାହାରକୁ ଯିବାକୁ ବାଧ୍ୟ ହୋଇଥିଲେ।

ଇଶାନ କିଷନ ବାହାରକୁ ଯିବା ପରେ କୁମାର କୁଶାଗ୍ର ୱିକେଟକିପିଂ ଦାୟିତ୍ୱ ନେଇଥିବା ବେଳେ ଉପ-ଅଧିନାୟକ ଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳର ଅଧିନାୟକ ଦାୟିତ୍ବ ଦିଆଯାଇଥିଲା ।  ମାତ୍ର ୧୫ ବର୍ଷ ବୟସରେ ଏକ ସିନିୟର ଫାର୍ଷ୍ଟ-କ୍ଲାସ୍‌ ଦଳର ନେତୃତ୍ୱ ନେବା କ୍ରିକେଟ ଇତିହାସରେ ଏକ ବିରଳ ଘଟଣା।

ମହମ୍ମଦ ସାମି, ମୁକେଶ କୁମାର ଏବଂ ଅଭିମନ୍ୟୁ ଈଶ୍ୱରନଙ୍କ ଭଳି ଅଭିଜ୍ଞ ଅନ୍ତର୍ଜାତୀୟ ଓ ଘରୋଇ ଖେଳାଳିଙ୍କୁ ନେଇ ଗଠିତ ବୋଲିଂ ଆକ୍ରମଣକୁ ବୈଭବ ବହୁତ ସୁନ୍ଦର ଭାବେ ପରିଚାଳନା କରିଛନ୍ତି । ତାଙ୍କ ନେତୃତ୍ୱରେ ଇଷ୍ଟ ଜୋନର ବୋଲରମାନେ ମଧ୍ୟାହ୍ନ ଭୋଜନ ସୁଦ୍ଧା ସେଣ୍ଟ୍ରାଲ ଜୋନକୁ ୮୧/୩ ରନ୍‌ରେ ଅଟକାଇବାରେ ସଫଳ ହୋଇଛନ୍ତି।

୨୦୨୪ ପ୍ରାରମ୍ଭରେ ଫାର୍ଷ୍ଟ-କ୍ଲାସ୍‌ କ୍ରିକେଟରେ ପଦାର୍ପଣ କରିଥିବା ବୈଭବ ନିଜର ଦ୍ୱିତୀୟ ଦୁଲିପ୍ ଟ୍ରଫି ଏବଂ ଦଶମ ଫାର୍ଷ୍ଟ-କ୍ଲାସ୍‌ ମ୍ୟାଚ୍ ଖେଳୁଛନ୍ତି। ଦୀର୍ଘକାଳୀନ ଭବିଷ୍ୟତକୁ ଆଖିଆଗରେ ରଖି ଚୟନକର୍ତ୍ତାମାନେ ତାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦେଇଥିଲେ, ଯାହା ଆଜି ଭାରତୀୟ କ୍ରିକେଟରେ ତାଙ୍କର ଦ୍ରୁତ ଅଗ୍ରଗତିକୁ ପ୍ରମାଣିତ କରିଛି।