ନୂଆଦିଲ୍ଲୀ: ବିଶ୍ୱ କ୍ରିକେଟର ନିୟାମକ ସଂସ୍ଥା 'ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ' (ICC) ପକ୍ଷରୁ ଏକ ବଡ଼ ଏବଂ ଚାଞ୍ଚଲ୍ୟକର ନିଷ୍ପତ୍ତି ନିଆଯାଇଛି। ୨୦୨୭ରେ ଅନୁଷ୍ଠିତ ହେବାକୁ ଥିବା ଐତିହାସିକ ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ଅଧିକାର ଶ୍ରୀଲଙ୍କା ହାତରୁ ଛଡ଼ାଇ ନିଆଯାଇଛି। ସୂଚନା ଅନୁଯାୟୀ, ଆଇସିସିର କିଛି ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ, ଆବଶ୍ୟକୀୟ ଭିତ୍ତିଭୂମି ଏବଂ ପ୍ରସ୍ତୁତି ସମ୍ପର୍କିତ କାର୍ଯ୍ୟକୁ ନେଇ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସହ ମତଭେଦ କିମ୍ବା ଅସମର୍ଥତା କାରଣରୁ ଆଇସିସି ଏହି କଠୋର ପଦକ୍ଷେପ ନେଇଛି। ୨୦୨୭ରେ ପ୍ରଥମ ଥର ପାଇଁ ମହିଳା କ୍ରିକେଟରେ ଟି-୨୦ ଫର୍ମାଟ୍ରେ ଏହି ଚାମ୍ପିଅନ୍ସ ଟ୍ରଫି ଟୁର୍ନାମେଣ୍ଟ ଆୟୋଜିତ ହେବାକୁ ଯାଉଛି।

ଏବେ କେଉଁଠି ହେବ ଟୁର୍ଣ୍ଣାମେଣ୍ଟ ?

ଶ୍ରୀଲଙ୍କାକୁ ଆୟୋଜକ ତାଲିକାରୁ ହଟାଯିବା ପରେ, ଏହି ମେଗା ଟୁର୍ଣ୍ଣାମେଣ୍ଟଟି କେଉଁ ଦେଶରେ ଖେଳାଯିବ ସେ ନେଇ ଆଇସିସି ପକ୍ଷରୁ ଖୁବଶୀଘ୍ର ନୂଆ ଆୟୋଜକ ଦେଶର ନାମ ଘୋଷଣା କରାଯିବ। ଅନ୍ୟ କୌଣସି ପ୍ରମୁଖ କ୍ରିକେଟ ବୋର୍ଡକୁ ଏହି ବଡ଼ ଦାୟିତ୍ୱ ହସ୍ତାନ୍ତର କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି।ଏହି ନିଷ୍ପତ୍ତି ଶ୍ରୀଲଙ୍କା କ୍ରିକେଟ୍ ପାଇଁ ଏକ ବଡ଼ ଝଟ୍କା ହୋଇଥିବା ବେଳେ ମହିଳା କ୍ରିକେଟ ପ୍ରେମୀଙ୍କ ନଜର ଏବେ ଆଇସିସିର ପରବର୍ତ୍ତୀ ଘୋଷଣା ଉପରେ ରହିଛି।

Also Read: ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଆକିବ ନବୀଙ୍କ ମେଗା ପ୍ଲାନ, କାଉଣ୍ଟି କ୍ରିକେଟ ଖେଳିବାକୁ ଇଂଲଣ୍ଡ ପଠାଇଲା BCCI

ଶ୍ରୀଲଙ୍କା ପାଇଁ ଡବଲ ଝଟକା

ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬ଟି ଦଳ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ନିୟମ ଅନୁଯାୟୀ, ଆଇସିସି ରାଙ୍କିଂର ଶୀର୍ଷ ୫ଟି ଦଳ ଏବଂ ଆୟୋଜକ ଦେଶ ସିଧାସଳଖ ଯୋଗ୍ୟତା ହାସଲ କରିଥାନ୍ତି। ଶ୍ରୀଲଙ୍କା ମହିଳା ଦଳ ବର୍ତ୍ତମାନ ଆଇସିସି ରାଙ୍କିଂରେ ୬ଷ୍ଠ ସ୍ଥାନରେ ରହିଛି। ଆୟୋଜକ ହିସାବରେ ଶ୍ରୀଲଙ୍କାକୁ ସିଧାସଳଖ ଏଣ୍ଟ୍ରି ମିଳିଥାନ୍ତା। କିନ୍ତୁ ଏବେ ନୂଆ ଆୟୋଜକ ଦେଶ ଯଦି ରାଙ୍କିଂର ୬ଷ୍ଠ ସ୍ଥାନ ବାହାରେ ଥିବା କୌଣସି ଦଳ ହୁଏ, ତେବେ ଶ୍ରୀଲଙ୍କା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବାର ଆଶଙ୍କା ସୃଷ୍ଟି ହେବ।

ପୂର୍ବରୁ ମଧ୍ୟ ହରାଇଥିଲା U-19 ୱାର୍ଲ୍ଡକପ୍

ସରକାରୀ ହସ୍ତକ୍ଷେପ କାରଣରୁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଏଭଳି ସମସ୍ୟାର ସାମ୍ନା କରିବା ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ୨୦୨୩-୨୪ ରେ ମଧ୍ୟ ସେହି ସମାନ ବିବାଦ ଯୋଗୁଁ ଆଇସିସି ଶ୍ରୀଲଙ୍କାଠାରୁ ୨୦୨୪ ପୁରୁଷ ୧୯-ବର୍ଷରୁ କମ୍ (U-19) ବିଶ୍ୱକପ୍ ଆୟୋଜନ ଅଧିକାର ଛଡ଼ାଇ ନେଇ ଦକ୍ଷିଣ ଆଫ୍ରିକାକୁ ହସ୍ତାନ୍ତର କରିଥିଲା।